ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗର ଅନେକ ଘଟଣା ନଜରକୁ ଆସିଛି। ଏବେ ପୁଣି ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଖାଳିଆମେଣ୍ଟା ପଞ୍ଚାୟତରୁ ଆସିଛି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି। ପିଇଓ ରାମଚନ୍ଦ୍ର ନାୟକ ଅଭିଯୋଗ ଆଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ୱାମୀ ସୁରେନ୍ଦ୍ର ଭୂୟାଁ।
ଏପରିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ପିଇଓ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ତାଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକି ଘଟଣାର ସମାଧାନ ପାଇଁ ୫୦ ହଜାର ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ସେଥିରେ ରାଜି ନହେବାରୁ ଉଭୟ ଦେବାଶିଷ ଓ ସୁର ପୁଣି ତାଙ୍କୁ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।
ଏ ନେଇ ପିଇଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକ୍ ଅଫିସରେ ପିଇଓଙ୍କୁ ମାଡ଼ ଘଟଣାରେ ବିଡିଓ କହିଛନ୍ତି ଯେ ତାଙ୍କୁ ଲିଖିତ ଭାବେ ଜଣାଇଲେ ହିଁ ଆକ୍ସନ ନେବେ। ସେପଟେ ପିଇଓଙ୍କୁ ମାଡ଼ ଘଟଣାରେ ବିଧାୟକଙ୍କ ପୁଅଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ ପାତ୍ର।
ସେହିପରି ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏଠାକାର ବାସିନ୍ଦା ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ବସିଛନ୍ତି। ନିମାପଡ଼ା ବ୍ଲକର ଉଛୁପୁର ଗାଁ'ର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘର ଫୋନି ବାତ୍ୟା କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାକୁ ଦୁଇ ବର୍ଷ ପୁରି ଯାଇଥିଲେ ହେଁ କୃଷ୍ଣଚନ୍ଦ୍ର ଜରିପାଲ ଘେରା ଘରେ ଜୀବନ କାଟୁଛନ୍ତି।
ସରକାରୀ ଘରଟିଏ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। ଏପରିକି ବିଡିଓ ମଧ୍ୟ ଆସି ଦେଖି ଯାଇଛନ୍ତି। କିନ୍ତୁ ଏଯାଏ କିଛି ବି ସୁଫଳ ମିଳିନାହିଁ। ସେମିତି ଏହି ଗାଁରେ ଆହୁରି ଅନେକ ବାତ୍ୟା ବିପନ୍ନଙ୍କ ଜୀବନ ବିପଦପୂର୍ଣ୍ଣ ଜରି ପାଲ ଓ ଭଙ୍ଗା ଦଦରା ଘରେ ବିତୁଛି। ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ବି ସମାନ ଦୁସ୍ଥିତି ଦେଖିବାକୁ ମିଳୁଛି। ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବିପନ୍ନ ଚାତକ ଭଳି ଚାହିଁଛନ୍ତି। ହେଲେ କେବେ ସେମାନଙ୍କୁ ଘର ଖଣ୍ଡେ ମିଳିବ, ତାହା ଜଣାନାହିଁ। ଏ ନେଇ ଜିଲ୍ଲାପାଳ କହୁଛନ୍ତି, ଯାହାର ଆପତ୍ତି ଅଛି ମୋତେ ଯୋଗାଯୋଗ କରନ୍ତୁ, ଆବାସ ବଣ୍ଟନରେ ଯିଏ ଦୁର୍ନୀତି କରିବ କାର୍ଯ୍ୟାନୁଷ୍ଠାନ ନେବୁ।