ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଭିଡିଓ ଭାଇରାଲ ହେବା ପରେ ଅଭିନେତା ବାବୁଶାନ ମହାନ୍ତି କହିଥିଲେ ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ହେଉଛନ୍ତି ପିଲା ବେଳୁ ତାଙ୍କର ଭଲ ସାଙ୍ଗ। ତାଙ୍କ ସହିତ କଥାବାର୍ତ୍ତା ହେବାରେ କେଉଁଠି ଅସୁବିଧା ରହିଲା ସେ ବୁଝି ପାରୁ ନାହାନ୍ତି। ସେମିତି ପ୍ରକୃତିଙ୍କ ବାପା କହିଥିଲେ ଯେ ସେମାନେ କେବଳ ଭଲ ବନ୍ଧୁ। ଝିଅ ପ୍ରକୃତି ତାଙ୍କୁ ଏକଥା କହିଥିବା ସେ କହିଥିଲେ। କିନ୍ତୁ ବାବୁଶାନଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଥିଲେ ଯେ ସେମାନେ (ବାବୁଶାନ୍ ଓ ପ୍ରକୃତି) ଗୁଡ୍ ଫ୍ରେଣ୍ଡ୍ ବୋଲି ଯାହା କହୁଛନ୍ତି, ତାହା ମିଛ। ସେ ସେମାନଙ୍କୁ ୪ ଥର ରେଡ୍ ହେଣ୍ଡେଡ୍ ଧରିଛନ୍ତି। ବାବୁଶାନଙ୍କ ବାପା ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି କହିଥିଲେ ଯେ ପ୍ରକୃତି ସହିତ ତାଙ୍କ ପୁଅର ସଂପର୍କକୁ ନେଇ ତୃପ୍ତିଙ୍କ ପାଖରେ କିଛି ପ୍ରମାଣ ଥାଇପାରେ, ଯେଉଁଥିପାଇଁ ସେ ପ୍ରତିକ୍ରିୟାଶୀଳ ହେଲେ।
ବାବୁଶାନ ଓ ପ୍ରକୃତିଙ୍କ ସଂପର୍କକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ପ୍ରକୃତିଙ୍କ ନାଁ ନନେଇ ବାବୁଶାନଙ୍କ ମା’ ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରକୃତ ବନ୍ଧୁର ସଂଜ୍ଞା କହିଛନ୍ତି। ବୋଧହୁଏ ଏହା ମାଧ୍ୟମରେ ସେ ପୁଅ ବାବୁଶାନଙ୍କୁ ବୁଝାଇବାକୁ ଚାହିଁଛନ୍ତି ଯେ ପ୍ରକୃତି କେବେ ବି ତାଙ୍କର ପ୍ରକୃତ ବନ୍ଧୁ ନୁହନ୍ତି।
ଅପରାଜିତା କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।
ଅପରାଜିତା ବୋଧହୁଏ ସେହି କ୍ଷତି କଥା ଉଠାଇଛନ୍ତି, ଯାହା ଶନିବାର ଭାଇରାଲ ଭିଡିଓରେ ରାସ୍ତା ଉପରେ ପ୍ରକୃତିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ତାଙ୍କ ବୋହୂ ତୃପ୍ତି କହିଥିଲେ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଛନ୍ତି ବୋଲି ଏଥିରେ ତୃପ୍ତି କହିଥିଲେ।
ସେହିଭଳି ଅପରାଜିତା କହିଛନ୍ତି ଯେ କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁଶାନ୍ଙ୍କର ସର୍ବନାଶ ହୋଇଛି। ଗଲା ଦେଢ଼/ଦୁଇ ବର୍ଷରେ ବାବୁଶାନଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।
ରବିବାର ବାବୁଶାନଙ୍କ ସଂପର୍କୀୟ ଭଉଣୀ ତୃପ୍ତି ମହାନ୍ତି କହିଛନ୍ତି, ପୂର୍ବର ବାବୁଶାନ ଓ ଏବର ବାବୁଶାନ ଭିତରେ ବହୁତ ଫରକ ଅଛି। ସେ ବହୁତ ବଦଳି ଯାଇଛନ୍ତି। ସେ ଝିଅ (ପ୍ରକୃତି ମିଶ) ତାଙ୍କ କ୍ୟାରିୟର ବରବାଦ କରିଛି। ତା’ ସହିତ ତାଙ୍କ ପାରିବାରିକ ଜୀବନକୁ ମଧ୍ୟ ନଷ୍ଟ କରିଛି। ପ୍ରକୃତି ମିଶ୍ରଙ୍କୁ ଆମର ଅନୁରୋଧ ଆମ ଭାଇଙ୍କୁ ଯେତିକି ବରବାଦ କରିବା କଥା କରିଦେଲ, ଏବେ ତୁମେ ତୁମ ଲାଇଫ ଦେଖ ଓ ଆମ ଭାଇକୁ ତାଙ୍କ ଲାଇଫରେ ଛାଡ଼ିଦିଅ।
ତୃପ୍ତି ଆହୁରି କହିଛନ୍ତି, କିଛି ଗୋଟିଏ କାରଣ ରହିଛି, ଯାହାକୁ ନେଇ ପ୍ରକୃତି ମିଶ୍ର ଆମ ଭାଇକୁ ବ୍ଲାକମେଲିଂ କରୁଛନ୍ତି। ସେହି କାରଣଟି ଆମେ ଜାଣିବାକୁ ଚାହୁଁଛୁ। ପ୍ରକୃତି ମିଶ୍ର ଯଦି ଆମ ଭାଇର ଭଲ ସାଙ୍ଗ ହୋଇଥା’ନ୍ତେ, ତା’ହେଲେ ତାଙ୍କ ପାରିବାରିକ ଜୀବନକୁ ନଷ୍ଟ କରି ନଥା’ନ୍ତେ। ଘରକୁ ନଯାଇ ତାଙ୍କ ସହିତ ସମୟ ବିତାଇବାକୁ ବାଧ୍ୟ କରୁ ନଥା’ନ୍ତେ। ତାଙ୍କ ପାଇଁ ଓ ତାଙ୍କ ସାଙ୍ଗ ମାନଙ୍କ ପାଇଁ ଆମ ଭାଇକୁ ଟଙ୍କା ଖର୍ଚ୍ଚ କରିବାକୁ କହି ନଥା’ନ୍ତେ। ଏସବୁ ଜଣେ ଭଲ ସାଙ୍ଗର ଲକ୍ଷଣ ନୁହେଁ।
ଅନ୍ୟପକ୍ଷରେ ରବିବାର ଗଣମାଧ୍ୟମରେ ଅପରାଜିତା ଓ ତୃପ୍ତିଙ୍କ ପ୍ରତିକ୍ରିୟା ଆସିବା ପୂର୍ବରୁ ବାବୁଶାନ ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ ଯେ ତାଙ୍କ ପରିବାରରେ ଏତେ ସବୁ ଘଟିଯାଇଛି ବୋଲି ସେ ଜାଣି ନାହାନ୍ତି। ଏହା ସହିତ ସେ ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେ ନାହିଁ ବୋଲି କହିଛନ୍ତି।
https://www.youtube.com/watch?v=_OVMcsJ8Dko
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।