ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆମରଣ ଅନଶନ। ଜନ ଆନ୍ଦୋଳନ। ନଚେତ୍ ପରିବାର ସହ ଆତ୍ମହୁତି। ଏଭଳି ୩ଟି ଧମକ ଦେଇଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ୍ ଅଟୋଚାଳକ ସଂଘ। କରୋନା କାଳରେ ଇନ୍ସ୍ୟୁରାନ୍ସ କମ୍ପାନୀମାନଙ୍କର ଚକ୍ରବର୍ତ୍ତୀ ସୁଧ ମାଡରେ ଘାଇଲା ଅଟୋ ଚାଳକମାନେ ଆଜି ରାଜଧାନୀରେ ବିକ୍ଷୋଭ କରିଛନ୍ତି। ଦାବି ପୂରଣ ନହେଲେ ଉପରୋକ୍ତ ୩ଟି ବାଟ ଆପଣେଇେ ବୋଲି ଚେତାବନୀ ଦେଇଛନ୍ତି। ହାତରେ ଥାଳି, କଂସା, ଆଉ ତାଟିଆ ଧରି ଅଭିନବ ଉପାୟରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ୭ ହଜାରରୁ ଅଧିକ ଅନଲାଇନ୍ ଅଟୋ ଚାଳକ ରହିଛନ୍ତି। ଯେଉଁମାନେ କି ବିଭିନ୍ନ ଆପ୍ ଜରିଆରେ ଗ୍ରାହକମାନଙ୍କୁ ନିଜ ନଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ପ୍ରଥମେ ୮ ମାସ ଆଉ ଦ୍ୱିତୀୟ ଲହରରେ ୨ ମାସ ଲକଡାଉନ୍ ପାଇଁ ସମ୍ପୁର୍ଣ୍ଣ ବେପାର ଠପ୍ ହୋଇଯାଇଛି।
ଏମାନଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି। ବେଶୀ ଯନ୍ତ୍ରଣା ଦେଉଛି ଇନସ୍ୟୁରାନ୍ସ କମ୍ପାନୀମାନଙ୍କର ଚକ୍ରବର୍ତ୍ତୀ ସୁଧହାର। ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସେଥିପାଇଁ ଏଭଳି ବିକ୍ଷୋଭ ମାଧ୍ୟମରେ ସରକାର ଅଟୋ ଚାଳକମାନଙ୍କର ଦୁଃଖ ବୁଝିବା ପାଇଁ ଦାବି କରିଛନ୍ତି।