ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୋଭିଡ୍ ଯୋଗୁ ବନ୍ଦ ଥିବା ପୁରୀ-ସମ୍ବଲପୁର ଇଣ୍ଟରସିଟି ଟ୍ରେନ୍ ରାମନବମୀରୁ ଗଡ଼ିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଆଜି ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ ଓଡ଼ିଶା ବିଜେପି ବିଧାୟକ ଦଳ। ଏହି ସମୟରେ ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିଧାୟକମାନେ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।
ରେଳ ମନ୍ତ୍ରୀଙ୍କୁ ଭେଟିବା ପରେ ଜୟନାରାୟଣ ମିଶ୍ର କହିଥିଲେ, ଓଡ଼ିଶା ବହୁ ରାଜସ୍ୱ ଦେଉଛି। ଏହା ସତ୍ତ୍ୱେ ଜାତୀୟ ହାରଠାରୁ ଓଡ଼ିଶାରେ ରେଲୱେ ଲାଇନ୍ କମ୍ ରହିଛି। ପ୍ରଥମେ ଜାତୀୟ ହାର ସହିତ ସମକକ୍ଷ କରିବାକୁ ଦାବି କରିଥିଲୁ। ଏଥିରେ ମନ୍ତ୍ରୀ ରାଜି ହୋଇଛନ୍ତି। ଏହାଛଡ଼ା ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି ଜିଲ୍ଲାରେ ଥିବା ସମସ୍ୟା ସମ୍ପର୍କରେ ବିଧାୟକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୟପୁର-ନବରଙ୍ଗପୁର, ଖୋର୍ଦ୍ଧା-ବଲାଙ୍ଗିର, ଅନୁଗୋଳ-ସୁକିନ୍ଦା ଲାଇନ୍ ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେ ଆହୁରି କହିଥିଲେ-“କେନ୍ଦ୍ରର ଜଳଶକ୍ତି ଯୋଜନାକୁ ରାଜ୍ୟ ସରକାର ବସୁଧା ଲେଖି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲେଖି ଦେଉଛନ୍ତି। ଏମିତି ଅନେକ ଯୋଜନାକୁ ହଡପ୍ କରିଦେବାକୁ ଉଦ୍ୟମ କରାଯାଉଛି। ଏହା ଯେମିତି ଭବିଷ୍ୟତରେ ନହେବ, ତାହା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ। ଆଗାମୀ ଦିନରେ ଆମେ ପୁଣି ଦିଲ୍ଲୀ ଆସିବୁ। ଓଡ଼ିଶାକୁ କେନ୍ଦ୍ରୀୟ ଯୋଜନା ଅଧିକ କେମିତି ଆସିବ, ତାହା ପାଇଁ ଉଦ୍ୟମ କରିବୁ।”
ସୂଚନାଯୋଗ୍ୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ରାଜ୍ୟ ବିଧାୟକ ଦଳ ଭେଟି ଆଲୋଚନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।