ପୁରୀ (ଓଡ଼ିଶା ରିପୋର୍ଟର): ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର। କୋଭିଡ୍ ଯୋଗୁ ସାନିଟାଇଜ୍ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା l ତେବେ ଏହି କଟକଣାକୁ ଆଜି ହଟାଇ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l
ଆସନ୍ତା ରବିବାର ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରୁ ପ୍ରତ୍ୟେକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ l ସେହିପରି ମଙ୍ଗଳ ଆଳତି ଓ ବଡ଼ ସିଂହାର ସମୟରେ ଦର୍ଶନ ଉପରେ ଲାଗିଥିବା କଟକଣାକୁ ମଧ୍ୟ ଉଠାଇ ଦିଆଯାଇଛି। ଦ୍ୱାରଫିଟା ଠାରୁ ପହଡ଼ ନୀତି ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏହା ସହିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।
ଆଜିର ବୈଠକରେ ଆସନ୍ତା ଦୋଳ ପୂର୍ଣିମା ନୀତି ନିର୍ଘଣ୍ଟକୁ ମଧ୍ୟ ଅନୁମୋଦନ କରାଯାଇଛି l ଶ୍ରୀମନ୍ଦିର ସୁରକ୍ଷା କରିଡର ନିର୍ମାଣ ବ୍ୟବସ୍ଥାକୁ ଛତିଶା ନିଯୋଗ ବୈଠକରେ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି। ଏହି ପ୍ରକଳ୍ପକୁ ନେଇ ବିଭ୍ରାନ୍ତ ନ କରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଛି।