‘ତୁ ତ ମୁଣ୍ଡି, ବିଧାୟକଙ୍କୁ କହି ୨୦ ହଜାର ଆଣେ’

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ‘ଡିସେମ୍ବର ୨୦ ତାରିଖରେ କଲେଜର ବାର୍ଷିକ ଉତ୍ସବ। ତୁ ତ ମୁଣ୍ଡି, ବିଜୁ ଛାତ୍ର ଜନତା ଦଳର କନଭେନର ଅଛୁ, ତତେ ଜଣାଇବାକୁ ପଡ଼ିବ। ତତେ ଯେମିତି ହେଲେ ବିଧାୟକଙ୍କୁ କହି ୨୦ ହଜାର ଟଙ୍କା ଆଣି ଦେବାକୁ ପଡ଼ିବ। ୯୦ ହଜାର ଟଙ୍କା କଲେଜ ପାଣ୍ଠିରୁ ମିଳିବ, ବାକି ତୁ ବିଧାୟକଙ୍କୁ କହି କି ଆଣେ। ଏଭଳି ନ କରିବାରୁ ରାଗରଖି ରାଗିଂ କରାଯାଇଛି। ମାଡ଼ ମରାଯାଇଛି।’ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର […]

khalikota

  • Published: Saturday, 03 December 2022
  • , Updated: 03 December 2022, 05:29 PM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ‘ଡିସେମ୍ବର ୨୦ ତାରିଖରେ କଲେଜର ବାର୍ଷିକ ଉତ୍ସବ। ତୁ ତ ମୁଣ୍ଡି, ବିଜୁ ଛାତ୍ର ଜନତା ଦଳର କନଭେନର ଅଛୁ, ତତେ ଜଣାଇବାକୁ ପଡ଼ିବ। ତତେ ଯେମିତି ହେଲେ ବିଧାୟକଙ୍କୁ କହି ୨୦ ହଜାର ଟଙ୍କା ଆଣି ଦେବାକୁ ପଡ଼ିବ। ୯୦ ହଜାର ଟଙ୍କା କଲେଜ ପାଣ୍ଠିରୁ ମିଳିବ, ବାକି ତୁ ବିଧାୟକଙ୍କୁ କହି କି ଆଣେ। ଏଭଳି ନ କରିବାରୁ ରାଗରଖି ରାଗିଂ କରାଯାଇଛି। ମାଡ଼ ମରାଯାଇଛି।’ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଛାତ୍ର ଏଭଳି ଅଭିଯୋଗ କରିବା ସହ ଥାନାରେ ଏତଲା ଦେଇଛନ୍ତି। ଆଜି ଏନେଇ ଏତଲା ପାଇବା ପରେ କଲେଜ କ୍ୟାମ୍ପସରେ ପହଞ୍ଚି ତନାଘନା କରୁଛି ପୁଲିସ।

କିଛି ଦିନ ତଳେ ଶିକ୍ଷା ଅନୁଷ୍ଠାନରେ ରାଗିଂକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଚର୍ଚ୍ଚାରେ ଥିବା ବେଳେ ଏବେ ଖଲ୍ଲିକୋଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କଲେଜ କ୍ୟାମ୍ପସରେ ଜଣେ ସିନିୟର ଛାତ୍ର ଦାଦାଗିରି କରିବା ସାଙ୍ଗକୁ ଓ ଅଣଛାତ୍ରଙ୍କ ସହ ଆସି ଅନ୍ୟ ଛାତ୍ରମାନଙ୍କୁ ଧମକଚମକ ଦେଇ ମାଡ଼ ମରୁଥିବା ଅଭିଯୋଗ ହୋଇଛି।

ରାଗିଂର ଶିକାର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ସୌଭାଗ୍ୟଜିତ ଆଚାର୍ଯ୍ୟ କହିଛନ୍ତି, ଗତମାସ ୩୦ ତାରିଖରେ ସେ କଲେଜ କ୍ୟାମ୍ପସରେ କ୍ଲାସ କରିବା ନିମନ୍ତେ ଯାଉଥିବା ବେଳେ ଜଣେ ବହୁ ସିନିୟର ଛାତ୍ର ଡାକିଥିଲେ। ଡିସେମ୍ବର ୨୦ରେ କଲେଜର ବାର୍ଷିକ ଉତ୍ସବ ହେଉଥିବାରୁ ବିଧାୟକଙ୍କୁ କହି ୨୦ ହଜାର ଟଙ୍କା ଆଣିବାକୁ କହିଥିଲେ। ସେ ଏହାର ବିରୋଧ କରିଥିଲେ। କଲେଜ ପାଣ୍ଠିର ବ୍ୟବହାର କରିବାକୁ ମତ ଦେଇଥିଲେ। ଯଦି ବିଧାୟକ ଆସିବେ ତେବେ ତାଙ୍କୁ ମୁଖ୍ୟ ଅତିଥି କରାଯିବ କି ବୋଲି ପ୍ରଶ୍ନ ପଚାରିଥିଲେ। ହେଲେ ଉକ୍ତ ସିନିୟର ଛାତ୍ର ଜଣକ ପ୍ରିନ୍ସପାଲଙ୍କୁ ମୁଖ୍ୟ ଅତିଥି କରାଯିବ ବୋଲି କହିଥିଲେ। ତେଣୁ ସେ ବିଧାୟକଙ୍କୁ ଠାରୁ ଟଙ୍କା ଆଣିବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ଏହାକୁ ନେଇ ରାଗ ରଖି ଦିନକ ତଳେ ତାଙ୍କୁ କ୍ୟାମ୍ପସରେ ଏହି ସିନିୟର ଛାତ୍ର ଓ ତାଙ୍କ ସହ ଥିବା ଅଣଛାତ୍ର ମାଡ଼ ମାରିଥିଲେ। ସାଙ୍ଗମାନେ ପହଞ୍ଚି ତାଙ୍କୁ ଏହି ସମୟରେ ଉଦ୍ଧାର କରିଥିଲେ। ଏନେଇ ସେ ପ୍ରିନ୍ସପାଲଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ କଲେଜର ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ପିନ୍ସପାଲଙ୍କ ସହ ଅଲୋଚନା କରିଛି। ତେବେ ଏନେଇ ପୁଲିସର କିମ୍ବା ପ୍ରିନ୍ସପାଲଙ୍କ ପ୍ରତିକ୍ରିୟା ମିଳିପାରିନି।

Related story