Advertisment

ସମ୍ବଲପୁର ହିଂସା ଘଟଣା: ଆରଡିସିଙ୍କୁ ସାକ୍ଷାତ ପାଇଁ ଯାଉଥିବା ବିଜେପି ଟିମ୍‌ ଥାନାରେ ଅଟକ

ଏହି ଟିମ୍‌ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଠେଲକୁଲି ଥାନା ପୁଲିସ୍‌ ବାଟରୁ ସେମାନଙ୍କୁ ଅଟକାଇଥିଲା। ଏପରିକି ଆଉ ଆଗକୁ ଯାଇ ପାରିବେନି କହି ଥାନାକୁ ନେଇଯାଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Police detained bjp team

Police detained bjp team

ସମ୍ବଲପୁର ଦଙ୍ଗାରେ ମୃତ ଯୁବକଙ୍କ ଭେଟିବାକୁ ଯାଉଥିବା ବିଜେପି ଟିମ୍‌କୁ ଅଧା ବାଟରୁ ଅଟକାଇ ଠେଲକୁଲି ଥାନାକୁ ଟେକିନେଲା ପୁଲିସ୍‌। ବିଜେପି ଟିମ୍‌ରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପରି ଜନ ପ୍ରତିନିଧି ଥିଲେ ବି ସେମାନଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍‌। ଅଟକ ରଖିବାର କାରଣ ପୁଲିସ୍‌ ନିଜେ କହି ପାରୁ ନ ଥିବା ବେଳେ ଛାଡ଼ିବା ନାଁ ବି ଧରୁନି। ଏହି ଘଟଣାକୁ ସଂସଦରେ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ସୁରେଶ ପୂଜାରୀ।

Advertisment

ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ଟେକାପଥର ମାଡ଼କୁ ନେଇ ସମ୍ବଲପୁର ସହରରେ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ଏହି ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସାଧାରଣ ଲୋକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୁଲିସ୍‌ ବି ଆହତ ହୋଇଥିଲେ। ଏହାପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରିଥିବା ବେଳେ ଇଣ୍ଟରନେଟ ସେବା ବ୍ୟାହତ କରିଥିଲା।

ଆଜି ସକାଳେ କର୍ଫ୍ୟୁ କୋହଳ ଥିବା ବେଳେ ଦଙ୍ଗାରେ ମୃତକ ଓ ଗୁରୁତରଙ୍କ ପରିବାରକୁ ଭେଟିବା ସହ ଆରଡିସିଙ୍କୁ ସାକ୍ଷାତ କରିବାକୁ ଯାଉଥିଲା ବିଜେପିର ହେଭିୱେଟ ଟିମ୍‌। ଏଥିନିମନ୍ତେ ଗତକାଲିଠୁ ଆରଡିସିଙ୍କ ସହ ଆଲୋଚନା ହୋଇଥିବା ବେଳେ ସମୟ ନିର୍ଘଣ୍ଟ ହୋଇ ସାରିଥିଲା ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ।

Advertisment

ଏହି ଟିମ୍‌ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱରର ଟୁଡୁ, ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାୟକ, କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ସାମିଲ ଥିଲେ। ଏହି ଟିମ୍‌ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଠେଲକୁଲି ଥାନା ପୁଲିସ୍‌ ବାଟରୁ ସେମାନଙ୍କୁ ଅଟକାଇଥିଲା। ଏପରିକି ଆଉ ଆଗକୁ ଯାଇ ପାରିବେନି କହି ଥାନାକୁ ନେଇଯାଇଥିଲା। ସେଠାରେ ବିଜେପିର ବହୁ ହେଭିୱେଟ ନେତାଙ୍କୁ ପୁଲିସ୍‌ ଅଟକାଇଥିବା ବେଳେ ସେମାନଙ୍କର ଦୋଷ କ’ଣ ତଥା କାହା ନିର୍ଦ୍ଦେଶରେ ଅଟକା ଯାଇଛି ସେ ନେଇ ପାଟି ଖୋଲୁନି ପୁଲିସ୍‌।

 ବିଜେପି ଟିମ୍‌ ୧୪୪ ଧାରା ଭଙ୍ଗ କରିଛନ୍ତି । ପଚରାଉଚରା ପାଇଁ ସେମାନଙ୍କୁ ଠେଲକୁଲି ଥାନାକୁ ନିଆଯାଉଛି ବୋଲି କହିଛନ୍ତି ଆଡିସନାଲ ଏସପି ତପନ ମହାନ୍ତି ।

ବିଜେପି ଟିମ୍‌ ସହ ଆରଡିସିଙ୍କ ସାକ୍ଷାତ ନିମନ୍ତେ ଗତକାଲିଠୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସମ୍ବଲପୁର ସ୍ଥିତି ନେଇ ବିଜେପିର ତୁଙ୍ଗ ନେତା ଆରଡିସିଙ୍କ ସହ ଆଲୋଚନା କରିବାକୁ ଯାଉଥିଲେ । ମାତ୍ର ଆଜି ସକାଳେ କର୍ଫ୍ୟୁ କୋହଳ ଥିବା ସତ୍ତ୍ୱେ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ଚେକିଂ ଓ ବ୍ଲକିଂ କରିଥିଲା ପୁଲିସ୍‌ । ଯାନବାହାନର କଡ଼ାକଡ଼ି ଯାଞ୍ଚ କରିବା ସହିତ ଲୋକଙ୍କୁ ପଚରାଉଚରା କରୁଥିଲା । ଏହାପରେ ବିଜେପି ଟିମ୍‌ ଗାଡ଼ିକୁ ଅଟକାଇ ସେଥିରୁ ନେତାମାନଙ୍କୁ ଥାନାକୁ ନେଇଥିଲା। ଏହାପରେ କିନ୍ତୁ ଉକ୍ତ ସ୍ଥାନରେ ଆଉ କୌଣସି ପୁଲିସ୍‌ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିବା ବେଳେ ଚେକିଂର ନାଁ ଗନ୍ଧ ନ ଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଟିମ୍‌ ନେତୃବୃନ୍ଦ।

 ସାଂସଦ ସୁରେଶ ପୂଜାରୀ କହିଛନ୍ତି, କଲେକ୍ଟରଙ୍କୁ ନିଜ କ୍ଷମତା ବିଷୟରେ ଜଣା ନାହିଁ। କର୍ଫ୍ୟୁ କୋହଳ ସମୟରେ ଆମେ ଆମ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲୁ। ମାତ୍ର ଆମକୁ ଅଟକାଇ ଜିଲ୍ଲାପାଳ କହିଲେ, କୋହଳ ଆପଣଙ୍କ ପାଇଁ ଲାଗୁ ନୁହେଁ। ସକାଳ ୧୦ଟାରେ ଆରଡିସି ଆଲୋଚନା ପାଇଁ ଆମକୁ ଡାକିଥିଲେ। ହେଲେ ଏହା ପୂର୍ବରୁ ପୁଲିସ୍‌ ଆମକୁ ଟେକି ଆଣିଲା। କାଲିର ହଁ ଆଜିର ନା ହୋଇଗଲା । ଜିଲ୍ଲା ପ୍ରଶାସନ ଅଧିକାରଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଚେଷ୍ଟା କରିବି।

 ଏନେଇ ବିଧାୟିକା କୁସମ ଟେଡେ କହିଛନ୍ତି, ୧୨ ତାରିଖରେ ହୋଇଥିବା ହିଂସା ଘଟଣାରେ ଜଣେ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ତଥା ଆହତଙ୍କୁ ଭେଟିବାକୁ ଯିବା ବେଳେ ଆମକୁ ଅଟକ ରଖିଛି ପୁଲିସ୍‌। ତେବେ ପୁଲିସ୍‌ କ’ଣ ପାଇଁ ଆମକୁ ଅଟକ ରଖିଛି ତାହା ପୁଲିସ୍‌କୁ ବି ଜଣାନାହିଁ। ଏଥିନିମନ୍ତେ ନିହାତି ପକ୍ଷେ ଥାର୍ଡ ଫ୍ଲୋରରୁ ନିର୍ଦ୍ଦେଶ ଆସିଛି।

ବିଜେପି ଟିମକୁ ଛଡ଼ାନଯିବାକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହ କହିଛନ୍ତି, ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଆଦିବାସୀ । ମୃତାହତ ଲୋକ ବି ଆଦିବାସୀ । ହସ୍ପିଟାଲରେ ଚିକିତ୍ସାଧୀନ ଆଦିବାସୀ ପିଲାଟିକୁ ଭେଟିବାକୁ ଯାଉଥିଲି । କାଲିଠାରୁ ପ୍ରଶାସନକୁ କୁହାଯାଇଥିବା ବେଳେ ଆଜି ଆମକୁ କାହିଁକି ଅଟକାଉଛନ୍ତି। ଏସବୁ ଯାହା ହେଉଛି, ବ୍ରିଟିଶ ଶାସନଠାରୁ ବି ଅଧିକ ଲାଗୁଛି । ଜିଲ୍ଲା ପ୍ରଶାସନ ମୁଖ୍ୟ ଓ ପୁଲିସ ପ୍ରଶାସନ ମୁଖ୍ୟଙ୍କୁ ସସପେଣ୍ଡ କରାଯାଉ । ସସପେଣ୍ଡ କରାନଗଲେ, ଯାହା କରିବା କଥା ଆମେ କରିବୁ । ଏହା ଏକ ଅତ୍ୟନ୍ତ ଅତି ଦୁର୍ଭାଗ୍ୟଜନକ ଘଟଣା । ଏହି ଘଟଣା ସଂସଦରେ ଉଠାଯିବ ।

ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ପୁଲିସ ଅଧିକାରୀକୁ ତଣ୍ଟିଚିପି ହତ୍ୟା କରିସାରିଲେଣି ବୋଲି କହି ରାଜ୍ୟ ସରକାରଙ୍କ ପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି, ଗତକାଲି ରାଜ୍ୟ ସଭାପତି ଓ ବରଗଡ଼ ସାଂସଦ ଆରଡିସିଙ୍କ ସହ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ସେ ଆଲୋଚନା ପାଇଁ ସମୟ ଦେଇଥିଲେ। ଏଥିସହ ହନୁମାନ ଜୟନ୍ତୀରେ ମରଣାନ୍ତକ ଆକ୍ରମଣର ଶିକାର ହୋଇ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦାମୋଦର କରଙ୍କ ପରିବାରକୁ ଭେଟିବାକୁ ଯାଉଥିଲୁ। ହେଲେ ଆମକୁ ବାଟରୁ ଅଟକାଇ ଥାନାକୁ ନେଇ ଯାଇଛନ୍ତି।

ବିଜେପି ଟିମ୍‌କୁ ପୁଲିସ୍‌ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ପୁଲିସ୍‌ ଥାନାରେ ଅଟକ ରଖିଥିବା ବେଳେ ଥାନା ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହି ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ  ବିଜେପି କର୍ମୀ ଓ ସମର୍ଥକ ଠେଲକୁଲି ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। 

Bjp Sambalpur Police Tension Situation