ଅନୁଗୋଳ(ବିରଜା ପ୍ରସାଦ ଦାସ): ପ୍ରଚାର ନିମନ୍ତେ ଘରୁ ବାହାରି ଆଉ ଫେରି ନାହାନ୍ତି ସରପଞ୍ଚ ପ୍ରାର୍ଥୀ। ଚାରିଆଡ଼େ ଖୋଜାଖୋଜି କରି ନ ପାଇବାରୁ ଶେଷରେ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଏପରି ଘଟଣା ଅନୁଗୁଳ ଜିଲ୍ଲା ମାଛକୁଟା ପଞ୍ଚାୟତରେ ଘଟିଛି। ନିଖୋଜ ସରପଞ୍ଚ ପ୍ରାର୍ଥୀ ହେଲେ ମନୋଜ କୁମାର ସେଠୀ । ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ।
ସୂଚନା ଅନୁଯାୟୀ, ମାଛକୁଟା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଏଥର ମଇଦାନରେ ମନୋଜ କୁମାର ସେଠୀଙ୍କ ସମେତ ୬ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି । ଫଳରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେଉଥିବା ବେଳେ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ସମସ୍ତେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ମନୋଜ ପ୍ରଚାର ନିମନ୍ତେ ଘରୁ ବାହାରିଥିଲେ । ଏହାର ଘଣ୍ଟାକ ପରେ ଅର୍ଥାତ ସନ୍ଧ୍ୟା ୬ଟାରୁ ତାଙ୍କ ଫୋନ୍ ସୁଇଚ ଅଫ୍ ଆସିଲା। ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ସମର୍ଥକ ଓ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ନ ମିଳିବାରୁ ଏନେଇ ସେମାନ ଥାନାରେ ଅଭିଯୋଗ କରିଛନ୍ତି ।
ମନୋଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ତାଙ୍କୁ ଏଥିରୁ ଓହରି ଯିବାକୁ ପୂର୍ବରୁ ଧମକଚମକ, ଗାଳିଗୁଲଜ ଦିଆଯାଉଥିବା ନେଇ ପୁଲିସ୍କୁ ଜଣାଇଛନ୍ତି ତାଙ୍କ ପତ୍ନୀ ରଶ୍ମୀତା ସେଠୀ। ହେଲେ ମନୋଜ ଏହାକୁ ଖାତିର ନ କରି ନିଜ ପ୍ରଚାର କାର୍ଯ୍ୟ ଚଳାଇଥିବାରୁ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରଶ୍ମୀତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜାଖୋଜି ଆରମ୍ଭ କରିଛି।