ଓମିକ୍ରନ ମାଡ଼ୁଛି, ଜାରି ହେବ ଚିକିତ୍ସା ପ୍ରୋଟୋକଲ: ସ୍ଥିତି ସମ୍ଭାଳିବାକୁ ଜିଲ୍ଲାକୁ ଯିବେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ସ୍ଥିତିର ମୁକାବିଲା ପାଇଁ ଆସନ୍ତା ୧୦ଦିନ ମଧ୍ୟରେ ସମସ୍ତ କୋଭିଡ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାର ଖଉବଶୀଘ୍ର ଓମିକ୍ରନ ପାଇଁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରିବେ । ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କୋଭିଡ୍ ମୁକାବିଲାର ସମୀକ୍ଷା କରି ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଦ୍ୱିତୀୟ ଲହରୀର ସର୍ବୋଚ୍ଚସ୍ତରରେ ଯେତିକି ବେଡ୍ ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତିକମରେ ସେତିକି ପରିମାଣର ବେଡ୍ ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ସଂକ୍ରମଣକୁ ହ୍ରାସ କରିବା ପାଇଁ ଉଚିତ୍ ମାତ୍ରାରେ କଟକଣା ଜାରି କରିବାକୁ ପଡ଼ିବ । ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ କୋଭିଡ୍ ନିୟମର ଦୃଢ଼ ଅନୁପାଳନ ଓ ଦାୟିତ୍ୱରେ ଥିବା ଅପିସରମାନଙ୍କୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ପୁଣିଥରେ ନିବେଦନ କରିଛନ୍ତି ।

କ୍ୟାମ୍ପେନ ମୋଡରେ କାମ କରି ଟିକାକରଣ ଟାର୍ଗେଟକୁ ପୂରଣ କରିବା ସହ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗତ ଲହରୀ ସମୟରେ ଅକ୍ସିଜେନ୍ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏବେ ପୁଣିଥରେ ଅଧିକାରୀମାନଙ୍କ ବିଭିନ୍ନ ମନିଟରିଂ ଗ୍ରୁପ୍ ଓ ଜିଳ୍ଲାସ୍ତରୀୟ ପର୍ଯ୍ୟବେକ୍ଷକ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି ତେଣୁ ସବୁ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଓମିକ୍ରନର ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଆବଶ୍ୟକ ପରିମାଣର ଔଷଧ, ବେଡ୍ ଓ ଅକ୍ସିଜେନ୍ ମହଜୁଦ ରହିଛି ବୋଲି କହିଛନ୍ତି।

ଏହି ବୈଠକରେ ପୁଲିସ ଡିଜି ସୁନୀଲ ବଂଶଲଙ୍କ ସମେତ ସୁନ୍ଦରଗଡ଼, ବଲାଙ୍ଗିର,ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାପାଳଙ୍କ ସମେତ କଟକ ଓ ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।