ବାତ୍ୟା ‘ଜୱାଦ’ : ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ପାଇଁ ୬ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆଜି ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ତା’ର ବ୍ଲକୱାରି ତଥ୍ୟ ହ୍ୱାଟସଅପ୍ ମାଧ୍ୟମରେ ପ୍ରତି ଘଣ୍ଟାରେ ଜଣାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ କହିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା […]

cyclone

Ordigital Desk
  • Published: Friday, 03 December 2021
  • , Updated: 03 December 2021, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆଜି ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ତା’ର ବ୍ଲକୱାରି ତଥ୍ୟ ହ୍ୱାଟସଅପ୍ ମାଧ୍ୟମରେ ପ୍ରତି ଘଣ୍ଟାରେ ଜଣାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ କହିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ପବନ ଓ ଜୁଆର ମାଡ଼ି ଆସିବାର ଆଶଙ୍କା ଥିବାରୁ ଝୁମ୍ପୁଡ଼ି, ମାଟି ଘରେ ଓ ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନ୍ତାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଲୋକମାନଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଅବା ଅନ୍ୟ ନିରାପଦ କୋଠାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଏହି ସବୁ ଆଶ୍ରୟ ସ୍ଥଳୀଗୁଡ଼ିକରେ ଖାଦ୍ୟ, ପିଇବା ପାଣି, ଆଲୋକ, ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାକୁ ମଧ୍ୟ କୁହାଯାଇଛି । ଏହି ସ୍ଥାନାନ୍ତର ପ୍ରକ୍ରିୟା ଆଜି ନିଶ୍ଚିତ ଭାବେ ଆରମ୍ଭ କରି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଶ୍ରୀ ଜେନା ଆଜି ବିଳମ୍ବିତ ସନ୍ଧ୍ୟାରେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ବାହିନୀର ମୋଟ ୨୪୦ଟି ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି । ସେମାନେ ସ୍ଥାନୀୟ ପ୍ରଶାସନକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ । ଏହାସହିତ ସ୍ଥାନୀୟ ପୁଲିସ, ପଂଚାୟତ ପ୍ରତିନିଧି, ମହିଳା ଏସଏଚଜି, ଗାଁ ସ୍ୱେଚ୍ଛାସେବୀମାନେ ମଧ୍ୟ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମୋଟ ୨୬୬ଟି ସହାୟତା ଟିମ୍ ଗଠନ କରିଥିବାବେଳେ ସେଥିରୁ ୨୪୦ଟି ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇସାରିଛି । ଏନଡିଆରଏଫ ଟିମ୍ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍‌, ଖୋର୍ଦ୍ଧାରେ ୨ଟି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଯାଜପୁର ଓ ଗଜପତି ଜିଲ୍ଲାରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ ହୋଇସାରିଛନ୍ତି । ଅଧିକ ଏନଡିଆରଏଫ ଟିମ୍‌କୁ ଏବେ ଷ୍ଟାଣ୍ଡବାଏରେ ରଖାଯାଇଛି । ଆସନ୍ତାକାଲି ଆଉ କିଛି ଟିମ୍ ପୁରୀ ଜିଲ୍ଲାକୁ ପଠାଯାଇପାରେ ବୋଲି ସୂଚନା ମିଳିଛି ।

Related story