ଥରେ ରୋଗ ଆକ୍ରାନ୍ତ କଲେ ୧୨ ଦିନ ଯାଏଁ ଠିଆ ହୋଇ ରହୁଛନ୍ତି ଗୋରୁ, ତଳେ ପଡ଼ି ଜୀବନ ଯାଉଛି

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଥରେ ରୋଗ ଆକ୍ରାନ୍ତ କଲେ ୧୨ ଦିନ ଯାଏଁ ଠିଆ ହୋଇ ରହୁଛନ୍ତି ଗୋରୁଗାଈ। କିଛି ଖାଉନାହାନ୍ତି। ନାକବାଟେ ନାଳ ଓ ଫେଣ ଅନବରତ ଗଳୁଛି। ହଠାତ୍ ଗୋରୁଗାଈମାନେ ତଳେ ପଡ଼ି ଯାଉଛନ୍ତି ଓ ଜୀବନ ହରାଉଛନ୍ତି। କଟକ ଜିଲ୍ଲାପୁର ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଭାବେ ଶତାଧିକ ଗୋରୁଗାଈଙ୍କ ଜୀବନ ନେବାରେ ଲାଗିଛି ଅଜଣା ରୋଗ। ଯାହାକୁ ନେଇ ଗୋପାଳନ କରୁଥିବା ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି। ଗାଁ […]

cow

  • Published: Wednesday, 11 January 2023
  • , Updated: 11 January 2023, 06:13 PM IST

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଥରେ ରୋଗ ଆକ୍ରାନ୍ତ କଲେ ୧୨ ଦିନ ଯାଏଁ ଠିଆ ହୋଇ ରହୁଛନ୍ତି ଗୋରୁଗାଈ। କିଛି ଖାଉନାହାନ୍ତି। ନାକବାଟେ ନାଳ ଓ ଫେଣ ଅନବରତ ଗଳୁଛି। ହଠାତ୍ ଗୋରୁଗାଈମାନେ ତଳେ ପଡ଼ି ଯାଉଛନ୍ତି ଓ ଜୀବନ ହରାଉଛନ୍ତି। କଟକ ଜିଲ୍ଲାପୁର ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଭାବେ ଶତାଧିକ ଗୋରୁଗାଈଙ୍କ ଜୀବନ ନେବାରେ ଲାଗିଛି ଅଜଣା ରୋଗ। ଯାହାକୁ ନେଇ ଗୋପାଳନ କରୁଥିବା ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି। ଗାଁ ଗାଁରେ ଏବେ ଶ୍ମଶାନ ନିକଟରେ ଦେଖିବାକୁ ମିଳୁଛି ଗାଈଗୋରୁଙ୍କ ଶବ।

ଗୋପାଳକ ପାର୍ବତୀ ରାଉତ ଓ ପ୍ରମୋଦ ରାଉତଙ୍କ କହିବା ମୁତାବକ, ଗୋରୁଗାଈଙ୍କ ଦେହ ସାରା କଳା କଳା ହୋଇ ଗେଟି ହୋଇଯାଉଛି। ସେଥିରୁ ପୂଜପାଣି ବାହାରୁଛି। ରୋଗ ଆକ୍ରାନ୍ତ କରିବା ପରେ ଗୋରୁଗାଈମାନେ ଛଟପଟ ହୋଇ ପ୍ରାଣ ହରାଉଛନ୍ତି। ଗାଁ ଗହଳିରେ ଗୋରୁଗାଈ ଚିକିତ୍ସା କରୁଥିବା ଗୋସେବକମାନେ ଦେଉଥିବା ଔଷଧ କାମ କରୁନି। ପ୍ରଶାସନ ପକ୍ଷରୁ ପ୍ରାଣୀ ଚିକିତ୍ସା ଡାକ୍ତରମାନେ ନାଁ ରୋଗ ଦେଖିବାକୁ ଆସୁଛନ୍ତି, ନା ଔଷଧ ଦେଉଛନ୍ତି। ତେଣୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି। ଏଥିପାଇଁ ଗୋପାଳନ କରୁଥିବା ଲୋକେ ପ୍ରଚୁର ଅର୍ଥ ଖର୍ଚ୍ଚ କରି କ୍ଷତିଗ୍ରସ୍ତ ହେଉଛନ୍ତି।

ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତନ୍ମୟ କୁମାର ମହାନ୍ତି କହିଛନ୍ତି, ଏହାକୁ ଚର୍ମ ବିଣ୍ଡି ରୋଗ ବୋଲି କୁହାଯାଏ। ଏହା ଏକ ବାୟୁ ବାହିତ ଭୂତାଣୁ ଜନିତ ରୋଗ। ଏହାକୁ ଲମ୍ପି ସ୍କିନ୍ ଡିଜିଜ୍‌ ବୋଲି ମଧ୍ୟ କୁହାଯାଏ। ଏହା ହାଡ଼ଫୁଟି ଭଳି ରୋଗ। ରୋଗ ଆକ୍ରାନ୍ତ ହେଲେ ଚର୍ମରେ ଆବୁ ଭଳି ଦେଖାଯାଏ। ଆବୁଗୁଡ଼ିକ ଭିତରେ ପୂଜ ହୁଏ। ଏହା ଶୁଖି ଖୋଳପା ଛାଡ଼ି ଯିବା ପରେ ଗୋରୁ ସୁସ୍ଥ ହୋଇଯାଏ। ଏହି ରୋଗରେ ଗୋରୁ ମରେ ନାହିଁ। ଏହି ରୋଗ ବାୟୁମଣ୍ଡଳ ଦ୍ୱାରା ଓ ଆକ୍ରାନ୍ତ ଗୋରୁଙ୍କୁ ଛୁଇଁବା ଦ୍ୱାରା ବ୍ୟାପୀଥାଏ।

ଯେଉଁ ଗୋରୁମାନଙ୍କ ମୃତ୍ୟୁ ହୋଇଛି ସେମାନେ ଅନ୍ୟ ରକ୍ତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବେ। ବ୍ଲକର ବିଭିନ୍ନ ଅଞ୍ଚଳରେ ନିଯୁକ୍ତ ୧୨ ଜଣ ଲାଇଭ୍‌ ଷ୍ଟକ୍ ଇନ୍‌ସପେକ୍ଟରମାନେ ଲମ୍ପି ସ୍କିନ୍ ଡିଜିଜ୍ ରୋକିବାକୁ ଟୀକାକରଣ ଚଳାଇଛନ୍ତି। ଗୋଟାଏ ଗାଁ ପରେ ଅନ୍ୟ ଗୋଟିଏ ଗାଁକୁ ଯାଇ ସେମାନେ ଟୀକାକରଣ କରୁଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୩ ହଜାର ଗୋରୁଙ୍କୁ ଟୀକାକରଣ କରାଯାଇସାରିଲାଣି। ତେଣୁ ଦେଢ଼ମାସ ପୂର୍ବରୁ ଏହି ରୋଗର ଯେଉଁ ପ୍ରକୋପ ଥିଲା ତାହା କମିବାରେ ଲାଗିଛି। ଏହି ରୋଗକୁ ତୁରନ୍ତ ଭଲ କରିବା ନିମନ୍ତେ କୌଣସି ଚିକିତ୍ସା ନାହିଁ। କେବଳ ଆକ୍ରାନ୍ତ ଗୋରୁଙ୍କୁ ଭଲ କରିବା ନିମନ୍ତେ ଆଣ୍ଟିବାଟିକ୍ ଓ ଜ୍ୱର ପାଇଁ ଔଷଧ ଦିଆଯାଇପାରିବ। ଗୋପାଳନ କରୁଥିବା ଲୋକେ ସୁସ୍ଥ ଓ ଆକ୍ରାନ୍ତ ଗୋରୁଙ୍କ ଅଲଗା କରି ରଖିବା ଉଚିତ୍। ଆକ୍ରାନ୍ତ ଗୋରୁଙ୍କ ଦେହରେ ଗନ୍ଧକର୍ପୁର ନଡ଼ିଆ ତେଲ ଲଗାଇ ପାରିବେ। ନିମ୍ବପତ୍ର ଓ ହଳଦୀକୁ ବାଟି ଘାଁରେ ଦେଲେ ସୁଫଳ ମିଳିବ। ଯଦି ଏହି ରୋଗରେ ଗୋରୁଙ୍କ ଗୋଡ଼ ଫୁଲେ ତେବେ ଏହାର ପ୍ରତିକାର ନିମନ୍ତେ ଲାଇଫ୍ ଷ୍ଟକ୍ ଇନ୍‌ସପେକ୍ଟରମାନଙ୍କୁ ଆବଶ୍ୟକ ପ୍ରତିକାର ନିମନ୍ତେ ତାଲିମ ଦିଆଯାଇଛି। ଯେଉଁ ଗୋପାଳକମାନେ ଏହି ରୋଗ ନେଇ ବୁଝି ପାରୁନାହାନ୍ତି ଡାକ୍ତରଖାନା ଆସିଲେ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବ।

Related story