Advertisment

ପୁଳାପୁଳା କେସ୍ ଧରି ବି ସିବିଆଇର କଚ୍ଛପ ଗତି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବାପରେ ଓଡ଼ିଶାରେ ସିବିଆଇ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଥିଲା। କିନ୍ତୁ ସିବିଆଇର ମତିଗତି ଯାହା, ଓଡ଼ିଶାରେ ଏହା କେବଳ ‘କାଗଜ ବାଘ’ ହୋଇ ରହିବ ବୋଲି ଆକଳନ ହେଉଛି। ରାଜନୀତିକ ବାଧ୍ୟବାଧକତା କାରଣରୁ ବିଜେପି ଶୀର୍ଷ ନେତୃତ୍ୱ ସହ ବିଜେଡିର ଅଘୋଷିତ ବୁଝାମଣା ହିଁ ରାଜ୍ୟରେ ସିବିଆଇର ଗତିକୁ ମନ୍ଥର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରାଜ୍ୟରେ ବିଜେଡିର […]

ପୁଳାପୁଳା କେସ୍ ଧରି ବି ସିବିଆଇର କଚ୍ଛପ ଗତି !

CBI-office

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବାପରେ ଓଡ଼ିଶାରେ ସିବିଆଇ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଥିଲା। କିନ୍ତୁ ସିବିଆଇର ମତିଗତି ଯାହା, ଓଡ଼ିଶାରେ ଏହା କେବଳ ‘କାଗଜ ବାଘ’ ହୋଇ ରହିବ ବୋଲି ଆକଳନ ହେଉଛି। ରାଜନୀତିକ ବାଧ୍ୟବାଧକତା କାରଣରୁ ବିଜେପି ଶୀର୍ଷ ନେତୃତ୍ୱ ସହ ବିଜେଡିର ଅଘୋଷିତ ବୁଝାମଣା ହିଁ ରାଜ୍ୟରେ ସିବିଆଇର ଗତିକୁ ମନ୍ଥର କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ରାଜ୍ୟରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉଭା ହୋଇଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ବୃହତ୍ ଦଳ ଭାବେ ଉଭା ହୋଇଥିବା ବିଜେପି କିନ୍ତୁ ନିଜର ଜାତୀୟ ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ରାଜନୀତିକ ଗୋଟିଚାଳନା କରୁଛି। ଯାହାର ଫଳସ୍ୱରୂପ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ପାଇଁ ସିବିଆଇ ଅଭିଶାପ ପରିବର୍ତ୍ତେ ଆଶୀର୍ବାଦ ପାଲଟିଛି। କାରଣ ସିବିଆଇ ହାତରେ ଏବେ ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି, ଯାହା ରାଜ୍ୟରେ ରାଜନୀତିକ ହଟଚମଟ ସୃଷ୍ଟି କରିବା ସହ ବିଜେଡି ନେତୃତ୍ୱଙ୍କ ନିଦ ହଜାଇ ଦେଇପାରିବ।

ଚିଟଫଣ୍ଡ ଦୁର୍ନୀତି, ବ୍ଲାକରୋଜ୍ ଜାହାଜ ବୁଡ଼ି ଓ ଗ୍ୟାଙ୍ଗଷ୍ଟର ଟିଟୋର ପେଟ୍ରୋଲ ପମ୍ପ ଆବଣ୍ଟନ ଅନିୟମିତତାର ତଦନ୍ତ ଦାୟିତ୍ୱ ଏବେ ସିବିଆଇ କରୁଥିବାବେଳେ ଏହି ସମସ୍ତ ପ୍ରସଙ୍ଗ ସହ ବିଜେଡି ନେତାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ଅଭିଯୋଗ ହୁଏ। ତା’ଛଡ଼ା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଚାହିଁଥିଲେ ରାଜ୍ୟର ବହୁଚର୍ଚ୍ଚିତ ଖଣି ଦୁର୍ନୀତିର ତଦନ୍ତ ମଧ୍ୟ କରାଇପାରିଥାନ୍ତେ। ଏହି ସମସ୍ତ ଦୁର୍ନୀତିରେ ସିବିଆଇ ସକ୍ରିୟ ହୋଇଥିଲେ ରାଜ୍ୟର ସର୍ବବୃହତ୍ ଦଳ ବିଜେଡି ତାସ ଘର ଭଳି ଭୁଷୁଡ଼ି ପଡ଼ିବାର ଆଶଙ୍କା ରହିଛି। କିନ୍ତୁ ପରସ୍ପରର ରାଜନୀତିକ ସ୍ୱାର୍ଥ ପାଇଁ ଉଭୟ ବିଜେଡି ଓ ବିଜେପି ଏଭଳି ଏକ ଅଘୋଷିତ ବୁଝାମଣା କରିଛନ୍ତି ଯାହା ସିବିଆଇକୁ ରାଜ୍ୟରେ ସକ୍ରିୟ ହେବା ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଆଶଙ୍କା କରାଯାଉଛି। ଓଲଟା ଲୋକଙ୍କ ମନରେ ଏହି ‘ଅଘୋଷିତ ବୁଝାମଣା’ ଭୁଲ୍ ପ୍ରମାଣିତ କରାଇବା ପାଇଁ ବିଜେଡି ନିଜର ପ୍ରଭାବଶାଳୀ ଯୁବନେତାମାନଙ୍କୁ ‘ବଳି’ ପକାଇବାକୁ ବି ପଛାଉନାହିଁ।

Advertisment

ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ଏବଂ ସାଂସଦ ରାମଚନ୍ଦ୍ର ହାଁସଦା ଜେଲରୁ ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀ ସରୋଜ ସାହୁଙ୍କୁ ମଧ୍ୟ ସିବିଆଇ ଦୁଇଥର ଜେରା କରିସାରିଛି। ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସିବିଆଇ ନୋଟିସ୍ କରିସାରିଥିବାବେଳେ ଯୁବନେତା ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ସିବିଆଇ ନୋଟିସ୍ କରିଥିଲା। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ବିଜେଡି ଓ ବିଜେପି ଶୀର୍ଷ ନେତୃତ୍ୱ ରାଜ୍ୟରେ ରାଜନୀତିକ ହଟଚମଟ ସୃଷ୍ଟି କରି ନିଜସ୍ୱ ରାଜନୀତିକ ଫାଇଦା ନେବା ପାଇଁ ଦୁଇଜଣ ନେତା ଅରୁଣ ଓ ଅତନୁଙ୍କୁ ‘ବଳିବୋଦା’ ସଜାଇଥିବା ଆଶଙ୍କା କରାଯାଉଛି। ବିଜେପିଙ୍କ ନେତୃତ୍ୱଙ୍କ ସହ ଥିବା ସୁସମ୍ପର୍କର ଫାଇଦା ଉଠାଇ ବିଜେଡି ନେତୃତ୍ୱ ନିଜର ଏହି ଦୁଇ ଯୁବନେତାଙ୍କୁ ସିବିଆଇ ନୋଟିସ୍ ଧରାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସରୋଜ ସାହୁଙ୍କଠୁ ଆରମ୍ଭ କରି ସୂର୍ଯ୍ୟ ପାତ୍ରଙ୍କ ପର୍ଯ୍ୟନ୍ତ ଅନେକ ନେତାଙ୍କ ଆର୍ଥିକ ଦେଣନେଣର ପ୍ରମାଣ ସିବିଆଇ ପାଖରେ ଥାଇ ମଧ୍ୟ ତଦନ୍ତକାରୀ ସଂସ୍ଥା ନିରବ ରହିଛି।

ସେହିପରି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ସିବିଆଇ ହାତକୁ ନେଇଥିଲେ ମଧ୍ୟ ଏହି ତଦନ୍ତ ଅତ୍ୟନ୍ତ ଶିଥିଳ ହୋଇ ରହିଛି। ବ୍ଲାକରୋଜ୍ ଜାହାଜରେ ଥିବା ବେଆଇନ ଖଣିଜ ସାମଗ୍ରୀର ମାଲିକଙ୍କୁ ନୋଟିସଟିଏ ପଠାଇବାରେ ସିବିଆଇ ସକ୍ଷମ ହୋଇନି। ଏହି ତଦନ୍ତ ଆରମ୍ଭ ହେଲେ ବିଜେଡିର ଅନେକ ପ୍ରଭାବଶାଳୀ ନେତାଙ୍କ ଅଡ଼ୁଆ ବଢ଼ିବ ଓ ବିଜେଡିରେ କମ୍ପନ ସୃଷ୍ଟି ହେବାର ଆଶଙ୍କା ରହିଛି।

ସେହିପରି ଇଣ୍ଡିଆନ ଅଏଲ ପକ୍ଷରୁ ଗ୍ୟାଙ୍ଗଷ୍ଟର ଟିଟୋ ଓ ତା’ ପରିବାର ନାଁରେ ଆବଣ୍ଟନ ହୋଇଥିବା ଦୁଇଟି ପେଟ୍ରୋଲ ପମ୍ପ ପଛର ରହସ୍ୟକୁ ସିବିଆଇ ତଦନ୍ତ କଲେ ଉପକୂଳ ଓଡ଼ିଶାର କିଛି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିବ। କିଛି ନେତାଙ୍କୁ ମଧ୍ୟ ଏଥିପାଇଁ ଜେଲ ଯିବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ସିବିଆଇ ନିରବ ରହିଛି।

ଚିଟଫଣ୍ଡ ଦୁର୍ନୀତିରେ ସରୋଜ ସାହୁକୁ ସିବିଆଇ ଜେରା କରିବା ଓ ବିଜେଡିର ଦୁଇଜଣ ବିଧାୟକଙ୍କୁ ଜେଲ ପୁରାଇବା ପରେ ବିଜେପି ଶୀର୍ଷ ନେତୃତ୍ୱ ସହ ବିଜେଡି କୌଣସି ଏକ ବଡ଼ଧରଣର ଡିଲ୍ କରିଥିବା ଚର୍ଚ୍ଚା ହେଉଛି। ଯାହାର ଫଳସ୍ୱରୂପ ସିବିଆଇ ଓଡ଼ିଶାରେ ସକ୍ରିୟ ହେଉନାହିଁ କିମ୍ବା ନିଜର ତଦନ୍ତକୁ କ୍ରିୟାଶୀଳ କରୁନି। କେନ୍ଦ୍ରରେ ନିଜ ସରକାରକୁ ସୁରକ୍ଷିତ ରଖିବା ପାଇଁ ବିଜେପି ନେତୃତ୍ୱ ଏଭଳି ରଣନୀତି ଆପଣାଇଥିବେ, ଯାହାର ଫାଇଦା ଏଠି ବିଜେଡି ନେତୃତ୍ୱ ଭରପୂର ନେଉଛନ୍ତି। ଆଉ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସିବିଆଇ ଓଡ଼ିଶାରେ କେବଳ ‘ଟ୍ରେଲର’ ଦେଖାଇ ପୁରା ‘ଫିଲ୍ମ’ର ବାହାବା ନେବା ଚକ୍କରରେ ରହିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe