ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରେ ନିଦ ନହେବା, ଭୋକ ନହେବା ଓ ଚିଡିଚିଡ଼ା ହେବା ଦେଖାଯାଏ। ଅଧିକ ଭୋକ ହେବ। ମାନସିକ ଅବସାଦଗ୍ରସ୍ତ ଲାଗିବ। ଭୁଲିଯିବା ଦେଖାଯାଏ। ହୃତପିଣ୍ଡ ସ୍ପନ୍ଦନ ବଢ଼ିବା ଓ ଛାଡ଼ି ଧଡ଼ଧଡ଼ ହେବା ଲକ୍ଷଣ ଦେଖାଯାଉଛି। ଲଙ୍ଗଟର୍ମ କୋଭିଡ୍ ଥିଲେ ରୋଗୀ ଗୁରୁତର ହୋଇପଡେ। ତାଙ୍କୁ ICUକୁ ଯିବାକୁ ପଡ଼ିଥାଏ ବୋଲ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି।
ଶ୍ରୀ ପଣ୍ଡା ଆହୁରି କହିଛନ୍ତି-“ଶିଶୁମାନଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ୍ ପ୍ରାୟତଃ କମ ଦେଖାଯାଏ। ଲଙ୍ଗ କୋଭିଡ୍ ରୋଗୀ ସଂକ୍ରାମକ ନୁହଁନ୍ତି, ତାଙ୍କଠାରୁ ରୋଗ ଡେଇଁବନି। ଲଙ୍ଗଟର୍ମ କୋଭିଡ୍ରୁ ମୁକ୍ତି ପାଇଁ ସେ କେତେ ମାତ୍ରାରେ ପୀଡ଼ିତ ନିର୍ଭରକରେ। ଯିଏ ଯେତେ ଗୁରୁତର ଥିବେ, ଭଲ ହେବାକୁ ସେତେ ଡେରି ହୋଇଥାଏ। ସାମାନ୍ୟ ବା ମଧ୍ୟମରେ ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଇଥାନ୍ତି। ଯେଉଁମାନେ ଗୁରୁତର ହୋଇଥାନ୍ତି, ସେମାନଙ୍କୁ ୧ରୁ ୩ ମାସ ଚିକିତ୍ସା ଲାଗିଥାଏ।”
"ଏକମୋ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ": ପ୍ରଫେସର ବାନାମ୍ବର ରାୟ
ସେପଟେ ଏକମୋ ଚିକିତ୍ସା ସଂପର୍କରେ ପ୍ରଫେସର ବାନାମ୍ବର ରାୟ କହିଛନ୍ତି-“ଶରୀର ଭିତରେ ଫୁସଫୁସ୍ ଯେଉଁ କାମ କରେ, ଶରୀର ବାହାରେ ଏକମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ ଏକମୋ। ଯେ ପର୍ଯ୍ୟନ୍ତ ଫୁସଫୁସ୍ ଖରାପ ଥିବ, ସେଯାଏ ଏକମୋ ରକ୍ତ ପରିଷ୍କାର କାମ କରିବ। ସ୍ୱାଇନ୍ ଫ୍ଲୁ, ନିମୋନିଆ, ଲଙ୍ଗସ ଫାଇବ୍ରୋସିସ୍ ହେଲେ ଏକମୋ ବ୍ୟବହାର ହୋଇଥାଏ। କାହାର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ହେଲେ, ଏକମୋ ବ୍ୟବହାର କରାଯାଇଥାଏ। ଏକମୋ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ।”
ଭେଣ୍ଟିଲେଟର ଓ ଏକମୋ ମଧ୍ୟରେ ପାର୍ଥକ୍ୟ କହିଲେ ଡାକ୍ତର ରାୟ। ସେ କହିଛନ୍ତି-“ଫୁସଫୁସ ବହୁତ ଖରାପ ହେଲେ ଭେଣ୍ଟିଲେଟର ସେ କାମ କରିପାରେ ନାହିଁ। କୋଭିଡ୍ ବେଳେ ଭେଣ୍ଟିଲେଟରକୁ ୧୦ ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି। ଏକମୋ ଲଗାଇଲେ ହୁଏତ ୧୦ ଜଣରୁ ୪ ଜଣ ବଞ୍ଚି ଯାଇପାରନ୍ତି। ଏକମୋ ଲଗାଇ ଦେଲେ ଯେ ସମସ୍ତେ ବଞ୍ଚିବେ ସେମିତି ଭାବିବା ଠିକ ନୁହେଁ। ଏକମୋରେ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଇନଫେକସନ ହେବା ଆଶଙ୍କା ଥାଏ।”