ପେନସନ୍‌ ଟଙ୍କା ପାଇଁ ମା’ ହେଲା ପର, ତଣ୍ଟି ଚିପିଦେଲା ପୁଅ

ଭଞ୍ଜନଗର(ରାଜେଶ ପଣ୍ଡା): ସାମାନ୍ୟ ଟଙ୍କା ପାଇଁ ମା’ ହେଲା ପର। ଯେଉଁ ମା’ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲା ସେହି ମା’କୁ ହିଁ ଦୁନିଆରୁ ବିଦା କରିଦେଲା ପୁଅ । କଥା କଟାକଟିରୁ ବୃଦ୍ଧା ମା’ର ତଣ୍ଟି ଚିପିବାକୁ ପଛାଇଲାନି ପୁଅ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଉଲୁଦନ ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଶ୍ରୀମତୀ ନାୟକ। ସୂଚନା ମୁତାବକ ଶ୍ରୀମତୀ ନାୟକ ଜଣେ ବିଧବା ମହିଳା […]

police

  • Published: Wednesday, 07 September 2022
  • , Updated: 07 September 2022, 08:18 AM IST

ଭଞ୍ଜନଗର(ରାଜେଶ ପଣ୍ଡା): ସାମାନ୍ୟ ଟଙ୍କା ପାଇଁ ମା’ ହେଲା ପର। ଯେଉଁ ମା’ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲା ସେହି ମା’କୁ ହିଁ ଦୁନିଆରୁ ବିଦା କରିଦେଲା ପୁଅ । କଥା କଟାକଟିରୁ ବୃଦ୍ଧା ମା’ର ତଣ୍ଟି ଚିପିବାକୁ ପଛାଇଲାନି ପୁଅ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଉଲୁଦନ ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଶ୍ରୀମତୀ ନାୟକ।

ସୂଚନା ମୁତାବକ ଶ୍ରୀମତୀ ନାୟକ ଜଣେ ବିଧବା ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ। ଶ୍ରୀମତୀଙ୍କର ୩ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ୨ ଝିଅ ଓ ପୁଅଙ୍କର ବିବାହ ସରିଛି। ସାନ ଝିଅ ଅବିବାହିତ ଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି।

ବାପାଙ୍କ ପେନସନ୍‌ ଟଙ୍କା ହାତେଇବା ପାଇଁ  ପୁଅ ସନ୍ତୋଷ ନାୟକ ସବୁବେଳେ ମା’ ସହ ଝଗଡ଼ା କରୁଥିଲେ। ଏହା କ୍ରମଶଃ ଉଗ୍ର ରୂପ ନେବାରୁ ଉଭୟ ମା’ ଝିଅ ଓ ପୁଅବୋହୂ ଅଲଗା ରହୁଥିଲେ। ପୁଅ ନିଜ ପରିବାର ସହ ଅନ୍ୟତ୍ର ରହୁଥିଲେ ମଧ୍ୟ ବିଭିନ୍ନ ସମୟରେ ଆସି ଟଙ୍କା ପାଇଁ ମା’କୁ ଧମକଚମକ ଦେଉଥିଲେ।

ଏହି ଘଟଣାକୁ ନେଇ ପ୍ରାୟ ୪ ଦିନ ହେବ ମା’ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ସାନଝିଅ ସ୍କୁଲ ଚାଲିଯିବା ପରେ ଶ୍ରୀମତୀ ଘରେ ଏକୁଟିଆ ଥିଲେ। ଏହି ସମୟରେ ସନ୍ତୋଷ ଓ ତାଙ୍କ ପତ୍ନୀ ଘରକୁ ଆସି ମା’ ସହ ଝଗଡ଼ା କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କିଛି ସମୟ ପରେ ସେମାନେ ଘରୁ ବାହାରୁ ତାଲା ପକାଇ ଚାଲି ଯାଇଥିଲେ।

ଝିଅ ସନ୍ଧ୍ୟାରେ ଘରକୁ ଫେରି କବାଟ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ପାଖପଡ଼ୋଶୀଙ୍କ ସହାୟତାରେ ତାଲା ଫିଟାଇ ମା’ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଲା। ଖବର ପାଇ ପୁଲିସ୍‌ ଗତ ରାତିରେ ପହଞ୍ଚି  ତଦନ୍ତ କରିଥିବା ବେଳେ ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିବା ଜଣାଯାଇଛି। ସନ୍ତୋଷ ହିଁ ନିଜ ମା’କୁ ମାରିଥିବା ଶ୍ରୀମତୀଙ୍କ ଭାଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସନ୍ତୋଷ ଓ ତାଙ୍କ ପତ୍ନୀ ଫେରାର ହୋଇଯାଇଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚାଲିଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

Related story