/odisha-reporter/media/post_attachments/uploads/2021/05/src1.jpg)
SRC
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ୟାସ’ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରି ଏବେ ମୟୂରଭଞ୍ଜ ଜିଲ୍ଲା ଦେଇ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବାବେଳେ ରାଜ୍ୟ ସରକାର ବାତ୍ୟାଜନିତ ପ୍ରାକ୍ କ୍ଷୟକ୍ଷତିର ହିସାବ ଦେଇଛନ୍ତି। ବାତ୍ୟା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକରେ ସର୍ବାଧିକ କ୍ଷତି ହୋଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ବିଶେଷ ପ୍ରଭାବିତ ହୋଇନାହିଁ। ‘ୟାସ୍’ ଏବେ ଭୀଷଣ ବାତ୍ୟାର ରୂପ ନେଇ ମୟୂରଭଞ୍ଜ ଜିଲ୍ଲା ଦେଇ ଅତିକ୍ରମ କରୁଥିବାରୁ ତା’ର ପ୍ରଭାବରେ କ’ଣ ୟକ୍ଷତି ହେଉଛି ତାହା ଆସନ୍ତାକାଲି ସକାଳେ ଆକଳନ କରାଯାଇପାରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ଆଜି ସକାଳ ୯ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିଛି। ଏହା ଏବେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଆଖପାଖ ଦେଇ ଝାଡ଼ଖଣ୍ଡ ଅଭିମୁଖେ ଯାଉଛି। ସମ୍ଭବତଃ ଆଜି ବିଳମ୍ବିତ ରାତି କିମ୍ବା କାଲି ଭୋର ସମୟରେ ଏହା ଝାଡ଼ଖଣ୍ଡ ସୀମାରେ ପ୍ରବେଶ କରିବ। ଏହାର ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଜି ବର୍ଷା ହେବା ସହ ଆସନ୍ତାକାଲି ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ମୋଟ ସାଢ଼େ ୬ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ବାତ୍ୟାରେ ବିଶେଷକରି ଗଛ ଓ ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିଲା । ତେବେ ଟେଲି ଯୋଗାଯୋଗ ବିଶେଷ ପ୍ରଭାବିତ ହୋଇନି । ମୋବାଇଲ ସେବା ସ୍ୱାଭାବିକ ରହିଛି । ଜୁଆର ମାଡ଼ି ଆସିବା ଯୋଗୁ ଅନେକ ଗାଁରେ ପାଣି ପଶିଯାଇଛି। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୨୮ଟି ଗାଁ ଏବେ ଜଳବନ୍ଦୀ ଅଛି। ପାଣିଘେରରେ ଥିବା ଗାଁ ଗୁଡ଼ିକରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଉପୁଡ଼ି ପଡ଼ିଛି ଅବା ଶୋଇବା ଅବସ୍ଥାରେ ଢ଼ଳି ପଡ଼ିଛି । ଏସବୁର ରାପିଡ୍ ଆସେସମେଣ୍ଟ ଚାଲିଛି। ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ବିଦ୍ୟୁତ ବିଭାଗ ଦେବ। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇନି । ସେଠାରେ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଆସନ୍ତାକାଲି ସୁଦ୍ଧା ଏହି ୩ଟି ଜିଲ୍ଲାରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ସେହିପରି ଭଦ୍ରକ ସହରରେ ଆଜି ରାତିସୁଦ୍ଧା ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ । ବାଲେଶ୍ୱରର ଅଧିକାଂଶ ଅଂଚଳରେ ମଧ୍ୟ ଆଜି ବିଦ୍ୟୁତ ଯୋଗାଣକୁ ସମ୍ଭବପର କରାଯାଉଛି। ଆଉ କେତେ ସମୟ ମଧ୍ୟରେ ବିଦ୍ୟୁତ ଯୋଗାଣକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯାଇପାରିବ ସେ ନେଇ ଟିମ୍ ଦ୍ୱାରା ତ୍ୱରିତ୍ ଆକଳନ ଜାରି ରହିଛି ।
ବାତ୍ୟାରେ ପୂର୍ତ୍ତ ବିଭାଗର ମୋଟ ୩୦୫ଟି ରାସ୍ତା ପ୍ରଭାବିତ ହୋଇଥିବାବେଳେ ସେଥିରୁ ୨୯୫ଟି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯାଇଛି। ଏସବୁ ରାସ୍ତାରୁ ଗଛ ହଟାଇ ଦିଆଯାଇଛି । ବାକି ୧୦ଟି ରାସ୍ତା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଜଳବନ୍ଦୀ ଅଂଚଳରେ ଥିବାରୁ ଟିକେ ସମସ୍ୟା ହେଉଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ମୋଟ ୩୦୦ଟି ରାସ୍ତା ପ୍ରଭାବିତ ହୋଇଥିବାବେଳେ ସେଥିରୁ ୨୦୦ଟି ରାସ୍ତାକୁସ ସ୍ୱାଭାବିକ କରାଯାଇଛି । ସମୁଦ୍ର ଜଳ ପଶିଥିବା ଅଂଚଳରେ ଏହି ରାସ୍ତା ଥିବାରୁ ଆସନ୍ତାକାଲି ସୁଦ୍ଧା ଏସବୁର ମରାମତି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଠି ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଡ଼ୁଛି ସେଠାରେ ରାସ୍ତାକୁ କାଟିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ପାନୀୟ ଜଳ ବ୍ୟବସ୍ଥା ସ୍ୱାଭାବିକ ରହିଛି। ପାନୀୟ ଜଳ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଜେନେରେଟର, ମୋବାଇଲ ଟ୍ୟାଙ୍କର ଓ ପାଣି ଟାଙ୍କି ମାଧ୍ୟମରେ ଜଳଯୋଗାଣକୁ ସ୍ୱାଭାବିକ କରୁଛନ୍ତି। ବିଦ୍ୟୁତ ଯୋଗାଣ ହେବାପରେ ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବ।
ରାସ୍ତାଗୁଡ଼ିକରୁ ଗଛକୁ ହଟାଇବା ଆଦି ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାରେ ଅଧିକ କ୍ଷୟକ୍ଷତିର ଆଶଙ୍କା ରହିଛି ।
ଆସନ୍ତାକାଲି ସୁଦ୍ଧା ସବୁ ଆକଳନ କରାଯିବ। ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗଛପଡ଼ି ୨ଜଣ ଲୋକ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି । ତା’ର ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
