ତେଲକୋଇ(ଚିନ୍ମୟ କୁମାର ସାହୁ): ନେଟୱର୍କ ନାହିଁ। ତେଣୁ ଅନ୍ଲାଇନ୍ କ୍ଲାସ କରିବୁ କେମିତି? ସରକାର ଆମ କଥା ଶୁଣ। ବିଚାରକୁ ନିଅ। ଏପରି ନାରା ଦେଇ ବିରାଟ ଶୋଭାଯାତ୍ରାରେ ଆସି ତେଲକୋଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ।
କେନ୍ଦୁଝର ଜିଲ୍ଲା ତାଳପଦା ପଞ୍ଚାୟତରେ ରହିଛି ୮ଟି ଗାଁ। ଏହି ପଞ୍ଚାୟତର ଲୋକ ସଂଖ୍ୟା ୨୭୦୦ରୁ ଅଧିକ ହେବ। ହେଲେ ଦୁଃଖର ବିଷୟ ବଣ ପାହାଡ଼ ଘେରା ଏହି ଅଞ୍ଚଳରେ ନାହିଁ ମୋବାଇଲ ଟାୱାର। ଯାହାଫଳରେ ଗାଁରେ ଶୁଭିବାକୁ ମିଳୁନି ମୋବାଇଲ୍ ରିଙ୍ଗ। ମହାମାରୀ କରୋନାରେ ବେଳେ ରାଜ୍ୟ ସରକାର ଅନ୍ଲାଇନ୍ରେ ପାଠ ପଢ଼ାଇବାର ସ୍ୱପ୍ନ ଦେଖାଇଥିଲେ। ହେଲେ ଏହି ପଞ୍ଚାୟତର ପିଲାମାନେ ପାଠ ପଢ଼ିବାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଯେଉଁ ପଞ୍ଚାୟର ଲୋକମାନେ ମୋବାଇଲ୍ରେ କଥା ହୋଇପାରୁ ନାହାନ୍ତି, ସେଠି ଅନ୍ଲାଇନ୍ରେ ପାଠ ପଢ଼ିବା କେମିତି ଚାଲିଥିବ, ତାହା ମା’ ଗଙ୍ଗେଇଙ୍କୁ ଜଣା!
ମୋବାଇଲ ଟାୱାର ପାଇଁ ୨୦୨୦ ମସିହାରୁ ଗାଁ ଲୋକେ ଦାବି କରିଆସୁଛନ୍ତି। ବହୁ ଦାବି ଓ ପ୍ରତିବାଦ ପରେ ଗୋଟିଏ ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଇଥିଲା। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯାହାଫଳରେ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ିପାରୁନାହାନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଡିସେମ୍ବର ୧୭ ତାରିଖରେ କେନ୍ଦୁଝର ଯାଇ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଫେବ୍ରୁଆରୀ ୧ ତାରିଖ ସୁଦ୍ଧା ଗାଁରେ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ମୋବାଇଲ ଟାୱାର କାର୍ଯ୍ୟକ୍ଷମ ନହେଲେ ଆମରଣ ଅନଶନ କରିବୁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ମଧ୍ୟ ଦେଇଥିଲେ। ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ଖୁବ୍ ଶୀଘ୍ର ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହେବ।
ଆଜି ଫେବ୍ରୁଆରୀ ୧ ତାରିଖ। ହେଲେ କାର୍ଯ୍ୟକ୍ଷମ ହୋଇପାରିଲାନି ମୋବାଇଲ ଟାୱାର। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା। ଶେଷରେ ନିରାଶ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି ବିଶାଳ ଶୋଭାଯାତ୍ରାରେ ତେଲକୋଇ ବଜାର ପରିକ୍ରମା କରିଥିଲେ। ପରେ ତେଲକୋଇ ବ୍ଲକ ଅଫିସ୍ରେ ଆଗରେ ଆମରଣ ଅନଶନରେ ବସିଛନ୍ତି। ଖବର ପାଇଁ ବିଡିଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଛାତ୍ରଛାତ୍ରୀ ରୋକ୍ଠୋକ୍ ଜବାବ ଦେଇଥିଲେ। ଆଗେ ମୋବାଇଲ ଟାୱାର କାର୍ଯ୍ୟକ୍ଷମ କର, ତା’ ପରେ ଆମେ ଆମରଣ ଅନଶନରୁ ଉଠିବୁ। ଏବେ ମଧ୍ୟ ଛାତ୍ରଛାତ୍ରୀମାନେ ଆମରଶ ଅନଶନରେ ବସିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।