ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଗତ ରାତିରେ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଷ୍ଟେସନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ଋଣକ୍ଷେତ୍ରରେ ପରିଣତ ହୋଇଗଲା ଭୁବନେଶ୍ୱର ରେଳଷ୍ଟେଶନ। ଏହା ଦେଖି ସାଧାରଣ ଯାତ୍ରୀ ଭୟଭୀତ ହୋଇଗଲେ ।
ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଜୋରଜବରଦସ୍ତି ଭାବେ ପଶି ଯାଇଥିଲେ। ଏପରିକି ଟ୍ରେନ୍କୁ ଅଟକାଇବା ପାଇଁ ୫ ଥର ଚେନ୍ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍ ଅଟକିଥାନ୍ତା ସେଇ ଟ୍ରେନ୍ ପାଖାପାଖି ଘଣ୍ଟାଏ ଅଟକି ରହିଥିଲା। ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ରେଳ ଷ୍ଟେଶନରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ଜିଆର୍ପି ଓ ଆରପିଏଫ୍କୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା।
ଘଟଣାସ୍ଥଳରେ ଜିଆର୍ପି ଓ ଆରପିଏଫ୍ ଫୋର୍ସ ପହଞ୍ଚିି ପରୀକ୍ଷାର୍ଥୀମାନଙ୍କୁ ଘଉଡାଇ ଦେଇଥିଲେ। ଏପରିକି କିଛି ପରୀକ୍ଷାର୍ଥୀ ଲଗେଜ୍ ଭ୍ୟାନ୍ ଭିତରକୁ ପଶି ଯାଇଥିଲେ। କେବଳ ସଂରକ୍ଷିତ (Reserved) ବଗି ନୁହେଁ ଜେନେରାଲ ବଗି, ଲଗେଜ ଭ୍ୟାନ୍ ମଧ୍ୟ ପରୀକ୍ଷାର୍ଥୀଙ୍କ କବଳରେ ରହିଥିଲା। ପରୀକ୍ଷାର୍ଥୀମାନେ ଯାତ୍ରୀମାନଙ୍କୁ ହଇରାଣ କରିବା ଅଭିଯୋଗ ହେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ପୁଲିସ୍ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।
ଗତ ତିନି ଦିନ ତଳେ ସେନାରେ ଭର୍ତ୍ତି ହେବା ପାଇଁ ବିଭିନ୍ନ ରାଜ୍ୟରୁ ୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ୧୨୦ ବାଟାଲିୟନକୁ ପରୀକ୍ଷା ଦେବାକୁ ଆସିଥିଲେ। ତେବେ ଏହି ଯୁବକମାନଙ୍କ ଉତ୍ପାତ କେବଳ ଷ୍ଟେସନରେ ଦେଖିବାକୁ ମିଳିନାହିଁ ବରଂ ପାର୍କରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ଆଇଜି ପାର୍କରେ ଗତକାଲି ସମ୍ପୃକ୍ତ ଯୁବକମାନେ ଯୁବତୀ ଓ ଛୋଟ ପିଲାଙ୍କୁ ହଇରାଣ କରିବା ସହ ସେମାନଙ୍କ ସହ କଥା କଟାକଟି କରିଥିଲେ। ଏହାକୁ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନେ ମଧ୍ୟ ଏହି ଯୁବକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ।