ବାଲେଶ୍ୱର (ରଞ୍ଜିତ ପାକଳ): ବଞ୍ଚିଥିଲା ବେଳେ ଶେଷ ଇଛା ଘର ଲୋକଙ୍କୁ କହି ଯାଇଥିଲେ। 'ମୁଁ ମଲା ପରେ ମୋ ଶବକୁ ପୋଡିବନି କି ପୋତି ଦେବନି। ଏକ ମହାନ କାର୍ଯ୍ୟରେ ଲଗାଇବ। ଯାହାକୁ ଦେଖି ମୁଁ ସ୍ୱର୍ଗରେ ରହି ଶାନ୍ତି ପାଇବି।' ଆଜି ସେଇଆ ହେଲା। ବାପା କହି ଯାଇଥିବା କଥାକୁ ପୂରଣ କରିଛନ୍ତି ପୁଅ, ବୋହୂ।
ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଅମର୍ଦ୍ଦା ଗାଁର ନାରାୟଣ ମହାନ୍ତିଙ୍କ। ୭୪ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଛି। ତେବେ ତାଙ୍କ ମର ଶରୀରକୁ ଶେଷକୃତ୍ୟ କରାଯାଇ ନାହିଁ। କହି ଯାଇଥିବା କଥାନୁଯାଇ ତାଙ୍କ ମୃତ ଶରୀରକୁ ପରିବାର, ବନ୍ଧୁ ପରିଜନ ମିଶି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ ଦାନ କରିଛନ୍ତି। ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜକୁ ନାରାୟଣ ମହାନ୍ତି ମୃତ ଶରୀରକୁ ମହତ୍କାମ ପାଇଁ ଦାନ କରାଯାଇଛି।
ନାରାୟଣ ଥିଲେ ଜଣେ ଦରଦୀ ମଣିଷ। ଛାତ୍ର ଜୀବନରେ ଛାତ୍ର ନେତା ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରେ ଗାଁ ନିକଟସ୍ଥ ତମ୍ବାଖରୀ ହୃଦାନନ୍ଦ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରି ବହୁ ପିଲାଙ୍କୁ ବଡ ମଣିଷ କରିଛନ୍ତି। ସେହିପରି ଗରିବ ଲୋକଙ୍କ ଦୁଖଃସୁଖର ସାଥୀ ହୋଇ ଆଖପାଖ ଗାଁ ଗୁଡିକରେ ସାହାଯ୍ୟ କରୁଥିଲେ। ପରେ ଲୋକଙ୍କ ଅଜସ୍ର ଭଲପାଇବା ପରେ ଏକ ନିର୍ଦ୍ଦିଷ୍ଟ ଦଳର ଆଗ ଧାଡିରେ ନେତା ମଧ୍ୟ ବନିଥିଲେ। ହେଲେ ତାଙ୍କର ଶେଷ ଇଚ୍ଛା ଥିଲା ମୃତ୍ୟୁ ପରେ ତାଙ୍କ ମର ଶରୀର ମହତ କାର୍ଯ୍ୟରେ ଲାଗୁ।
ଆଜି ତାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ଦୁଇ ପୁଅ ମାନବ ମହାନ୍ତି, ସୌମ୍ୟ ମହାନ୍ତି, ଦୁଇ ବୋହୂ ଏବଂ ନାତି ନାତୁଣୀଙ୍କ ସମେତ ପରିଜନ ବନ୍ଧୁ ଏକାଠି ହୋଇ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜକୁ ଦାନ କରିଛନ୍ତି। ଯାହା ପିଲାଙ୍କ ଡାକ୍ତରୀ ପାଠ୍ୟକ୍ରମରେ ସହାୟକ ହେବ। ଅଥବା ଅନ୍ୟ କାହାର ବଞ୍ଚିବାରେ ସହାୟକ ହେବ। ତାଙ୍କର ଏହି ମହତ ଉଦେଶ୍ୟ ପାଇଁ ସେ ମରି ଥାଇ ବି ଅମର ବୋଲି ତାଙ୍କ ପିରବାର ଲୋକେ କହିଛନ୍ତି।