ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ୍ ଗ୍ରହଣ ଦିନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବାକୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ୍ ଦେବାକୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ଛୁଟି ମିଳିବ। ବୁଥ୍ ଠାରୁ କର୍ମସ୍ଥଳୀ ଦୂରରେ ଥିଲେ କର୍ମଚାରୀମାନଙ୍କୁ ୩ ଦିନର ସ୍ୱତନ୍ତ୍ର CL ଦିଆଯିବ। ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ।
ଅନ୍ୟପକ୍ଷରେ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଛନ୍ତି। ଯେଉଁଠି ଭୋଟ୍ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ଓ ବଣ୍ଟନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଭୋଟ ପରଦିନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସଂପୃକ୍ତ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନରେ ମଦ ବିକ୍ରି ହୋଇପାରିବ ନାହିଁ। ସେହିପରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବାକୁ ମନା କରାଯାଇଛି। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧ ଯାଏଁ ଅନଧିକୃତ ଲୋକେ ବୁଥ୍କୁ ଆସିପାରିବେ ନାହିଁ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬,୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ହେବା ସହ ଫେବ୍ରୁଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।