ଡେବ୍ରିଗଡ଼ରେ ବୁଲୁଛି ମହାବଳ ବାଘ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ। ଡିସେମ୍ବର ୧ ତାରିଖରେ ଏହି ଅଣ୍ଡିରା ମହାବଳ ବାଘଟିକୁ ଅଭୟାରଣ୍ୟରେ ଠାବ କରାଯାଇଥିଲା। ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ଶନିବାର ଏହି ସୂଚନା ଦେଇଛନ୍ତି। ଏହା ସହିତ ୫ ବର୍ଷ ପରେ ପୁଣି ଥରେ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ଠାବ କରାଯାଇଛି। ଗତ ୧ ତାରିଖ ଅପରାହ୍ଣ ପ୍ରାୟ ୫ଟା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରକୁ ମହାବଳ ବାଘଟି ପ୍ରବେଶ […]

tiger

  • Published: Saturday, 03 December 2022
  • , Updated: 03 December 2022, 05:01 PM IST

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ। ଡିସେମ୍ବର ୧ ତାରିଖରେ ଏହି ଅଣ୍ଡିରା ମହାବଳ ବାଘଟିକୁ ଅଭୟାରଣ୍ୟରେ ଠାବ କରାଯାଇଥିଲା। ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ଶନିବାର ଏହି ସୂଚନା ଦେଇଛନ୍ତି। ଏହା ସହିତ ୫ ବର୍ଷ ପରେ ପୁଣି ଥରେ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ଠାବ କରାଯାଇଛି।

ଗତ ୧ ତାରିଖ ଅପରାହ୍ଣ ପ୍ରାୟ ୫ଟା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରକୁ ମହାବଳ ବାଘଟି ପ୍ରବେଶ କରିଥିଲା। ଅଭୟାରଣ୍ୟର ଏକ ପ୍ରବେଶ ପଥରେ ଏହା ଆସିଥିଲା। ସେତେବେଳେ ସେଠାରେ ବନ ବିଭାଗ କର୍ମଚାରୀ, ସଫାରୀ ଗାଡ଼ି ଓ ପର୍ଯ୍ୟଟକମାନେ ଉପସ୍ଥିତ ଥିଲେ। ବେଶ୍ କିଛି ସମୟ ଧରି ଏହା ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇଥିଲା। ଜଙ୍ଗଲ ଭିତରକୁ ଚାଲି ଯିବା ପୂର୍ବରୁ ବାଘଟି ସଫାରୀ ଗାଡ଼ି ଓ ପାଟ୍ରୋଲିଂ ୟୁନିଟ୍‌ ଆଡ଼କୁ ୫/୧୦ ମିନିଟ୍ ଚାହିଁ ରହିଥିଲା। ବାଘ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ସଫାରୀ ଗାଡ଼ି ଓ ପାଟ୍ରୋଲିଂ ୟୁନିଟ୍ ରହିଥିଲେ।

ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବାଳ ବାଘ ଠାବ ହେବା ପରେ ତା’ର ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଅଭୟାରଣ୍ୟ ଆଖପାଖ ଗାଁଗୁଡ଼ିକର ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିନରାତି ପାଟ୍ରୋଲିଂ କରାଯାଉଛି। ଗୁଇନ୍ଦା ନେଟୱର୍କକୁ ଆହୁରି ମଜବୁତ କରାଯାଇଛି। ଦୁଇଟି ଟାଇଗର ମନିଟରିଂ ୟୁନିଟ୍ ଗଠନ କରାଯାଇଛି। ସେଥିରୁ ଗୋଟିଏ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ରହିଥିବା ବେଳେ ଅନ୍ୟଟି ହୀରାକୁଦ ସ୍ଥିତ ସମ୍ବଲପୁର ଡିଭିଜିନ ଅଫିସ୍‌ରେ ରହିଛି। ବାଘଟି ଉପରେ ଦିନରାତି ନଜର ରଖିବାକୁ ୧୨ଟି ଟିମ୍ ଗଠନ କରାଯାଇଛି। ଅଭୟାରଣ୍ୟ ଭିତରକୁ ନଯିବାକୁ ଲୋକଙ୍କୁ କୁହାଯାଇଛି। ଯଦି କେହି ଅଭୟାରଣ୍ୟ ଭିତରେ ପ୍ରବେଶ କରନ୍ତି, ତା’ହେଲେ ତାଙ୍କୁ ଗିରଫ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, ବାଘଟି କେଉଁଠୁ ଆସିଲା, ତାହା ଆଉ କିଛି ଦିନ ମଧ୍ୟରେ ଜଣାପଡ଼ିଯିବ। ଏବେ ସେ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ବୁଲାବୁଲି କରିବ। ତାକୁ ସୁରକ୍ଷା ଦେବାକୁ ଆମେ ଚେଷ୍ଟା କରୁଛୁ। ଆମେ ୧୦୦ରୁ ଅଧିକ କ୍ୟାମେରା ଟ୍ରାପ୍ ଲଗାଇଛୁ। ଦିନରାତି ମନିଟରିଂ କରାଯାଉଛି। ବାଘର ଗତିବିଧି ଉପରେ ନଜର ରଖାଯାଇଛି। ସେହିପରି ଆଖପାଖ ଗାଁ ଲୋକେ ଯେପରି ଜଙ୍ଗଲ ଭିତରକୁ ପଶିବେ ନାହିଁ, ସେଥିଲାଗି ଆମେ ସମସ୍ତଙ୍କୁ ସଚେତନ କରିଛୁ।

Related story