ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ ।
ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ତାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ହୋଇପାରେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ କେରଳ ଉପକୂଳରେ ଛୁଇଁବ ।
ଏବେ ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚିଛି। କେରଳ ପହଞ୍ଚିବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ମୌସୁମୀ ପହଞ୍ଚି ଥାଏ । ତେବେ ସଠିକ୍ ତାରିଖ ସମ୍ପର୍କରେ ଆସନ୍ତା କିଛି ଦିନରେ ଜଣାପଡ଼ିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି । ଜୁନରେ ରାଜ୍ୟରେ ସ୍ୱାଭାବିକ ଓ ତାଠାରୁ ଅଧିକ ବର୍ଷା ହେବା ନେଇ ଆକଳନ ହୋଇଛି। ଜୁଲାଇ ଓ ଅଗଷ୍ଟ ପରିସ୍ଥିତି ଆସନ୍ତା ସମୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।