ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେଉଁ ଗାଁରେ ଜନ୍ମ ହୋଇ ଜୀବନକୁ ଚିହ୍ନିଥିଲେ, ଆଜି ସେଠି ଜଳିବ ସେମାନଙ୍କ ଜୁଈ। ସବୁଦିନ ପାଇଁ ଜନ୍ମମାଟି କୋଳରେ ଚିରନିଦ୍ରାରେ ଶୋଇଯିବେ ଦୁଇ ବୀର ଯବାନ। ସେମାନଙ୍କୁ ବିଦାୟ ଦେବା ପାଇଁ ପୂରା ଗାଁ ଶୋକରେ ଭାସୁଛି। ଆଉ ଜନ୍ମ ଦେଇଥିବା ମାଆ ଆଖିରୁ ଶୁଖୁନି ଲୁହ। ପତ୍ନୀ ଓ ପିଲାମାନେ ଦାଣ୍ଡ ଦୁଆରରେ ବାହୁନି ହେଉଛନ୍ତି। ଶେଷ ଦର୍ଶନ କରିବା ପାଇଁ ପ୍ରିୟଜନ ଓ ସାଧାରଣ ଲୋକେ ଅନାଇ ବସିଛନ୍ତି।
ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରେ ଦୁଇ ସହିଦ୍ ସିଆର୍ପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କୁ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ସେମାନଙ୍କୁ ଗାର୍ଡ଼ ଅଫ୍ ଅନର ସମ୍ମାନ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୁଲିସ୍ ଡିଜି ଆପି ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ସିଆର୍ପିଏଫ୍ ଆଇଜି, ଡିଆଇଜି ପ୍ରମୁଖଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତା’ପରେ କଟକ ଜିଲ୍ଲା ନିଆଳି ରତନପୁରର ରତ୍ନ ଓ ଜଗଜସିଂହପୁର ଜିଲ୍ଲା ନାଉଗାଁ ପାରିଶିଖରର ହୀରାଙ୍କୁ ଗାଁ ମାଟିକୁ ନିଆଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଶୋକାକୁଳ ଜନତା ସହିଦଙ୍କୁ ଶେଷ ସଲାମ ଜଣାଉଛନ୍ତି। ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯାଦା ସହ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ସ୍କୁଲରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା
ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ନିରବ ପ୍ରାର୍ଥନା କରାଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଆଜି ଦିନ ୧୧ଟାରେ ୨ମିନିଟ ପାଇଁ ନିରବ ପ୍ରାର୍ଥନା କରିଛନ୍ତି। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କୁ ନିରବ ପ୍ରାର୍ଥନା ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଛାତ୍ରଛାତ୍ରୀ। ବିଭିନ୍ନ ସ୍କୁଲରେ ନିରବ ପ୍ରାର୍ଥନା ସହ ସ୍ମୃତିସଭା ମଧ୍ୟ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସହିଦଙ୍କ ବଳିଦାନ ଓ ଦେଶସେବା ପାଇଁ ପ୍ରେରଣା ଦେଇଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ।
୧୮ ତାରିଖରେ ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ
ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଦେବା ପାଇଁ ଆସନ୍ତା ୧୮ ତାରିଖରେ ସାରା ଦେଶରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଏଥିପାଇଁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ। ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଡାକରାରେ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଥିବା ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି।