attack1
ଯାଜପୁର (ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନରେ ଖବର ସଂଗ୍ରହ ବେଳେ ପୁଣି ଥରେ ଆକ୍ରମଣର ଶିକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ଦିନ ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ୪ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ୩ ଜଣ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି।
ଜିଲ୍ଲାର ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ।
ଆକ୍ରମଣର ଶିକାର ହୋଇଥିବା ଏହି ୩ ସାମ୍ବାଦିକ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରନ୍ତି। ସେମାନେ ହେଲେ ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ।
ଦୁର୍ବୃତ୍ତମାନେ ୨ ନମ୍ବର ବୁଥ୍ର ଭୋଟ୍ ବାକ୍ସ ନେଇ ପଳାଇଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ମତଦାନ ବନ୍ଦ ରହିଛି।
ଏହା ପୂର୍ବରୁ ଆଜି ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଉଠାଇ ନେଇଥିଲେ ଦୁର୍ବୃତ୍ତ। ୬ ନମ୍ବର ବୁଥ୍ର ଭୋଟ୍ ବାକ୍ସକୁ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ୪ ନମ୍ବର ବୁଥ୍ର ଭୋଟ୍ ବାକ୍ସ ସଂପର୍କରେ କିଛି ସୂଚନା ମିଳି ନାହିଁ। ସେହିପରି ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଥିଲେ। ବୁଥ୍ ଜବରଦଖଲ ଉଦ୍ୟମ କରାଯାଉଥିବା ଖବର ପାଇ ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/attack1.jpg)