ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ଚାଲିଛି ମତଦାନ । ଦିନ ୧ଟା ସୁଦ୍ଧା ହାରାହାରି ୪୦.୫୧ % ମତଦାନ ହୋଇଛି ।
ବାଲେଶ୍ୱରରେ ୪୧.୩୬% ଏବଂ ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ମିଳିଛି । ଯେଉଁଠି ମକପୋଲ୍ ସମୟରେ ତ୍ରୁଟି ଜଣାପଡୁଛି, ସେହି ସବୁ ସ୍ଥାନରେ ତ୍ରୁଟି ସୁଧୁରା ଯାଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ।
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ମତଦାନ ଅଧିକାର ସାବ୍ୟସ୍ତ କରିବେ । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେଉଛି । ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି । ପୂର୍ବରୁ ବୁଥ୍ଗୁଡ଼ିକୁ ସାନିଟାଇଜ କରାଯାଇଛି ।
ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି । ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ମତଦାତା ଭୋଟ୍ ଦେଉଛନ୍ତି । ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ୍ ଦିଆଯିବ । ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ଦେଇପାରିବେ । କେହି ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ଏହି ସମୟରେ ଭୋଟ୍ ଦେଇପାରିବେ । ଏହାବାଦ୍ ବୁଥ୍ଗୁଡ଼ିକରେ ସିସିଟିଭି ଓ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।
ଅପରପକ୍ଷେ, ବାଲେଶ୍ୱରରେ ପୁଲିସ୍ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ହେବା ପରେ ସଂପୃକ୍ତ ବୁଥ୍ରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । ତଦନ୍ତରେ ପ୍ରମାଣ ମିଳିନଥିଲେ ବି ବିଏଲ୍ଓ ଏବଂ ଜଣେ ପୁଲିସ୍ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା କହିଲେ ନିର୍ବାଚନ କମିଶନ।
ଅପରପକ୍ଷେ, ବାରିପଦାର ଜଣେ ମହିଳା ବାଲେଶ୍ୱରରେ ପହଞ୍ଚି ଟଙ୍କା ବାଣ୍ଟିବା ଘଟଣାର ତଦନ୍ତ ପୁଲିସ୍ ଆରମ୍ଭ କରିଛି । ଘଟଣା ସମ୍ପର୍କରେ କିଛି ପ୍ରମାଣ ମିଳି ନ ଥିବା ବେଳେ ମିଡିଆରୁ ଏ ସମ୍ପର୍କରେ ଜାଣିବାକୁ ପାଇଲୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନ॥
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।