ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କୋଭିଡ୍ କଟକଣା ଭିତରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି ।୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୪ ଲକ୍ଷ ଭୋଟର୍।
ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩ ହଜାର ୫୦୦ ପୁଲିଂ କର୍ମଚାରୀ, ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ । ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ କର୍ମଚାରୀଙ୍କୁ ହିଁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବୁଥ୍ଗୁଡ଼ିକୁ ସାନିଟାଇଜ କରାଯାଇଛି। ଅାଜି ବି ବାରମ୍ବାର ସାନିଟାଇଜ୍ କରାଯିବ । ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି।
ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ୍ ଦିଆଯିବ । ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ଦେଇପାରିବେ । କେହି ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ଏହି ସମୟରେ ଭୋଟ୍ ଦେଇପାରିବେ ।
ବାଲେଶ୍ୱର ମ୍ୟୁନିସିପାଲଟିର ୩୧ଟି ଓ୍ୱାର୍ଡ ଓ ସଦରର ୨୬ ପଞ୍ଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବେ ।
ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ୍ ବୁଥ୍ ରହିଛି । ଉଭୟ ଆସନ ପାଇଁ ମୋଟ୍ ୯୦ ପ୍ଲାଟୁନ୍ ଫୋର୍ସ, ୬ କମ୍ପାନି ସିଏପିଏଫ୍ ଓ ୨୫୦ ପୋଲିସ୍ ଅଫିସର ନିଯୁକ୍ତି କରାଯାଇଛି । ଏହାବାଦ୍ ବୁଥ୍ଗୁଡ଼ିକରେ ସିସିଟିଭି ଓ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।
ବାଲେଶ୍ୱର ସଦର ଆସନରେ ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ ଓ କଂଗ୍ରେସରୁ ମମତା କୁଣ୍ଡୁ ନିର୍ବାଚନ ଲଢୁଛନ୍ତି । ୨୦୧୯ ନିର୍ବାଚନର ତଥ୍ୟ ଦେଖିଲେ, ବାଲେଶ୍ୱରରେ ବିଜେପିରୁ ମଦନ ମୋହନ ଦତ୍ତ ବିଧାୟକ ହୋଇଥିଲେ । ସେ ୭୪ ହଜାର ୮୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଜୀବନ ପ୍ରଦୀପ ଦାସ ୬୧ ହଜାର ୪୦୯ ଖଣ୍ଡ ଭୋଟ୍ ପାଇଥିଲେ ।
ସେହିପରି ତିର୍ତ୍ତୋଲ ଆସନରୁ ଏଥର ବିଜେପିରୁ ରାଜକିଶୋର ବେହେରା, ବିଜେଡିରୁ ବିଜୟ ଶଙ୍କର ଦାସ ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଏଠାରୁ ବିଧାୟକ ହୋଇଥିଲେ ବିଜେଡିରୁ ବିଷ୍ଣୁ ଦାସ । ସେ ମୋଟ ୯୩ ହଜାର ୯୬୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିରୁ ରମାକାନ୍ତ ଭୋଇ ୫୩ ହଜାର ୫୮୧ ଖଣ୍ଡ ଭୋଟ୍ ପାଇଥିଲେ।