ଜଣେ ଇଟାଭାଟି ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଲକାନଗିରି ଟିପିଏସ୍ଓଡିଏଲ୍ (TPSODL)ର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଇଟାଭାଟିକୁ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଏହାର ମାଲିକ ଆବେଦନ କରିଥିଲେ। ତେବେ ଏଥିପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ।
ଅନ୍ୟକୌଣସି ଉପାୟ ନପାଇ ଇଟାଭାଟି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ଇଟାଭାଟି ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା ପକ୍ଷରୁ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସହିତ ତାଙ୍କ ଜଣେ ସହଯୋଗୀ (ସରକାରୀ ଚାକିରିଆ ନୁହନ୍ତି)ଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି ଓ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।
ଜାନୁଆରୀ ୩୧ ତାରିଖରେ ଜଣେ ହିତାଧିକାରୀଙ୍କୁ ସବ୍ସିଡି ରାଶି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ। ସେହିପରି ଜାନୁଆରୀ ୨୯ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା। ସେ ତାଙ୍କ ସ୍କୁଟରରେ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ହେପାଟୋଲୋଜି ବିଭାଗକୁ ବିଭିନ୍ନ ମେଡିକାଲ ସାମଗ୍ରୀ ଯୋଗାଣ ପାଇଁ ବିଡର୍ଙ୍କଠାରୁ ସେ ଏହି ଅର୍ଥ ଲାଞ୍ଚ ଆକାରରେ ନେଇଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/03/je-2026-02-03-14-56-50.jpg)