ମାଲକାନଗିରି (ଜିତେନ୍ଦ୍ର ବେଉରା): “ମାନନୀୟ ମୁଖ୍ୟମନ୍ତ୍ରୀ, ମୁଁ ଏ ରୋଗର କଷ୍ଟ ସହିପାରୁନି। ତେଣୁ ଗୁହାରି କରୁଛି, ମୋତେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ...।” ଚମ୍ପା ଲେଖିଛି ଚିଠି। ବାସ୍ନା ମହକାଇବାକୁ ନୁହେଁ, ବରଂ ଅନୁମତି ମାଗିଛି ଅକାଳରେ ଝଡ଼ି ଯିବାକୁ। ଜୀବନଠୁ ଯନ୍ତ୍ରଣା ବଳିଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏମିତି ଆକୁଳ ନିବେଦନ କରି ଚିଠି ଲେଖିଛି ଏକ ଉପାନ୍ତ ଗାଁର ଆଦିବାସୀ ଝିଅ ଚମ୍ପା।
ମାଲକାନଗିରି ଜିଲ୍ଲା ମାଥିଲି ସର୍ଗିଗୁଡ଼ା ଗାଁର ଚମ୍ପା କାଲାକୁରା। ୨୦୦୬ ମସିହାରେ ସପ୍ତମ ପଢ଼ିଲା ବେଳେ ହଠାତ୍ ହାତଗୋଡ଼ ଝିମା ମାରିଗଲା। ଧୀରେଧୀରେ ରୁଗ୍ଣ ଓ ଅବଶ ହୋଇଗଲା ଗୋଡ଼ହାତ। ସେବେଠୁ ୧୩ ବର୍ଷ ହେଲା ଶଯ୍ୟାଶାୟୀ। ଅଜଣା ରୋଗର ଜ୍ୱାଳାରେ ଜଳିପୋଡ଼ିଗଲା ପୂରା କିଶୋରାବସ୍ଥା। ଏବେ ଚମ୍ପାକୁ ୨୪ ବର୍ଷ। ତଥାପି ଖିଆପିଆ, ଗାଧୁଆ ଠୁ ଶୌଚ ପର୍ଯ୍ୟନ୍ତ ସବୁ ପାଇଁ ମା’ ଉପରେ ନିର୍ଭର କରୁଛନ୍ତି ଚମ୍ପା। ଏ ମେଡିକାଲ୍ରୁ ସେ ମେଡିକାଲ୍କୁ ଦୌଡ଼ି ଦୌଡ଼ି ବାପା ସର୍ବସ୍ୱାନ୍ତ ହେବା ପରେ ଝିଅକୁ ଛାଡ଼ି ଦେଇଛନ୍ତି ଭଗବାନ ଭରସାରେ। ତେଣୁ ଏଭଳି ଯମଯନ୍ତ୍ରଣା ସହିବା ଅପେକ୍ଷା ମରିବା ସହଜ ଭାବି, ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଛନ୍ତି।
ଚମ୍ପାର ଏହି ଦାରୁଣ ଚିଠି ଓ ତା’ ପଛର ଯନ୍ତ୍ରଣାସିକ୍ତ କାହାଣୀ ଓଡ଼ିଶା ରିପୋର୍ଟରରେ ପ୍ରକାଶ ପାଇବା ପରେ ଜାଗିଛି ନୂଆ ଆଶା। ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ନିର୍ଦ୍ଦେଶ କ୍ରମେ ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିବା ଚମ୍ପାକୁ ଗାଁରୁ ଅଣାଯାଇ ମାଲକାନଗିରି ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅନୁଧ୍ୟାନରେ ରଖାଯାଇଛି। ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ନିମନ୍ତେ କଟକ ପଠାଯିବ ବୋଲି ସିଡିଏମ୍ଓ ଅଜୟ କୁମାର ବୈଥାରୁ କହିଛନ୍ତି।
ପୁଣି ଥରେ ହସି ଉଠିବ କି ଚମ୍ପା? ପୁଣି ଥରେ ଦେଖିବ କି ଆଗାମୀ କାଲିର ସ୍ୱପ୍ନ? ତାହା କେବଳ ସମୟ ହିଁ କହିବ।