ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଖଟ ଓ ଲୁଗା ଭାରରେ ଗଲେ ୨ ପ୍ରସୂତି, ଜମଜ ସନ୍ତାନ ମୃତ

ଉମରକୋଟ/କୋରାପୁଟ(ଓଡ଼ିଶା ରିପୋର୍ଟର): ଯନ୍ତ୍ରଣାରେ ଜର୍ଜରିତ ଗର୍ଭବତୀଙ୍କ ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ତେଣୁ ଖଟିଆ ଭାରରେ ଡାକ୍ତରଖାନା ପହଞ୍ଚିବା ବେଳକୁ ଜଣେ ମା’କୁ ତା’ର ଜନ୍ମଜ ସନ୍ତାନ ହରାଇବାକୁ ପଡ଼ିଥିବା ବେଳେ ଅନ୍ୟଜଣେ ପ୍ରସୂତି ଲୁଗା ଭାରାରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଗୁରୁତର ହୋଇପଡ଼ିଛନ୍ତି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ଉମରକୋଟ ଓ କୋରାପୁଟର କୋଟିଆ ଅଞ୍ଚଳରୁ ଆଜି ଦୁଇଟି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅଲଟିଆଝରି […]

dd

  • Published: Sunday, 18 September 2022
  • , Updated: 19 September 2022, 01:31 PM IST

ଉମରକୋଟ/କୋରାପୁଟ(ଓଡ଼ିଶା ରିପୋର୍ଟର): ଯନ୍ତ୍ରଣାରେ ଜର୍ଜରିତ ଗର୍ଭବତୀଙ୍କ ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ତେଣୁ ଖଟିଆ ଭାରରେ ଡାକ୍ତରଖାନା ପହଞ୍ଚିବା ବେଳକୁ ଜଣେ ମା’କୁ ତା’ର ଜନ୍ମଜ ସନ୍ତାନ ହରାଇବାକୁ ପଡ଼ିଥିବା ବେଳେ ଅନ୍ୟଜଣେ ପ୍ରସୂତି ଲୁଗା ଭାରାରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଗୁରୁତର ହୋଇପଡ଼ିଛନ୍ତି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ଉମରକୋଟ ଓ କୋରାପୁଟର କୋଟିଆ ଅଞ୍ଚଳରୁ ଆଜି ଦୁଇଟି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅଲଟିଆଝରି ଗ୍ରାମର ଈଶ୍ୱର ସାନ୍ତାଙ୍କ ସ୍ତ୍ରୀ ତୁଳାବତୀ ସାନ୍ତାଙ୍କୁ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ ହେବା ପରେ ଆଶା ଦିଦିଙ୍କୁ ଖବର ଦିଆଯାଇଥିଲା ଏବଂ ଆମ୍ବୁଲାନ୍ସ କୁ ମଧ୍ୟ ଫୋନ୍ କରାଯାଇଥିଲା। ଖବର ପାଇ ୧୦୨ ଆମ୍ବୁଲାନ୍ସ ମଧ୍ୟ ବାହାରିଲା। କିନ୍ତୁ ଉକ୍ତ ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ଆମ୍ବୁଲାନ୍ସ ପହଂଚି ପାରି ନ ଥିଲା। ଆମ୍ବୁଲାନ୍ସଟି ରାମସା ଗ୍ରାମ ଦେଇ କୁମାରସାହି ଠାରେ ଅଟକି ରହିଥିଲା। ଇତି ମଧ୍ୟରେ ତୁଳାବତୀ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇ ସାରିଥିଲେ।

ହେଲେ ପ୍ରସୂତିଙ୍କ ପ୍ରସବ ବେଦନା କମି ନ ଥିଲା। ତେଣୁ ତାଙ୍କ ଗର୍ଭରେ ଜାଆଁଳ ସନ୍ତାନ ଥିବା ସନ୍ଦେହ କରି ପରିବାର ଲୋକ ଘରୁ ପ୍ରସୂତି ଓ ନବଜାନ ଶିଶୁକୁ ଦେଶୀ ଯୋଗାଡ଼ ପୂର୍ବକ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣିଥିଲେ। ସେଠାରୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତୁଳାବତୀ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ହେଲେ ଜନ୍ମର ଅଧ ଘଣ୍ଟା ପରେ ଉଭୟ ନବଜାତଙ୍କ ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ପ୍ରସୂତିଙ୍କ ସମେତ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ପହଂଚି ପାରି ନ ଥିଲା ଆମ୍ବୁଲାନ୍ସ। ତେଣୁ ରାସ୍ତା ଅତିକ୍ରାନ୍ତ ଜନିତ ଯନ୍ତ୍ରଣା ସହି ନ ପାରି ନବଜାତ ଜମଜ ସନ୍ତାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ପ୍ରସୂତିଙ୍କ ସ୍ୱାମୀ ଈଶ୍ୱର ସାନ୍ତା ଦୀର୍ଘ ନିଶ୍ୱାସ ମାରି କହିଛନ୍ତି, ତାଙ୍କ ଗ୍ରାମକୁ ଭଲ ରାସ୍ତାଟିଏ ସରକାର କରିଥିଲେ, ହୁଏତ ଆଜି ଏଭଳି ଅଘଟଣ ଘଟି ନ ଥାନ୍ତା।

ସେହିପରି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆଜି ଅକଥିନୀୟ ଯନ୍ତ୍ରଣା ଭୋଗିଛନ୍ତି ଜଣେ ଆସନ୍ନ ପ୍ରସବା। ଲୁଗା ଭାରରେ ୪ କିଲୋମିଟର ବୁହା ହେଲେ ଗର୍ଭବତୀ। ଆଦିବାସୀ ମହିଳାଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ପରିବାରବର୍ଗ, ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର।

[caption id="attachment_767332" align="aligncenter" width="650"] ପାହାଡ଼ ଓ ଜଙ୍ଗଲ ଡ଼େଇଁ ଲୁଗା ଭାରାରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଅଣାଯାଉଛି।[/caption]

ଏହାପରେ ପଟାଙ୍ଗୀ ସିଏଚସିରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ହେଲେ ସୀମାଗଡା ଗାଁର ଜାନୀ ଅନିତା। ସୀମାଗାଡାରୁ ୪ କିଲୋମିଟର ଦୂର ବିଜାଗୁଡା ପର୍ଯ୍ୟନ୍ତ ଆସିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରି ଡାକ୍ତରଖାନା ଅଣାଯାଇଥିଲା। ଲୁଗା ଭାରରେ ବଣଜଙ୍ଗଲ ରାସ୍ତାରେ ଆସିବା ବେଳେ ତାଙ୍କ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିଲା। ଡାକ୍ତରଖାନା ପହଞ୍ଚିବା ବେଳକୁ ସେ ଗୁରୁତର ହୋଇପଡ଼ିଥିଲେ। ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଏହି ପ୍ରସୂତିଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି ବୋଲି ଅଭିଯୋଗ ହୋଇଛି।

ସ୍ୱାଧୀନତାର ୭୫ ବର୍ଷ ପରେ ବି କୋଟିଆ ଓ ଅଲଟିଆଝରି ଭଳି ବହୁ ଆଦିବାସୀ ଅଧ୍ୟୁଷିତ ଗ୍ରାମର ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ହେଲେ ପ୍ରଶାସନ ପକ୍ଷରୁ ପ୍ରତି ଗାଁକୁ ରାସ୍ତା ନିର୍ମାଣ ହେଉନି। ଯାହାକୁ ନେଇ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଯୋଜନା କରୁଥିବା ସରକାରଙ୍କ ଘୋଷଣା ପୁଣି ପ୍ରହସନ ପ୍ରମାଣିତ ହୋଇଛି।

Related story