କନ୍ୟାକୁ ଛାଡ଼ି ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ, ୯ ଆହତ

ବରଗଡ଼ (ଓଡ଼ିଶା ରିପୋର୍ଟର): ବାହାଘର ପରେ କନ୍ୟାକୁ ଶାଶୁ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ କୁତପାଲି ଦୁଇମୁହାଣି ଆଇଟିଆଇ କଲେଜ ସମ୍ମୁଖରେ। ପ୍ରାୟ ୩୦ ଜଣ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବରପାଲି ଥାନା କୁମ୍ଭାରୀ ଗାଁରୁ କନ୍ୟା ଛାଡ଼ିବାକୁ ଭେଡେନ ଥାନା […]

Accident

Jitendra Garnayak
  • Published: Thursday, 05 May 2022
  • , Updated: 05 May 2022, 10:11 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବାହାଘର ପରେ କନ୍ୟାକୁ ଶାଶୁ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ କୁତପାଲି ଦୁଇମୁହାଣି ଆଇଟିଆଇ କଲେଜ ସମ୍ମୁଖରେ।

ପ୍ରାୟ ୩୦ ଜଣ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବରପାଲି ଥାନା କୁମ୍ଭାରୀ ଗାଁରୁ କନ୍ୟା ଛାଡ଼ିବାକୁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗାଁକୁ ଯାଇଥିଲେ। ସେଠାରେ ଭୋଜି ଖାଇ ସାରିବା ପରେ କୁମ୍ଭାରୀକୁ ଫେରୁଥିଲେ। ହେଲେ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଦୁଇମୁହାଣି ଆଇଟିଆଇ କଲେଜ ସମ୍ମୁଖରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପ୍ରାୟ ୧୦ ଫୁଟ ଗଭୀରର ଏକ ଖାଲରେ ଓଲଟି ପଡ଼ିଥିଲା।

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଉଛନ୍ତି କୁମ୍ଭାରୀ ଗାଁର ଈଶ୍ୱର ବିଶି (୪୫) ଓ ରଞ୍ଜିତ ସାହୁ (୪୨)। ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ରାମଚନ୍ଦ୍ର ପ୍ରଧାନ (୪୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାକୁ ନେଇ ଭେଡେନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଏହାର ତଦନ୍ତ କରୁଛି।

Related story