/odisha-reporter/media/media_files/2026/02/17/jail-2026-02-17-13-48-44.jpg)
ଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ଜଣ ବାଳ ଅପରାଧୀ ଚମ୍ପଟ ହୋଇଯାଇଛନ୍ତି। ପର୍ଯ୍ୟବେକ୍ଷଣ ଗୃହ ପରିସରରେ ଥିବା ଡ୍ରେନରେ ଗାତ ଖୋଳି ସେହି ବାଟରେ ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଦୁଇ ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳର ଓ ଅନ୍ୟ ଜଣେ କଟକ ଜିଲ୍ଲା ଟାଙ୍ଗି ଥାନା ହରିପୁର ଅଞ୍ଚଳର।
ଦୁଇ ବାଳ ଅପରାଧୀ ଦ୍ୱୟ ଚମ୍ପଟ ହେବା ପରେ ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦେଇଛନ୍ତି ଅନୁଗୋଳ ପରିବୀକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ୱତନ୍ତ୍ର ଆବାସର କାଉନସେଲର। ଗତ ୧୪ ତାରିଖରେ ଦୁଇ ନାବାଳକ ଅଭିଯୁକ୍ତ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।
ସେହିଭଳି ଭଦ୍ରକ ରିଜର୍ଭ ପୁଲିସ ବାରକରୁ ଫେରାର ହୋଇଯାଇଛନ୍ତି ଜଣେ ଅଭିଯୁକ୍ତ। ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ପଚରାଉଚୁରା କରିବା ପାଇଁ ରିଜର୍ଭ ବାରାକରେ ତାଙ୍କୁ ରଖିଥିଲା ପୁଲିସ ।
ଫେରାର ଅଭିଯୁକ୍ତଙ୍କ ନାଁ ସ୍ମୃତି ରଞ୍ଜନ ନାଥ। ଜଣେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗରେ ପୁଲିସ୍ ସ୍ମୃତି ଓ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି ସୁରକ୍ଷା ଦୃଷ୍ଟିରୁ ତଥା ପଚରାଉଚରା କରିବା ପାଇଁ ଭଦ୍ରକ ରିଜର୍ଭ ପୁଲିସ ବାରାକରେ ରଖିଥିଲା। ତେବେ ସ୍ମୃତି ରଞ୍ଜନ ନାଥ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳି ନଥିବା ଜଣାପଡ଼ିଛି।
ରିମାଣ୍ଡରେ ଗଲା ମଧୁକାନ୍ତ
ରିମାଣ୍ଡରେ ଯାଇଛି ଚୌଦ୍ୱାର ଜେଲ୍ରୁ ଚମ୍ପଟ୍ ମାରିଥିବା କଏଦୀ ମଧୁକାନ୍ତ ରାଣା। ତାକୁ ୬ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ। ସେ କେମିତି ଚମ୍ପଟ ମାରିଥିଲା ଓ ଏଥିରେ ଆଉ କାହାର ସଂପୃକ୍ତି ଅଛି, ସେ ନେଇ ଜେରା କରିବ ପୁଲିସ।
ଗତବର୍ଷ ଅକ୍ଟୋବର ୨ ତାରିଖ ରାତିରେ ଅନ୍ୟ ଜଣେ କଏଦୀ ସହିତ ଚୌଦ୍ୱାର ଜେଲ୍ରୁ ଚମ୍ପଟ ମାରିଥିଲା ମଧୁକାନ୍ତ ରାଣା। ଗତ ୧୪ ତାରିଖରେ ଉତ୍ତର ପ୍ରଦେଶ ବୃନ୍ଦାବନରୁ ସେ ଗିରଫ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
