ମଝି ରାସ୍ତାରୁ ଦୁଇ ୱାର୍ଡ ମେମ୍ୱରଙ୍କୁ ଅପହରଣ, ୭ ଘଣ୍ଟା ପରେ ଛାଡ଼ିଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନାଏବ ସରପଞ୍ଚ ନିର୍ବାଚନରେ ଭାଗ ନେବା ପାଇଁ ସାଥୀଙ୍କ ସହ ପଞ୍ଚାୟତ ଅଫିସ୍‌ ଯାଉଥିଲେ ଦୁଇ ୱାର୍ଡ ମେମ୍ୱର। ହେଲେ ରାସ୍ତା ମଝିରୁ ସେମାନଙ୍କୁ ଉଠାଇ ନେଲେ ବିରୋଧୀ ଗୋଷ୍ଠୀ। ପ୍ରାୟ ୭ ଘଣ୍ଟା ପରେ ସେମାନଙ୍କୁ ଛାଡ଼ିଛନ୍ତି। ଆଜି ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ଆଜି ଥିଲା ନାଏବ ସରପଞ୍ଚ ନିର୍ବାଚନ। ସେଥିପାଇଁ ସାହାଜବାହାଲ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ୱରଙ୍କୁ ଧରି ନାଏବ ସରପଞ୍ଚ ପ୍ରାର୍ଥୀ ନିରୂପମା ମହାନନ୍ଦ ପଞ୍ଚାୟତ […]

Balangir

Manoranjan Sial
  • Published: Friday, 11 March 2022
  • , Updated: 11 March 2022, 07:19 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନାଏବ ସରପଞ୍ଚ ନିର୍ବାଚନରେ ଭାଗ ନେବା ପାଇଁ ସାଥୀଙ୍କ ସହ ପଞ୍ଚାୟତ ଅଫିସ୍‌ ଯାଉଥିଲେ ଦୁଇ ୱାର୍ଡ ମେମ୍ୱର। ହେଲେ ରାସ୍ତା ମଝିରୁ ସେମାନଙ୍କୁ ଉଠାଇ ନେଲେ ବିରୋଧୀ ଗୋଷ୍ଠୀ। ପ୍ରାୟ ୭ ଘଣ୍ଟା ପରେ ସେମାନଙ୍କୁ ଛାଡ଼ିଛନ୍ତି। ଆଜି ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି।

ଆଜି ଥିଲା ନାଏବ ସରପଞ୍ଚ ନିର୍ବାଚନ। ସେଥିପାଇଁ ସାହାଜବାହାଲ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ୱରଙ୍କୁ ଧରି ନାଏବ ସରପଞ୍ଚ ପ୍ରାର୍ଥୀ ନିରୂପମା ମହାନନ୍ଦ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। ତେବେ ଗାଁ ଆମ୍ୱ ତୋଟା ନିକଟରେ ପୂର୍ବରୁ ଛପି ରହିଥିବା କେତେକ ବ୍ୟକ୍ତି ସେମାନଙ୍କ ଭିତରୁ ଦୁଇଜଣ ୱାର୍ଡ ମେମ୍ୱରଙ୍କୁ ଜୋର ଜବରଦସ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

ସାହାଜବାହାଲ ଗାଁର ୱାର୍ଡ ନମ୍ୱର ୭ର ୱାର୍ଡ ମେମ୍ୱର ଯୁଧିଷ୍ଠିର ଡାଙ୍ଗ ଓ ୮ ନମ୍ୱର ୱାର୍ଡର ୱାର୍ଡ ମେମ୍ୱର ନାରାୟଣ ଭୋଇଙ୍କୁ ଅପହରଣ କରାଯାଇଛି। ଏନେଇ ନାଏବ ସରପଞ୍ଚ ପ୍ରାର୍ଥୀ ନିରୂପମା ମହାନନ୍ଦ ଓ ଅପହୃତଙ୍କ ପରିବାର ଲୋକେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିପକ୍ଷ ଗୋଷ୍ଠୀର ଲୋକମାନେ ଅପହରଣ କରିଥିବା ନେଇ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅପହୃତ ୱାର୍ଡ ମେମ୍ୱର ସଦସ୍ୟଙ୍କ ପରିବାର ଲୋକେ ଓ ସମର୍ଥକ ପଞ୍ଚାୟତ ଅଫିସରେ ପହଞ୍ଚି ଭୋଟ୍‌ ବାକ୍ସ ଓ ବାଲାଟ୍‌ ପେପର ଛଡ଼ାଇ ନେଇଯାଇଥିଲେ। ଏପରିକି ପ୍ରିଜାଇଡିଂ ଅଫିସରଙ୍କ ମୋବାଇଲ୍‌ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଦେଓଗାଁ ଥାନା ପୁଲିସ୍‌ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଖୋଜାଖୋଜି ପରେ ଏକ ବୁଦା ମୂଳରୁ ବ୍ୟାଲେଟ୍‌ ବାକ୍ସ ଓ ମୋବାଇଲ୍‌ ଉଦ୍ଧାର କରିଛି।

ନାଏବ ସରପଞ୍ଚ ନିର୍ବାଚ ହେବନାହିଁ ବୋଲି ପ୍ରଚାରିତ ହେବା ପରେ ଅପହରଣକାରୀ ଅପହୃତ ୱାର୍ଡ ମେମ୍ୱରଙ୍କୁ ଆଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଛାଡ଼ି ପଳାଇ ଯାଇଥିଲେ। ଅପରାହ୍ନ ପ୍ରାୟ ୫ଟା ବେଳେ ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଥିଲେ ମଧ୍ୟ ୱାର୍ଡ ମେମ୍ୱରମାନେ ଏନେଇ ମୁହଁ ଖୋଲୁନାହାନ୍ତି।

ଅପହରଣ ଓ ଭୋଟ୍‌ ବାକ୍ସ ଚୋରି ନେଇ ଥାନାରେ ଦୁଇଟି ମାମଲା ରୁଜୁ କରିଛି। ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Related story