ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଅନୁସଚିବ। ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ। ତାଙ୍କୁ ଗିରଫ କରାଯାଇଛି।
ଶ୍ରୀ ସାହୁ ଯୋଜନା ଓ ସମନ୍ୱୟ ବିଭାଗରେ ଅନୁସଚିବ ଅଛନ୍ତି। ବିଲ୍ କରାଇ ଦେବାକୁ ଏକ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଭିଜିଲାନ୍ସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସାହୁ ମୋଟ ୬୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରୁ ୨୬,୫୦୦ ଟଙ୍କା ୫୫ଟି ୟୁପିଏସ୍ କିଣିବା ପାଇଁ ଅର୍ଡର ଜାରି କରିବାକୁ ସେ ମାଗିଥିଲେ। ଟଙ୍କା ନଦେଲେ ଅର୍ଡରକୁ ଅଟକାଇ ଦେବେ ବୋଲି ଉକ୍ତ କମ୍ପ୍ୟୁଟର ଫାର୍ମ ମାଲିକଙ୍କୁ ଧମକ ଦେଇଥିଲେ।
ପୂର୍ଣ୍ଣଚନ୍ଦ୍ର ସାହୁ ଲାଞ୍ଚ ମାଗୁଥିବା ନେଇ ଉକ୍ତ କମ୍ପ୍ୟୁଟର ଫାର୍ମ ମାଲିକ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ପୂର୍ଣ୍ଣଚନ୍ଦ୍ର ସାହୁ ତାଙ୍କ ସରକାରୀ ବାସଭବନରେ ଅଭିଯୋଗକାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରି ପକାଇଥିଲେ। ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଏହା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସରକାରୀ ବାସଭବନ ସମେତ ଲୋକସେବା ଭବନ ସ୍ଥିତ ଅଫିସ୍ ଚାମ୍ବର, ଭୁବନେଶ୍ୱରର ଭରତପୁରର ଦୁର୍ଗାମାଧବନଗର ସ୍ଥିତ ଘର, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଛାନ୍ଭିନ୍ କରାଯାଉଛି।