ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ସବୁ ଭୋଟରଙ୍କ ସାମ୍ବିଧାନିକ ଅଧିକାର। ଏ କ୍ଷେତ୍ରରେ ନିଜ ନିଷ୍ପତ୍ତିକୁ ଜଣେ ଅନ୍ୟ ଜଣଙ୍କ ଉପରେ ଲଦି ପାରିବନି । ହେଲେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ମଣ୍ଡଳ ପଞ୍ଚାୟତ ଜମାଖାରୀ ଗାଁରେ ସାମ୍ବିଧାନିକ ଅଧିକାରର ହେଉଛି ଖୁଲମଖୁଲା ଉଲ୍ଲଘଂନ। ଗ୍ରାମବାସୀ କହୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନା କରିବାରୁ ଗାଁରୁ ତଡ଼ା ଖାଇଲେ ଭୋଟର । ଏପରି ଅଭିଯୋଗ ଆଣିଛନ୍ତି ଅନନ୍ତ ମହାନନ୍ଦ ନାମକ ବ୍ୟକ୍ତି।
ଅନନ୍ତ ମହାନନ୍ଦ କରିଥିବା ଅଭିଯୋଗ ଅନୁଯାୟୀ, ଦାମୋଦର ଯୋଶୀ ନାମକ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଗାଁରେ ଭୋଜି ଭାତ ହୋଇଥିଲା । ଏହାପରେ ଟଙ୍କା ବାଣ୍ଟିବା ସହ ତାଙ୍କୁ ଭୋଟ ଦେବାକୁ କୁହାଯାଇଥିଲା । ତେବେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଥିଲି। ତେଣୁ ମୋ ଉପରେ ଆରମ୍ଭ ହୋଇ ଯାଇଥିଲା ଜୁଳମ । ମିଳିତ ଭାବେ ଗ୍ରାମବାସୀ ମାଡ଼ ମାରିଥିଲେ ବି ମନ ଶାନ୍ତି ହୋଇ ନ ଥିଲା। ଏହାପରେ ଗାଁରେ କଙ୍ଗାରୁ କୋର୍ଟ ବସାଇ ଗାଁରୁ ବିତାଡିତ କରିଥିଲେ ।
ଅନନ୍ତ ପରିବାର ସହ ମଣ୍ଡଳ ଗାଁରେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଜୀବନ ପ୍ରତି ଭୟ ଥିବା ପୁଲିସ୍ ପାଖକୁ ଯାଇପାରୁ ନ ଥିବା କହିଛନ୍ତି । ଅନନ୍ତଙ୍କ ଅଭିଯୋଗ ନେଇ ଜମାଖାରୀ ଗ୍ରାମବାସୀ କିମ୍ବା ସରପଞ୍ଚ ପ୍ରାର୍ଥୀ ଦାମୋଦର ଯୋଶୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।