ଅଶ୍ୱିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ପ୍ରାର୍ଥୀ, କାହିଁକି ହାତ ଟେକିଦେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ […]

rajyasabha

Tapaswini Nayak
  • Published: Friday, 21 June 2019
  • , Updated: 21 June 2019, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ ପୁଣିଥରେ ସଫେଇ ଦେଇ କହିଛନ୍ତି ଯେ, ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ। ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ଓ ସମର୍ଥନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ। ତେବେ ଏସବୁ ଘଟଣା ମଧ୍ୟରେ ଶ୍ରୀ ବୈଷ୍ଣବଙ୍କ ଆଳରେ ନବୀନ ପୁଣିଥରେ ବିଜେପି ପାଖରେ ନିଜକୁ ଆତ୍ମସର୍ମପଣ କରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।

କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱରେ ଏନଡିଏ ପୁଣିଥରେ ସ୍ପଷ୍ଟ ଜନାଦେଶ ସହ ସରକାର ଗଠନ କରିବା ପରଠୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ନେତୃତ୍ୱଙ୍କ ନିକଟତର ହେବାକୁ ସୁଯୋଗ ଉଣ୍ଡୁଥିବା ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଘନିଷ୍ଠ ସହଯୋଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ସପ୍ତାହକ ମଧ୍ୟରେ ୩ଥର ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ମୋଦିଙ୍କୁ ନବୀନ ଭେଟିବା ପରେ ବିଜେଡି ଉପରେ ପଡ଼ି ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଥିଲା। ତେବେ ଶ୍ରୀ ବୈଷ୍ଣବଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ନବୀନ ତାଙ୍କୁ ସମର୍ଥନ କରିବା ପରୋକ୍ଷରେ ନବୀନଙ୍କ ଅସହାୟତାକୁ ପଦାରେ ପକାଇଛି।

ଜଣେ ବି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବା ଭଳି ସାମର୍ଥ୍ୟ ରାଜ୍ୟ ବିଜେପିର ନଥିବାବେଳେ ଦଳ କିଭଳି ଶ୍ରୀ ବୈଷ୍ଣବଙ୍କୁ ନିଜର ପ୍ରାର୍ଥୀ ଘୋଷଣା କଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ଲାଗି ରହିଥିଲା। କିନ୍ତୁ ଶ୍ରୀ ବୈଷ୍ଣବଙ୍କୁ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି ନବୀନ କହିବାପରେ ଖୋଲାଖୋଲି ଭାବେ ବିଜେପି ଓ ବିଜେଡି ମଧ୍ୟରେ ରୋମାନ୍ସର ଆଉ ଏକ ଯୁଗ ଆରମ୍ଭ ହୋଇସାରିଥିବା ସ୍ପଷ୍ଟ ହୋଇଛି। ସଂଖ୍ୟା ଦୃଷ୍ଟିରୁ ବିଧାନସଭାରେ ବିଜେପିର ମାତ୍ର ୨୩ଜଣ ବିଧାୟକ ଥିବାବେଳେ ରାଜ୍ୟସଭା ଉପନିର୍ବାଚନରେ ସମସ୍ତ ୩ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବଶ୍ୟକ ସଂଖ୍ୟା କେବଳ ବିଜେଡି ପାଖରେ ରହିଛି। ବିଜେଡି ସହଜ ସ୍ଥିତିରେ ଥିବାବେଳେ ବିଜେପିକୁ ନିଜର ଗୋଟିଏ ରାଜ୍ୟସଭା ଆସନ ଟେକି ଦେବା ପଛରେ ଯେ ଏକ ବିରାଟ ରାଜନୀତିକ ଡିଲ୍ ହୋଇଛି ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ଚିଟଫଣ୍ଡ, ଖଣି, କୋଇଲା ଆଦି ଦୁର୍ନୀତିରେ ସିବିଆଇ ତଦନ୍ତକୁ ନେଇ ଆଶଙ୍କାରେ ଥିବା ବିଜେଡି ଓ ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା ପାଇଁ ବିଜେପି ଆଗରେ ହାତଟେକି ଦେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହାରେ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାପରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟ ପୂର୍ବରୁ ଓଡ଼ିଶାରୁ ରାଜ୍ୟସଭା ପାଇଁ ଚର୍ଚ୍ଚାରେ ରହିଥିଲା। ମାତ୍ର ସେତେବେଳେ ମୋଦି ଓ ଶାହଙ୍କ ଯୋଡ଼ିକୁ ବିଜେଡି ବିଶେଷ ଗୁରୁତ୍ୱ ଦେଇନଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଏହି ଯୋଡ଼ି ବିଜେପିକୁ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ କରିବା ପରେ ନବୀନଙ୍କ ପାଇଁ ବାଧ୍ୟବାଧକତା ବଢ଼ିଯାଇଥିଲା।

ବିଜେପି ସହ ସାଲିସ କରି ରାଜନୀତି କରିବା ପାଇଁ ନବୀନ ଆଗଭର ହୋଇ ବିଜେପିର ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀ ବୈଷ୍ଣବ ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଉଭୟ ବିଜେପି ଓ ଆରଏସଏସ ସହ ଶ୍ରୀ ବୈଷ୍ଣବଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କୁ ନିଜର ସୁରକ୍ଷାକବଚ ଭାବେ ଉପଯୋଗ କରିବାକୁ ବିଜେଡି ଚିନ୍ତା କରିଛି। ଯେଉଁଥିପାଇଁ ନିଜର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସୁବିଧାଜନକ ସ୍ଥିତି ଥିବା ସତ୍ତ୍ୱେ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ନବୀନ ଘୋଷଣା କରିବାକୁ ପଛାଇ ନାହାନ୍ତି।

ସମଦୂରତ୍ୱର ମାଳା ଜପୁଥିବା ନବୀନ ରାଜ୍ୟରେ ଦୃଢ଼ ସ୍ଥିତିରେ ଥିବା ସତ୍ତ୍ୱେ ମୋଦି-ଶାହ ଯୋଡ଼ିଙ୍କ ରଣନୀତି ଆଗରେ ନିଜକୁ ଅସହାୟ ମଣି ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ଦଶନ୍ଧି ପୁରୁଣା ରୋମାନ୍ସକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି। ତେବେ ବିନା ଫାଇଦାରେ ନବୀନ ଯେ ଏହି ଡିଲ୍ କରିଥିବେ ତାହା ବିଶ୍ୱାସଯୋଗ୍ୟ ନୁହେଁ। ସ୍ୱାମୀ ପଛେ ମରୁ କିନ୍ତୁ ସଉତୁଣୀ ବିଧବା ହେଉ ନ୍ୟାୟରେ ନବୀନ କିଛି ନେତାଙ୍କୁ କୋଣଠେସା କରିବା ସର୍ତ୍ତରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ବୁଝାମଣା କରିଥିବା କୁହାଯାଉଛି।

Related story