ବିଜେଡିରେ କ’ଣ ହେବ ରବୀନ୍ଦ୍ର ଜେନାଙ୍କ ଭବିଷ୍ୟତ?

ଭୁବନେଶ୍ୱର(ପ୍ରକାଶ ସେଠୀ): ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା ଛକାପଞ୍ଝା ବିଜେଡି ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଭୋଟ୍ ପାଇଁ ଆଉ ମାତ୍ର ୨୦ଦିନ ଥିବାବେଳେ ବାଲେଶ୍ୱରରେ ଦଳର ସ୍ଥିତି ଏବେ ‘ଏଣୁ ମାରିଲେ ଗୋ-ହତ୍ୟା, ସେଣୁ ମାରିଲେ ବ୍ରହ୍ମହତ୍ୟା’ ଭଳି ସ୍ଥିତିରେ ରହିଛି। ରାଜନୀତିକ ଗୋଟିଚାଳନାରେ ତ୍ରୁଟି ଓ ଅଭିଜ୍ଞତାର ଅଭାବ ହିଁ ଏବେ ବିଜେଡିକୁ ବାଲେଶ୍ୱରରେ ଅଡ଼ୁଆ ସ୍ଥିତିରେ ପକାଇଛି। ବିଜେଡି ସୂତ୍ର ଅନୁସାରେ, […]

rabindra1

Tapas Behera
  • Published: Tuesday, 13 October 2020
  • , Updated: 14 October 2020, 12:02 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା ଛକାପଞ୍ଝା ବିଜେଡି ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଭୋଟ୍ ପାଇଁ ଆଉ ମାତ୍ର ୨୦ଦିନ ଥିବାବେଳେ ବାଲେଶ୍ୱରରେ ଦଳର ସ୍ଥିତି ଏବେ ‘ଏଣୁ ମାରିଲେ ଗୋ-ହତ୍ୟା, ସେଣୁ ମାରିଲେ ବ୍ରହ୍ମହତ୍ୟା’ ଭଳି ସ୍ଥିତିରେ ରହିଛି। ରାଜନୀତିକ ଗୋଟିଚାଳନାରେ ତ୍ରୁଟି ଓ ଅଭିଜ୍ଞତାର ଅଭାବ ହିଁ ଏବେ ବିଜେଡିକୁ ବାଲେଶ୍ୱରରେ ଅଡ଼ୁଆ ସ୍ଥିତିରେ ପକାଇଛି।

ବିଜେଡି ସୂତ୍ର ଅନୁସାରେ, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ଅସନ୍ତୁଷ୍ଟ କରି ବାଲେଶ୍ୱର ସଦର ଆସନକୁ ହାତେଇବା ଦଳ ପାଇଁ ସମ୍ଭବପର ବି ନୁହେଁ। ଆଉ ଶ୍ରୀ ଜେନା ଓ ତାଙ୍କ ସମର୍ଥକଙ୍କ ଚାପରେ ଯଦି ବିଜେଡି ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରେ ତା’ହେଲେ ପ୍ରଥମଥର ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଗତ ୨୩ବର୍ଷ ମଧ୍ୟରେ ବିଜେଡି ଯେତିକି ଉପନିର୍ବାଚନର ସମ୍ମୁଖୀନ ହୋଇଛି, କୌଣସିଥର ବି ନବୀନଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇନି କିମ୍ବା ବିରୋଧ ବି ହୋଇନି। ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀମାନେ ଏହାକୁ ସହର୍ଷ ସ୍ୱୀକାର କରି ବିଜେଡିକୁ ଜିତାଇବାରେ ସକ୍ଷମ ହୋଇଛନ୍ତି। ମାତ୍ର ଏବେ କୋଭିଡ୍ ମହାମାରୀ ପାଇଁ ଦଳୀୟ ନେତାଙ୍କୁ ଭେଟୁନଥିବା ବିଜେଡି ସୁପ୍ରିମୋ କେଉଁ ଆଧାରରେ ସ୍ୱରୂପ କୁମାର ଦାସଙ୍କ ଟିକେଟ୍ ଉପରେ ଦଳୀୟ ମୋହର ମାରିଲେ ତାକୁ ନେଇ ବିଜେଡି ମହଲରେ ଏବେ ଚର୍ଚ୍ଚା ଜୋର୍ ଧରିଛି।

ସୂତ୍ର ଅନୁସାରେ, ଶ୍ରୀ ଜେନା ଏବେ ବିଜେଡି ସୁପ୍ରିମୋଙ୍କ ଗଳାରେ କଣ୍ଟା ଭଳି ଅଟକିଛନ୍ତି। ଶ୍ରୀ ଜେନାଙ୍କ ପ୍ରଭାବ ବାଲେଶ୍ୱର ଜିଲ୍ଲା ବିଜେଡିରେ ଅଧିକ ଥିବାବେଳେ ଯଦି ତାଙ୍କୁ କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନା ଦଳୀୟ ପ୍ରାର୍ଥୀ ନହେବେ ତା’ହେଲେ ତାଙ୍କ ଅନୁଗତ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଜିତିବାକୁ ନେଇ ଆଶଙ୍କା ରହିବ। ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇ ଏପ୍ରକାରର ଅଣଦେଖା ହୋଇ ରହିଥିବା ଶ୍ରୀ ଜେନାଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରି ବିଜେଡି ପରୋକ୍ଷରେ ତାଙ୍କୁ ସକ୍ରିୟ ହେବାର ସୁଯୋଗ ଦେଇଥିଲା। ଆଉ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଜୁନ୍ ମାସରେ ପରଲୋକ ହେବାପରେ ଶ୍ରୀ ଜେନା ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରି ନିର୍ବାଚନମଣ୍ଡଳୀରେ ଦଳର ସବୁଗୋଷ୍ଠୀର କର୍ମୀମାନଙ୍କୁ ନିଜ ପାଖକୁ ଆଣିବାରେ ସକ୍ଷମ ହୋଇଥିଲେ। ଏପରିକି ଜୀବନପ୍ରଦୀପ ଦାସ ଓ ଅନନ୍ତ ଦାସଙ୍କ ଖାସ୍ ଅନୁଗତମାନଙ୍କୁ ବି ଶ୍ରୀ ଜେନା ନିଜ ଶିବିରକୁ ଆଣିପାରିଥିଲେ। ଶ୍ରୀ ଜେନା ସେଠାରେ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାବେଳେ ବି ବିଜେଡି ପକ୍ଷରୁ ତାଙ୍କୁ ଚେକ୍ ଦିଆଯାଇ ନଥିଲା । କିନ୍ତୁ ଏବେ ଅନାଲୋଚିତ କାରଣ ପାଇଁ ଶ୍ରୀ ଜେନାଙ୍କୁ ଶେଷ ମୁହୂର୍ତ୍ତରେ ଚେକ୍ ଦେବାକୁ ଉଦ୍ୟମ ହୋଇଛି । ଆଉ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା ଓ ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ପଠାଇ ପରାଜିତ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ନୂଆ ସୂତ୍ର ଦିଆଯାଇଥିଲା। ଯାହାକୁ ନେଇ ଶ୍ରୀ ଜେନା ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡ଼ିଛି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନବୀନ ନିବାସ ଆସି ବାଲେଶ୍ୱର ସଦର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଟିକେଟ୍ ନେବାବେଳେ ମଧ୍ୟ ଶ୍ରୀ ଜେନାଙ୍କୁ କୌଣସି ଶାନ୍ତ୍ୱନା କି ଥଇଥାନର ପ୍ରତିଶ୍ରୁତି ଦିଆଯାଇନଥିଲା। ଯାହା ତାଙ୍କୁ ଅଧିକ ବ୍ୟଥିତ କରିଥିବା ସୂଚନା ମିଳିଛି। ଆଉ ଯେଉଁଥିପାଇଁ ଶ୍ରୀ ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ୍ ନମିଳିବା ପରେ ବାଲେଶ୍ୱର ସଦର ବିଜେଡିରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଶ୍ରୀ ଜେନାଙ୍କୁ ଟିକେଟ୍ ନଦେବା ପଛରେ ବି ପାରିବାରିକ ବିବାଦ ମୁଖ୍ୟ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ: ବାଲେଶ୍ୱର ସଦର ପାଇଁ କଂଗ୍ରେସରୁ କିଏ ହେବେ ଚୂଡ଼ାନ୍ତ ପ୍ରାର୍ଥୀ ?

ସୂତ୍ର ଅନୁସାରେ, ନିର୍ବାଚନରେ ଯଦି ବିଜେଡି ପ୍ରାର୍ଥୀ ବିଜୟୀ ହୁଅନ୍ତି, ତା’ହେଲେ ଗତ ଦୁଇଦିନର ବିରୋଧ ଓ ଡ୍ରାମା ଶ୍ରୀ ଜେନାଙ୍କୁ ଦଳରେ ସମ୍ପୂର୍ଣ୍ଣ ଅଣଦେଖା କରାଇବା ଏକପ୍ରକାର ନିଶ୍ଚିତ। ଯଦି ଦଳୀୟ ପ୍ରାର୍ଥୀ ପରାଜିତ ହୁଅନ୍ତି,  ତା’ହେଲେ ବି ଶ୍ରୀ ଜେନାଙ୍କ ପାଇଁ ଦଳକୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଲା ଦର୍ଶାଇ ତାଙ୍କୁ କଣଠେସା କରାଯିବ। ଆଉ ଏବେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଦାଣ୍ଡରେ ନିଲାମ କରିବାକୁ ବିଜେଡିର କାର୍ପେଟଦାରମାନେ ଚାହୁଁନାହାନ୍ତି। ନବୀନଙ୍କ ନିକଟରେ ବାଲେଶ୍ୱରରେ ବିରୋଧାଭାସ ସମ୍ପର୍କରେ ଖବର ପହଂଚୁଛି କି ନାହିଁ ତାକୁ ନେଇ ମଧ୍ୟ କେତେକ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଉପନିର୍ବାଚନରେ ଯଦି ଦଳୀୟ ଟିକେଟ୍ ଶ୍ରୀ ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ନମିଳିଲେ, ଆଗାମୀ ଦିନରେ ତାଙ୍କୁ ଯେ ଅଳିଆଗଦାକୁ ପକାଇବାର ବ୍ୟବସ୍ଥା ବିଜେଡି ଏବେଠୁ ପ୍ରସ୍ତୁତ କଲାଣି ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି।
ସୂଚନାଯୋଗ୍ୟ, ୨୦୧୪ରେ ବିଜେଡିରେ ସାମିଲ ହୋଇ ବାଲେଶ୍ୱରରୁ ଦଳର ସାଂସଦ ହୋଇଥିବା ଶ୍ରୀ ଜେନା ଚିଟଫଣ୍ଡ ଦୁର୍ନୀତିରେ ବିବାଦୀୟ ହୋଇ ମଧ୍ୟ ଦିଲ୍ଲୀରେ ବିଜେଡିର କର୍ପୋରେଟ୍ ଦାୟିତ୍ୱ ମଧ୍ୟ ବୁଝୁଥିଲେ।

Related story