କରୋନା କାଳରେ ବି କା’ ସ୍ୱାସ୍ଥ୍ୟ ସଚିବ: ବରିଷ୍ଠଙ୍କୁ ଅଲୋଡ଼ା କରୁଛି କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମ୍ୟାନେଜମେଣ୍ଟ ବିଫଳତା କୁହନ୍ତୁ ଅବା ମନମୁଖୀ ଶାସନ ଚଳାଇବାର ଜିଦ୍ ଯୋଗୁ ଏବେ ମୁଖ୍ୟ ସଚିବ ପାହ୍ୟାର ବରିଷ୍ଠ ଆଇଏଏସମାନେ ଜଣକ ପରେ ଜଣେ ଅଲୋଡ଼ା ହେବାରେ ଲାଗିଛନ୍ତି। ଆଉ କୋଭିଡ୍ -୧୯ ମହାମାରୀ ଭଳି ବିପର୍ଯ୍ୟୟ ସମୟରେ ବି ସ୍ୱାସ୍ଥ୍ୟ ବିଭାଗରେ ଜଣେ ଫୁଲଟାଇମ୍ ସଚିବଙ୍କୁ ନିଯୁକ୍ତି ଦେବାରେ ସରକାର ସକ୍ଷମ ହୋଇପାରିନାହାନ୍ତି। ଗତ ଦେଢ଼ମାସ ଧରି କା’ରେ ସ୍ୱାସ୍ଥ୍ୟ ବିଭାଗକୁ ଚଳାଇଥିବା ସରକାର ଆଜି ପୁଣିଥରେ ଏହି ବିଭାଗକୁ […]

Sachivalaya

Sachivalaya

Ordigital Desk
  • Published: Monday, 18 October 2021
  • Updated: 18 October 2021, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମ୍ୟାନେଜମେଣ୍ଟ ବିଫଳତା କୁହନ୍ତୁ ଅବା ମନମୁଖୀ ଶାସନ ଚଳାଇବାର ଜିଦ୍ ଯୋଗୁ ଏବେ ମୁଖ୍ୟ ସଚିବ ପାହ୍ୟାର ବରିଷ୍ଠ ଆଇଏଏସମାନେ ଜଣକ ପରେ ଜଣେ ଅଲୋଡ଼ା ହେବାରେ ଲାଗିଛନ୍ତି। ଆଉ କୋଭିଡ୍ -୧୯ ମହାମାରୀ ଭଳି ବିପର୍ଯ୍ୟୟ ସମୟରେ ବି ସ୍ୱାସ୍ଥ୍ୟ ବିଭାଗରେ ଜଣେ ଫୁଲଟାଇମ୍ ସଚିବଙ୍କୁ ନିଯୁକ୍ତି ଦେବାରେ ସରକାର ସକ୍ଷମ ହୋଇପାରିନାହାନ୍ତି। ଗତ ଦେଢ଼ମାସ ଧରି କା’ରେ ସ୍ୱାସ୍ଥ୍ୟ ବିଭାଗକୁ ଚଳାଇଥିବା ସରକାର ଆଜି ପୁଣିଥରେ ଏହି ବିଭାଗକୁ କା’ରେ ଚଳାଇବାକୁ ହାତ ଟେକି ଦେଇଛନ୍ତି। ରାଜ୍ୟ କୃଷି ଉତ୍ପାଦନ କମିଶନର ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ‘ଅତିରିକ୍ତ’ ଦାୟିତ୍ୱ ଆଜି ପୁଣିଥରେ ନ୍ୟସ୍ତ ହୋଇଛି। ବରିଷ୍ଠ ଆଇଏଏସମାନଙ୍କୁ ଅଲୋଡ଼ା କରି ସମ୍ପୂର୍ଣ୍ଣ କୋଣଠେସା କରିବାର ନୂଆ ପରମ୍ପରା ସୃଷ୍ଟି କରିଥିବା ରାଜ୍ୟ ସରକାର ଏବେ କରୋନା କାଳରେ ସ୍ୱାସ୍ଥ୍ୟ ବିଭାଗକୁ କା’ରେ ଛାଡ଼ି ନିଜର ବେପରୁୱା ଓ ମନମୁଖୀ ଆଭିମୁଖ୍ୟର ପରିଚୟ ଦେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ରାଜ୍ୟରେ ଏବେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ବାଦ୍ ଦେଲେ ମୁଖ୍ୟ ସଚିବ ପାହ୍ୟାର ୮ଜଣ ବରିଷ୍ଠ ଆଇଏଏସ୍ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସର ଏବେ ଅଲୋଡ଼ା ହୋଇ ରହିଛନ୍ତି। ରାଜ୍ୟରେ କରୋନା ମହାମାରୀ ଆରମ୍ଭ ଦିନଠୁ ସ୍ୱାସ୍ଥ୍ୟ ବିଭାଗକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଗତମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଚାନକ ଲମ୍ବା ଛୁଟିରେ ପଳାଇଗଲେ। ଶ୍ରୀ ମହାପାତ୍ରଙ୍କ ଏଭଳି ଅଚାନକ ଛୁଟିରେ ଯିବା ପଛରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଓ ବରିଷ୍ଠ ଅଫିସରଙ୍କୁ ହେୟ ଜ୍ଞାନ କରିବା ମୁଖ୍ୟ କାରଣ ଥିଲା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଲା। ତେବେ ନିଜର ଚାକିରି କାଳ ଆହୁରି ପ୍ରାୟ ଅଢ଼େଇ ବର୍ଷରୁ ଅଧିକ ଥିବାରୁ ଶ୍ରୀ ମହାପାତ୍ର ନିଜର ଛୁଟି କାଟି ସ୍ୱାସ୍ଥ୍ୟ ବିଭାଗରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ କିଛି ଘଣ୍ଟା ନପୁରୁଣୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ କରି ପଠାଇ ଦିଆଗଲା । ମୋଟାମୋଟି ଭାବେ ଜଣେ ବରିଷ୍ଠ ପ୍ରଶାସନିକ ଅଫିସରଙ୍କ ଅଭିଜ୍ଞତାକୁ ଅଣଦେଖା କରି ସମ୍ପୂର୍ଣ୍ଣ ଅକାମୀ କରି ବସାଇବାକୁ ମାର୍ଗ ପ୍ରଶସ୍ତ କରାଗଲା । ମୁଖ୍ୟ ସଚିବ ପାହ୍ୟାର ଶ୍ରୀ ମହାପାତ୍ରଙ୍କ ଅଚାନକ ଛୁଟିରେ ଯିବା ଓ ଫେରିବା ପରେ ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭଳି ପଦବୀରେ ନିଯୁକ୍ତି ଦିଆଯିବା ତୃତୀୟ ମହଲା ଓ ତାଙ୍କ ଭିତରେ ରହିଥିବା ତିକ୍ତତାର ପରିମାଣକୁ ପଦାରେ ପକାଇଛି । ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜୁନିୟର ଆଇଏଏସ୍ ଅଫିସରମାନଙ୍କ ଦ୍ୱାରା ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟର ସ୍କାନିଂ କରାଯାଉଥିବା ଓ ସବୁ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ସେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ଗତ କିଛିଦିନ ଧରି କୋଭିଡ୍ ପରିଚାଳନା, ସ୍ୱାସ୍ଥ୍ୟ ବିଭାଗର ଟେଣ୍ଡର ଓ ବିଜୁ ସ୍ମାର୍ଟ ହେଲଥ କାର୍ଡ ପ୍ରସ୍ତୁତି ପ୍ରସଙ୍ଗରେ ଏହି ଛକାପଞ୍ଝାରେ ଅଧିକ ତିକ୍ତତା ଆସିଥିଲା, ଯେଉଁଥିପାଇଁ ରାଜ୍ୟରେ କୋଭିଡର ତୃତୀୟ ପର୍ଯ୍ୟାୟ ଲହରର ମୁକାବିଲାବେଳେ ଶ୍ରୀ ମହାପାତ୍ର ଅଚାନକ ଛୁଟିରେ ପଳାଇଥିଲେ ।

କେବଳ ଶ୍ରୀ ମହାପାତ୍ର ନୁହଁନ୍ତି, ୧୯୮୬ ବ୍ୟାଚ୍ ଆଇଏଏସ ତଥା ମୁଖ୍ୟ ସଚିବ ପାହ୍ୟାର ଏସପି ଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଡିଜି କରି ବସାଇ ଦିଆଯାଇଛି । ତାଙ୍କୁ ଦୀର୍ଘଦିନ ଧରି ଏକପ୍ରକାର ଅଲୋଡ଼ା କରି ରଖାଯାଇଛି । ୧୯୮୭ ବ୍ୟାଚ୍ ଆଇଏଏସ୍ ଆରକେ ଶର୍ମାଙ୍କୁ ଦୀର୍ଘଦିନ ଧରି କୃଷି ଉତ୍ପାଦନ କମିଶନର ପଦବୀରେ ବସାଇ ରଖିବା ପରେ ଏବେ ଅତିରିକ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗ ଦିଆଯାଇଛି । ସେହିପରି ୧୯୮୮ ବ୍ୟାଚର ଆଇଏଏସ୍ ତଥା ମୁଖ୍ୟ ସଚିବ ପାହ୍ୟାର ପରାଗ ଗୁପ୍ତାଙ୍କୁ ମଧ୍ୟ ଦୀର୍ଘଦିନ ଧରି ଅଲୋଡ଼ା ରଖିବା ପରେ ଏବେ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଛାଡ଼ି ଆଗୁଆ ଓଡ଼ିଶା ଫେରିଥିବା ମୁଖ୍ୟ ସଚିବ ପାହ୍ୟାର ଜିଭିଭି ଶର୍ମାଙ୍କୁ ରାଜସ୍ୱ ପାର୍ଷଦ ସଦସ୍ୟ ପଦବୀରେ ଅବସ୍ଥାପିତ କରାଯାଇଛି । ସେହିପରି ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟ ସଚିବ ପାହ୍ୟାର ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଓ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ସେ କୋରାପୁଟରେ ଥିବା କେବିକେ ଅଫିସ୍ ଯାଉନାହାନ୍ତି କି ମୁଖ୍ୟ ଆବାସିକ କମିଶନ ଅଫିସରେ କୌଣସି କାର୍ଯ୍ୟ କରୁନଥିବା ଚର୍ଚ୍ଚା ହେଉଛି । ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନ କାର୍ଯ୍ୟାଳୟ ଜଣେ ଜୁନିୟର ର‌୍ୟାଙ୍କର ଆଇପିଏସ୍ ଅଫିସରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେଉଥିବା ଜଣାପଡ଼ିଛି ।

ଆସନ୍ତା ଫେବୃୟାରୀ ମାସରେ ମୁଖ୍ୟ ସଚିବ ପଦରୁ ସୁରେଶ କୁମାର ମହାପାତ୍ର ଅବସର ନେଉଥିବାରୁ ସେତେବେଳେ ଆହୁରି ଅନେକ ମୁଖ୍ୟ ସଚିବ ପାହ୍ୟାର ଅଫିସର ଅଲୋଡ଼ା ହୋଇଯିବେ ଓ କେବଳ ନାଁକୁ ମାତ୍ର ରାଜ୍ୟ ପ୍ରଶାସନରେ ରହିବେ ବୋଲି ପାୱାର କରିଡରରେ ଆକଳନ କରାଯାଉଛି । ଏବେ ତୃତୀୟ ମହଲା ସବୁକିଛି କାର୍ଯ୍ୟ କରୁଥିବା ଓ ନିଜର ପସନ୍ଦର ହାତଗଣତି କିଛି ଅଫିସରଙ୍କୁ ଧରି ରାଜ୍ୟ ପ୍ରଶାସନର ଭାଗ୍ୟ ନିର୍ଦ୍ଧାରଣ କରୁଛି, ଯାହାକି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos