କରୋନାର ଚତୁର୍ଥ ଲହର: କିଏ ସତ କହୁଛି, ସରକାର ନା ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ୟ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଭାରତରେ କୋଭିଡର ୪ର୍ଥ ଲହରକୁ ନେଇ ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ ମହାନ୍ତି ଗତ ଦୁଇଦିନ ତଳେ ଓଡ଼ିଶାରେ ମାର୍ଚ୍ଚ ଦ୍ୱିତୀୟ କି ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଆଜି ଏକ ଭିଡିଓ ଜାରି କରି ଓଡ଼ିଶାରେ କରୋନାର […]

corona

Ordigital Desk
  • Published: Saturday, 07 January 2023
  • , Updated: 07 January 2023, 10:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ୟ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଭାରତରେ କୋଭିଡର ୪ର୍ଥ ଲହରକୁ ନେଇ ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ ମହାନ୍ତି ଗତ ଦୁଇଦିନ ତଳେ ଓଡ଼ିଶାରେ ମାର୍ଚ୍ଚ ଦ୍ୱିତୀୟ କି ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଆଜି ଏକ ଭିଡିଓ ଜାରି କରି ଓଡ଼ିଶାରେ କରୋନାର ଆଶଙ୍କା ନାହିଁ ବୋଲି କହିଛନ୍ତି । ତେବେ ଉଭୟଙ୍କ ମଧ୍ୟରୁ କିଏ ସତ କହୁଛି ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ଆଜି ଏକ ଭିଡ଼ିଓରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପଣ୍ଡା କହିଛନ୍ତି ଯେ, ଚୀନ, ଜାପାନ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଦକ୍ଷିଣକୋରିଆ, ଆମେରିକା,ୟୁରୋପ, ଅଷ୍ଟ୍ରେଲିଆ ଓ ହଂକଂ ଭଳି ଦେଶରେ ଏବେ କରୋନାର ଚତୁର୍ଥ ଲହର ଆସିଛି । ସେଠାରେ କରୋନାର ଦୁଇଟି ଭାରିଏଂଟ ବିଏଫ.୭ ଓ ଏକ୍ସବିବି ୧.୫ ସକ୍ରିୟ ରହିଛି । ସେସବୁ ରାଷ୍ଟ୍ରରେ କୋଭିଡ୍ ପରିଚାଳନାରେ ତ୍ରୁଟି ଯୋଗୁ ଏଭଳି ସଂକ୍ରମଣ ବ୍ୟାପିଛି । ଚୀନର ଉଦାହରଣ ଦେଇ ସେ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ମାମଲାକୁ ଜିରୋ କରିବାକୁ ଯାଇ ସମ୍ପୃକ୍ତ ରାଷ୍ଟ୍ରର କର୍ତ୍ତୃପକ୍ଷ ୩ବର୍ଷ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରଖିଲେ ଓ ଲୋକଙ୍କ ଚାପରେ ଶେଷରେ ପ୍ରତ୍ୟାହାର କଲେ । କିନ୍ତୁ ଭାରତ ଭଳି ସେଠାରେ ସାମୁହିକ ଟୀକାକରଣ ହେଲାନାହିଁ । ଯେଉଁଥିପାଇଁ ଲୋକେ ଏତେ ଦିନ ଘରେ ଭିତରେ ରହିବା ପରେ ଅଚାନକ ବାହାରକୁ ଆସିବାରୁ ଉକ୍ତ ଭାରିଏଂଟର ସଂକ୍ରମଣର ଶିକାର ହେଲେ । ସେସବୁ ଦେଶରେ ଏହି ସଂକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି।

ମାତ୍ର ତା’ତୁଳନାରେ ଭାରତରେ ସାମୁହିକ ଟୀକାକରଣ ହୋଇଛି । ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଆମର ଏଠି ପ୍ରାଥମିକତା ଦିଆଯାଇଛି । ଯାହାଫଳରେ କୋଭିଡ୍ ସହ ଲଢ଼ିବାକୁ ଆମ ଲୋକମାନଙ୍କ ମଧ୍ୟରେ ଦୃଢ଼ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇଛି । ସେସବୁ ଦେଶରେ ୩ରୁ ୫ଲକ୍ଷ ସକ୍ରିୟ ସଂକ୍ରମିତ ମାମଲା ରହୁଥିବାବେଳେ ଆଜି ଭାରତରେ ମାତ୍ର ୧୮୫ଟି ମାମଲା ଚିହ୍ନଟ ହୋଇଛି । ଆଉ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ କେହି ହସ୍ପିଟାଲରେ ଚିକିତ୍ସିତ ହେଉନାହାନ୍ତି। ସାମାନ୍ୟ ଅସୁସ୍ଥ ଅଛନ୍ତି ତଥା ଘରେ ଚିକିତ୍ସିତ ହେଉଛନ୍ତି । ଏବେବି ଆମେ କୋଭିଡ୍ ଟେଷ୍ଟ ଜାରି ରଖିଛୁ । ଏପରିକି ଆଜି ମଧ୍ୟ ସମଗ୍ର ଦେଶରେ ୨ଲକ୍ଷ ଟେଷ୍ଟ ହୋଇଛି । ସେଥିରୁ ଓଡ଼ିଶାରେ ଦୈନିକ ୫ରୁ ୬ହଜାର ଟେଷ୍ଟ ହେଉଛି ଓ ମାତ୍ର ଜଣେ କି ଦୁଇଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ସଂକ୍ରମିତ ହାର ଦୈନିକ ମାତ୍ର ୦.୦୧% । ତେଣୁ ଏସବୁ ଦୃଷ୍ଟିରୁ ଓଡ଼ିଶାରେ ଚତୁର୍ଥ ଲହରୀର ଆଶଙ୍କା ନାହିଁ ଓ ସେଥିପାଇଁ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହିତ ଲୋକେ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ସେ ସତର୍କ କରାଇ ଦେଇଛନ୍ତି । ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ସର୍ବସାଧାରଣ ସ୍ଥାନକୁ ଯିବାବେଳେ ମାସ୍କ ପିନ୍ଧିବା ସହ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ଜାନୁୟାରୀ ୩ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସର୍ଭେ ଅନୁସାରେ ଏପର୍ଯ୍ୟନ୍ତ ଚୀନରେ କରୋନାର ପିକ୍ ଆସିନାହିଁ । ଜାନୁୟାରୀ ୧୩ରୁ ୧୫ତାରିଖ ମଧ୍ୟରେ ସେଠାରେ ପିକ୍ ଆସିବ ଓ ଦୈନିକ ୭ରୁ ୧୦ଲକ୍ଷ ଲୋକ ସଂକ୍ରମିତ ହେବେ । ପିକବେଳେ ଚୀନରେ ଦୈନିକ ୨୫ହଜାର ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହୋଇପାରେ । ସେହି ହିସାବରେ ଭାରତରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ । କେସ୍ ସାମାନ୍ୟ ବଢ଼ିପାରେ । ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।

Related story