ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀ
ବନ୍ଧା ହେବେ କି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ। ନୂଆପଡ଼ା ଜିଲ୍ଲା କୋମନା ଥାନା ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଓ ବିଜେପି ସେମାନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପରେ ଏଭଳି ଆଲୋଚନା ଜୋର ଧରିଛି।
ନୂଆପଡ଼ାର କୋମନାରେ ଜିତୁ ଆଡ଼ବାଙ୍ଗ ନାମକ ଯୁବକଙ୍କୁ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରିଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ଧାରାରେ ମାମଲା ରୁଜୁ କରାଯାଇଛି।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରଦ ହୋଇଛି ଓ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଗିରଫ କରିବାକୁ ଦାବି କରିଛି। ବିଜେପି ସମର୍ଥକଙ୍କୁ ଉଭୟ ନେତା ମାଡ଼ ମାରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ମଧ୍ୟ ଦଳ କହିଛି।
ଘଟଣା କ’ଣ?
ଜିତୁ ଆଡ଼ବାଙ୍ଗ ଘର କୋମନାର ପାଇକପଡ଼ାର ବାସିନ୍ଦା। ସେ ତାଙ୍କ ଏଫଆଇଆରରେ ଲେଖିଛନ୍ତି ଯେ ଅକ୍ଟୋବର ୩୦ ତାରିଖ ଅପରାହ୍ନ ୨ଟା ବେଳେ ବବି ଦାସ ଓ ଅଧିରାଜ ପାଣିଗ୍ରାହୀ ତାଙ୍କୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡକାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ବବି ଦାସ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହିତ ଆଗରୁ ତ ବିଜେଡିରେ ବୁଲୁଥିଲୁ, ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି ପଚାରିଥିଲେ। ତା’ପରେ ବବି ତାଙ୍କ ଶାର୍ଟ କାଲରକୁ ଧରି ଘୋଷାଡ଼ି ନେବା ସହ ମାଡ଼ ମାରିଥିଲେ। ତା’ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ କହିଥିଲେ।
ଅଭିଯୋଗକାରୀ ଆହୁରି ଲେଖିଛନ୍ତି, ମୋର ଯାହା ଇଚ୍ଛା ମୁଁ କରିବି ବୋଲି କହିବାରୁ ବବି ଦାସ ଓ ଅଧିରାଜ ପାଣିଗ୍ରାହୀ ମୋ ତଣ୍ଟିକୁ ଚିପି ମୋ ମୁହଁକୁ ଧରି ବହୁତ ମାଡ଼ ମାରିଥିଲେ। ତେବେ ଠିକଣା ସମୟରେ କୋମନା ଆଇଆଇସି ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ନହେଲେ ମୁଁ ବଞ୍ଚି ନଥା’ନ୍ତି।
ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଜିତୁ ଆଡ଼ବାଙ୍ଗ ପୁଲିସକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବିଧାନସଭା ଉପ-ନିର୍ବାଚନ ପାଇଁ ନୂଆପଡ଼ା ଏବେ ଚଳଚଞ୍ଚଳ ରହିଛି। ବିଜେପି, ବିଜେଡି ଓ କଂଗ୍ରେସର ବହୁ ବଡ଼ ବଡ଼ ନେତା ଯାଇ ସେଠାରେ ଡେରା ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ସେଠାକୁ ପ୍ରଚାର କରିଯିବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/01/bobby-2025-11-01-18-31-37.jpg)