ପ୍ରେମ ନିଶାରେ ପରିବାର କଥା ଭୁଲି ଗଲେ। ସ୍ୱାମୀ କଥା ଛାଡ଼ନ୍ତୁ, ଅଢ଼େଇ ବର୍ଷର ଝିଅ ବି ତାଙ୍କ ପାଇଁ ତୁଚ୍ଛ ହୋଇଗଲା। ବାହାଘରର ୫ ବର୍ଷ ପରେ ପ୍ରେମିକ ସହ ଫେରାର ହୋଇଗଲେ। ତାଙ୍କୁ ପାଖରେ ନପାଇ ଝିଅ କାନ୍ଦୁ ଥିବା ବେଳେ ସେ ପ୍ରେମିକ ସହ ଫଟୋ ଉଠାଇ ଷ୍ଟାଟସ ଛାଡୁଛନ୍ତି। ଘଟଣାଟି ବଲାଙ୍ଗିର ଜିଲ୍ଲାର।
ବଲାଙ୍ଗିର ସଦର ଥାନା କାଲସାଏପାଲିର ଉତ୍ତମ କାଲସାଏ ୫ ବର୍ଷ ତଳେ ସୋନପୁର ଜିଲ୍ଳା ଗରାମହୁଲ ଗାଁର ଲିଜା କାଲସାଏଙ୍କୁ ବାହା ହୋଇଥିଲେ। ସେମାନଙ୍କର ଅଢ଼େଇ ବର୍ଷର ଝିଅଟିଏ ଅଛି।
ଉତ୍ତମ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ଲିଜା ଜିଦ୍ ଧରିବାରୁ ସେ ଋଣ କରି ତାଙ୍କ ପାଇଁ ସ୍ମାର୍ଟ ଫୋନ୍ଟିଏ କିଣି ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ସ୍ୱାମୀ କାମକୁ ଯିବା ପରେ ସେହି ଫୋନ୍ରେ ତାଙ୍କ ପ୍ରେମିକ ସହ ଚାଟିଂରେ ବ୍ୟସ୍ତ ରହୁଥିଲେ। ଏପରିକି କେହି ନଥିବା ବେଳେ ତାଙ୍କ ପ୍ରେମିକ ଘରକୁ ଆସୁଥିଲେ। କିନ୍ତୁ ସେ ତାଙ୍କ ସଂପର୍କୀୟ ଭାଇ ବୋଲି ପାଖ ପଡ଼ୋଶୀଙ୍କୁ କୁହୁଥିଲେ ଲିଜା।
ଲିଜାଙ୍କ ପ୍ରେମିକଙ୍କ ନାଁ ପପୁନ ଦୀପ। ତାଙ୍କ ଘର ସୋନପୁର ଜିଲ୍ଲା ତରଭା ଥାନା ଗହିରଖୁମରେ।
ଲିଜା ପ୍ରେମିକ ପପୁନ ଦୀପ ସହିତ ଫେରାର ହୋଇଯାଇଥିବା ବେଳେ ସାଙ୍ଗରେ ନେଇ ଯାଇଛନ୍ତି ଟଙ୍କା ଓ ସୁନା ଅଳଙ୍କାର।
ଏହି ଘଟଣା ନେଇ ଲିଜାଙ୍କ ସ୍ୱାମୀ ଉତ୍ତମ ବଲାଙ୍ଗିର ସଦର ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଲିଜା ଓ ପପୁନଙ୍କୁ ଖୋଜୁଛି। ପୁଲିସ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହିଁ।
ଏହା ପୂର୍ବରୁ ଗତ ମାସରେ ବାହାଘରର ଚଉଦ ଦିନ ପରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଯାଇଥିଲେ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ବାହାଘରର ୧୦ ଦିନ ପରେ ପରମ୍ପରା ଅନୁଯାୟୀ ଘର ଲେଉଟାଣିରେ ବାପ ଘରକୁ ଆସିଥିବା ବେଳେ ସୁଯୋଗ ଦେଖି ଦିନେ ରାତିରେ ପ୍ରେମିକ ସହ ସେ ଫେରାର ହୋଇଯାଇଥିଲେ। ଗଲା ବେଳେ ସାଙ୍ଗରେ ୩ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇ ଯାଇଥିଲେ।
ଏହି ଘଟଣା ପୂର୍ବରୁ ବଲାଙ୍ଗୀର ସହର ଠାରୁ ୨୫ କିମି ଦୂର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ବନ୍ଧ ନିକଟରୁ ଜଣେ ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିଥିଲେ। ଯୁବତୀ ଜଣଙ୍କ ବାହା ହୋଇ ସ୍ୱାମୀଙ୍କ ସହିତ ବଲାଙ୍ଗିର ଉପକଣ୍ଠସ୍ଥ କାମାକ୍ଷୀନଗରରେ ଥିବା ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ବେଳେ ତାଙ୍କ ପ୍ରେମିକ ରାସ୍ତାରେ ବନ୍ଧୁକ ଦେଖାଇ ତାଙ୍କୁ ନେଇଯାଇଥିଲେ। ଏନେଇ ବର ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଭୟ ସମ୍ବଲପୁରର ପ୍ରଫେସର ପଡ଼ାରେ ଜଣେ ସମ୍ପର୍କୀୟଙ୍କ ଘରେ ଥିବା ବେଳେ ପୁଲିସ ମୋବାଇଲ ଫୋନ୍ ଟ୍ରାକ୍ କରି ସେମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଧରିଥିଲା। ସମ୍ବଲପୁର ପୁଲିସ୍ ସେମାନଙ୍କୁ ଧରି ଥାନାରେ ଅଟକ ରଖି ଜେରା କରିବା ପରେ ସୁବର୍ଣ୍ଣପୁର ପୁଲିସକୁ ହସ୍ତାନ୍ତର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/01/girl-child-2026-03-01-13-51-16.jpg)