Advertisment

ଉତ୍ତର ଓଡ଼ିଶାରେ ଅଧିକ କ୍ଷତି କରିଛି ୟାସ୍‌

ଭୁବନେଶ୍ୱର/ ବାଲେଶ୍ୱର /ଭଦ୍ରକ(ଓଡ଼ିଶା ରିପୋର୍ଟର) ଆଶଙ୍କା ମୁତାବକ ଉତ୍ତର ଓଡ଼ିଶା ବିଶେଷ କରି ବାଲେଶ୍ୱର ଓ ଭଦ୍ରକରେ ସବୁଠୁ ଅଧିକ ଘାଣ୍ଟିଛି ୟାସ୍ । ବର୍ଷା-ପବନ ଯୋଗୁଁ ଯାହା କ୍ଷୟକ୍ଷତି ହୋଇଛି, ସବୁଠୁ ଅଧିକ ସମସ୍ୟା କରିଛି ସାମୁଦ୍ରିକ ଜୁଆର। ସମୁଦ୍ରକୂଳିଆ ଅଞ୍ଚଳର କିଛି ସ୍ଥାନରେ ପ୍ରାୟ ୧୨ ଫୁଟ୍ ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ିଯିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କଚ୍ଚା ଘର ମାଟିରେ ମିଶିଯାଇଛି । ଶହ ଶହ ହେର ଚାଷଜମି […]

author-image
Tapas Behera
ଅଦ୍ୟତନ ହୋଇଛି
ଉତ୍ତର ଓଡ଼ିଶାରେ ଅଧିକ କ୍ଷତି କରିଛି ୟାସ୍‌

690

ଭୁବନେଶ୍ୱର/ ବାଲେଶ୍ୱର /ଭଦ୍ରକ(ଓଡ଼ିଶା ରିପୋର୍ଟର) ଆଶଙ୍କା ମୁତାବକ ଉତ୍ତର ଓଡ଼ିଶା ବିଶେଷ କରି ବାଲେଶ୍ୱର ଓ ଭଦ୍ରକରେ ସବୁଠୁ ଅଧିକ ଘାଣ୍ଟିଛି ୟାସ୍ । ବର୍ଷା-ପବନ ଯୋଗୁଁ ଯାହା କ୍ଷୟକ୍ଷତି ହୋଇଛି, ସବୁଠୁ ଅଧିକ ସମସ୍ୟା କରିଛି ସାମୁଦ୍ରିକ ଜୁଆର। ସମୁଦ୍ରକୂଳିଆ ଅଞ୍ଚଳର କିଛି ସ୍ଥାନରେ ପ୍ରାୟ ୧୨ ଫୁଟ୍ ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ିଯିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କଚ୍ଚା ଘର ମାଟିରେ ମିଶିଯାଇଛି। ଶହ ଶହ ହେର ଚାଷଜମି ଓ ଚିଙ୍ଗୁଡ଼ିଘେରି ପାଣିରେ ବୁଡ଼ି ଯିବାରୁ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି।

Advertisment

କେଉଁଠି ଘର ଭାଙ୍ଗିଛି ପୁଣି କେଉଁଠି ପେଟ୍ରୋଲ ପମ୍ପ ଛାତ ଉଡ଼ିଛି।  ମାଟିରେ ଲୋଟିଛି ଗଛବୃଚ୍ଛ। ଲୁଣାପାଣି ମାଡ଼ି ଆସି କେଉଁଠି ଗାଁ ଗଣ୍ଡା ବୁଡ଼ିଛି ପୁଣି ରାସ୍ତା ଭାଙ୍ଗିଛି ତ’ ଆଉ କେଉଁଠି ପ୍ରବଳ ବର୍ଷାରେ ପାଣିରେ ଭାସୁଛି ଗାଡ଼ି ମୋଟର। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା । କାରଣ ଏହି ଜିଲ୍ଲାର ବାହାନଗା ବ୍ଲକର ବରଜଦେଉଳି ଓ ଖରାସାହପୁରରେ ହିଁ ସମୁଦ୍ରରୁ ଆସି ସିଧା ମାଡ଼ ହୋଇଥିଲା ୟାସ। ପ୍ରଚଣ୍ଡ ପବନ ସାଙ୍ଗକୁ ତାଳସରୀ ଉଦୟପୁରଠୁ ନେଇ ଚାନ୍ଦିପୁରରୁ ବଳରାମ ଗଡ଼ିଯାଏ ସମୁଦ୍ରରୁ ପ୍ରାୟ ୧୨ ଫୁଟ୍ ଉଚ୍ଚର ଜୁଆର ମାଡ଼ି ଆସିବା ଫଳରେ ଲୁଣାବନ୍ଧ ଭାଙ୍ଗି ଏବେ ବି ବହୁ ସମୁଦ୍ରକୂଳିଆ ଗାଁ ଜଳମଗ୍ନ ହୋଇପଡ଼ିଛି । ସମୁଦ୍ର ଢେଉରେ କିଛି କାଠ କ୍ୟାବିନ୍ ବି ଭାସି ଯାଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭୋଗରାଇ, ବାଲିଆପାଳ, ବାହାନଗା, ନୀଳଗିରି, ବାଲେଶ୍ୱର ସଦର, ବସ୍ତା ଓ ଜଳେଶ୍ୱର ବ୍ଲକ୍ । ଜିଲ୍ଲାରେ ପ୍ରାୟ ହଜାରରେ ଅଧିକ କଚ୍ଚା ଘର କ୍ଷତିଗ୍ରସ୍ତ ହେବା ସହ ଶହ ଶହ ହେର ଚାଷଜମି ଓ ବହୁ ଚିଙ୍ଗୁଡ଼ି ଘେରି କ୍ଷତିଗ୍ରସ୍ତ ହୋଇଛି । ଏପରିକି ବାଲେଶ୍ୱର ସଦର ତଳି ଅଞ୍ଚଳରେ ପାଣି ଜମିରହିବାରୁ ୫୦ରୁ ଅଧିକ ଘର ପ୍ରଭାବିତ ହୋଇଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ଖବର ଆସିବାରେ ଲାଗିଛି । ଜିଲ୍ଲାର ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବହୁ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହେବା ସହ ଅନେକ ସ୍ଥାନରେ ଗଛପଡ଼ି ଘର ମଧ୍ୟ ଭାଙ୍ଗିଛି।  ସେହିପରି ପ୍ରବଳ ପବନରେ ବିଜୁଳି ଖୁଣ୍ଟ ଉପୁଡ଼ି ବିଦ୍ୟୁତ୍‌ ସରବରାହ ଗୁରୁତର ପ୍ରବାବିତ ହୋଇଛି। ତିହିଡ଼ି ବ୍ଲକ୍ ଗୁଆମାଳ ଠାରେ ଗଛପଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ଭାଙ୍ଗିଯାଇଛି। ମୂଷଳଧାରାରେ ବର୍ଷା ଯୋଗୁଁ ୭ଟି ବ୍ଲକ୍‌ର ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଏପରିକି ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ବାସୁଦେବପୁର ବ୍ଲକ୍ ନୂଆଗାଁ ନିକଟରେ ଲୋକେ ଗାଁକୁ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ରାସ୍ତା ହାଣି ଦେଇଛନ୍ତି। ବାସୁଦେବପୁର ଅଞ୍ଚଳରେ ସମୁଦ୍ରକୂଳିଆ ପ୍ରାୟ ୧୫ରୁ ୧୬ଟି ପଞ୍ଚାୟତରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଗାଁରେ ଲୁଣାପାଣି ମାଡ଼ିଯିବାରୁ ଚାଷଜମି ପ୍ରଭାବିତ ହୋଇଛି । ସେହିପରି ଭଦ୍ରକ ସହରରେ ମଧ୍ୟ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି ୟାସ୍ । ସହରର ୩୦ରୁ ଅଧିକ ଓ୍ୱାର୍ଡ ଜଳାର୍ଣ୍ଣବ ଅବସ୍ଥାରେ ରହିଛିି।

Advertisment
Cyclone Disaster Management Cyclone Yaas