ଜଳେଶ୍ୱର(ଅଜିତ କୁମାର ଦାସ): ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ । କଟୁରୀରେ ଯୁବକଙ୍କୁ ହାଣିଦେଲେ ଯୁବକ । ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ଘଟିଛି ।
ଚକ୍ରଡା ଗ୍ରାମର ଆଲୋକ ବେହେରାଙ୍କ ସହିତ ପଡୋଶୀ ରିଣପଦା ଗ୍ରାମର ମନୋରଞ୍ଜନ ପାଣିଗ୍ରାହୀଙ୍କର ପୂର୍ବରୁ ବିବାଦ ଲାଗି ରହିଥିଲା । ତେବେ ଗତକାଲି ସନ୍ଧ୍ୟା ସମୟରେ ଚକ୍ରଡା ସାପ୍ତାହିକ ହାଟ ଥିବାରୁ ମନୋରଞ୍ଜନ ସଉଦା କିଣିବା ପାଇଁ ଚକ୍ରଡା ଯାଇଥିଲେ। ହାଟରେ ଉଭୟ ମନୋରଞ୍ଜନ ଏବଂ ଆଲୋକଙ୍କର ଭେଟ ହେବାପରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉପସ୍ଥିତ ଲୋକେ ବୁଝାଶୁଝା କରିବାରୁ ଉଭୟ ନିଜ ବାଟରେ ଚାଲି ଯାଇଥିଲେ।
ମାତ୍ର ଉଗ୍ର ହୋଇ ପଡ଼ିଥିବା ଆଲୋକ ଏକ କଟୁରୀ ଧରି ନିଜ ଘର ପାଖରେ ଛକି ରହିଥିଲ। ହାଟ ସାରି ମନୋରଞ୍ଜନ ରାତିରେ ଆଲୋକର ଘର ଆଗ ଦେଇ ଯାଉଥିଲେ। ଏହି ସମୟରେ ଆଲୋକର ଅତର୍କିତ ଆକ୍ରମଣରେ ମନୋରଞ୍ଜନର ବେକ, କାନ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ଆଲୋକ ଛଟପଟ ହେଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।