ଓଡ଼ିଶା ରିପୋର୍ଟର (ପୁଷ୍ପାଞ୍ଜଳି ପଣ୍ଡା): ମହିଳାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ଏବଂ ଅତ୍ୟାଚାର ଏବେ ଏକ ନିତିଦିନିଆ ଘଟଣା ପାଲଟିଛି। ପ୍ରାୟ ପ୍ରତିଦିନ ଆପଣ ଖବରକାଗଜ ପୃଷ୍ଠା ଓ ଟେଲିଭିଜନ୍ ଚ୍ୟାନେଲ୍ରେ ଯୌନ ଉତ୍ପୀଡ଼ନ ସମ୍ୱନ୍ଧୀୟ ବହୁ ଖବର ପଢ଼ିବାକୁ ପାଉଥିବେ।
ଏହାର ମାତ୍ରା ଏପରି ବଢ଼ିଚାଲିଛି ଯେ ଛୋଟ ଛୋଟ ଶିଶୁ ମଧ୍ୟ ଯୌନ ରାକ୍ଷସଙ୍କ କୁତ୍ସିତ ମାନସିକତାରୁ ବାଦ୍ ପଡ଼ୁନାହାନ୍ତି। ତେଣୁ ଏଥିପାଇଁ ସତର୍କ ରହିବା ଅନିବାର୍ଯ୍ୟ।
ଏବେ ଆସନ୍ତୁ ଜାଣିବା, ମହିଳାମାନେ ବଳାତ୍କାର ପରି ଯୌନ ଉତ୍ପୀଡ଼ନରୁ କିପରି ନିଜକୁ ରକ୍ଷା କରିପାରିବେ।
୨୦୧୦ ଜାତୀୟ ଅପରାଧ ଶିକାର ସର୍ବେକ୍ଷଣର ତଥ୍ୟ ଅନୁସାରେ, ଯେଉଁ ମହିଳାମାନେ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି, ସେମାନଙ୍କ ମଧ୍ୟରୁ ପାଖାପାଖି ଏକ ଚତୁର୍ଥାଂଶ ମହିଳା ଏହି ଦୁର୍ଘଟଣା ପୂର୍ବରୁ ଅପରାଧୀ ସମ୍ପର୍କରେ ଜାଣିଥା'ନ୍ତି। ତେଣୁ ମନେ ରଖନ୍ତୁ, ରକ୍ତ ସମ୍ପର୍କକୁ ଛାଡ଼ିଦେଲେ ଅନ୍ୟ କୌଣସି ସମ୍ପର୍କ ଆପଣଙ୍କ ପାଇଁ ନିରାପଦ ନୁହେଁ। ଯୌନ ଉତ୍ପୀଡ଼ନ ସମସ୍ୟା, ନିଜ ପଡ଼ୋଶୀ କି ଦୂର ସମ୍ପର୍କୀୟ ଅବା କର୍ମକ୍ଷେତ୍ରର ସହକର୍ମୀ ଓ ସହପାଠୀଙ୍କ ଆଡୁ ଆସିବା ଆଦୌ ଅସ୍ୱାଭାବିକ ନୁହେଁ। ତେଣୁ ଏ ସମ୍ପର୍କରେ ସବୁବେଳେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ।
ରାତିରେ ବାହାରକୁ ଏକା ନ ଯିବା ପାଇଁ ଚେଷ୍ଟା କରନ୍ତୁ:
ବିଶେଷ କରି ରାତିରେ ଏକୁଟିଆ ବାହାରକୁ ଯାଆନ୍ତୁ ନାହିଁ। ଯଦି କୌଣସି ଦରକାରୀ କାମ ପଡ଼ୁଛି, ତେବେ ନିଜର ପରିବାର ଲୋକଙ୍କ ସହିତ ଯା’ନ୍ତୁ, ଯିଏ ଆପଣଙ୍କୁ ସୁରକ୍ଷା ଦେଇପାରିବେ। ଯଦି ଆପଣ କୌଣସି କାର୍ଯ୍ୟକ୍ରମକୁ ରାତିରେ ଯିବାର ଅଛି, ତେବେ ସେଠାକୁ କିପରି ନିରାପଦରେ ଯିବେ ଓ ଫେରିବେ, ସେସବୁର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିବା ପରେ ହିଁ ଯାହା କିଛି କରନ୍ତୁ।
ଆପଣ କେଉଁ ସ୍ଥାନରେ ଅଛନ୍ତି ନିଜ ଲୋକଙ୍କୁ ଜଣାନ୍ତୁ:
ଆପଣ କେତେବେଳେ କେଉଁ ସ୍ଥାନରେ ରହୁଛନ୍ତି, ସେ ନେଇ ମା' ବାପା ବା ନିଜ ଲୋକଙ୍କୁ ଜଣାଇବାକୁ ଭୁଲନ୍ତୁ ନାହିଁ। ଯଦି ଆପଣ ନିଜର ପୁରୁଷ ବନ୍ଧୁଙ୍କ ସହିତ ଅଛନ୍ତି, ତାହା ମଧ୍ୟ ଗୋପନ ନ ରଖି ପରିବାର ଲୋକଙ୍କୁ କହି ଦିଅନ୍ତୁ।
କାହାରିକୁ ଗୋପନୀୟ ସ୍ଥାନରେ କଦାପି ଦେଖାକରନ୍ତୁ ନାହିଁ:
ଯଦି ଆପଣ କୌଣସି ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି କିମ୍ୱା ଜଣେ କର୍ମଜୀବୀ ମହିଳା,ତେବେ ଆପଣଙ୍କୁ ଅନେକ ସମୟରେ ବିଭିନ୍ନ ଲୋକଙ୍କୁ ଦେଖା କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ସାର୍ବଜନୀନ ସ୍ଥାନରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖା କରିବା ଆପଣଙ୍କ ପାଇଁ ସୁରକ୍ଷିତ ହୋଇପାରେ।
ଆତ୍ମରକ୍ଷା କୌଶଳ ଶିଖନ୍ତୁ:
ଅସୁରକ୍ଷିତ ମନେ କଲେ ଜଣାନ୍ତୁ:
ଯଦି କୌଣସି ସ୍ଥାନରେ ଆପଣ ନିଜକୁ ଅସୁରକ୍ଷିତ ମନେ କରନ୍ତି, ତେବେ ନିଜର ମନର କଥା ଶୁଣନ୍ତୁ ଏବଂ ତୁରନ୍ତ ସେହି ସ୍ଥାନ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ସମସ୍ୟା ଦେଖା ଦେଲେ, ସାହାଯ୍ୟ ପାଇଁ କାହାକୁ ଡାକନ୍ତୁ କିମ୍ୱା ପୁଲିସ୍କୁ ଫୋନ୍ କରନ୍ତୁ।
ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ:
ବର୍ତ୍ତମାନ ଯୁଗରେ ବହୁ ମହିଳା ଆଲ୍କହଲ୍ ସେବନ କରୁଥିବା ଦେଖାଯାଉଛି। ଯଦି ଆପଣ ଆଲ୍କହଲ୍ ସେବନ କରୁଛନ୍ତି, ତେବେ ନିୟନ୍ତ୍ରଣରେ ରହନ୍ତୁ। ମନସ୍ତତ୍ତ୍ୱବିତ୍ ପରାମର୍ଶ ଦିଅନ୍ତି, ନିଶାସକ୍ତ ଅବସ୍ଥାରେ କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହିଁ। ରାତିରେ ଡିସ୍କୋ କିମ୍ୱା ପବ୍ ଯାଇଥିଲେ, ବୁଝିବିଚାରି ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ।
ନିଜର ଅସହାୟତା ପ୍ରକାଶ କରନ୍ତୁ ନାହିଁ:
କୌଣସି ବ୍ୟକ୍ତିଙ୍କ ସମ୍ମୁଖରେ ନିଜର ଅସହାୟତା ପ୍ରକାଶ କରନ୍ତୁ ନାହିଁ ଯେ ଆପଣ ଦୁଃଖରେ ଅଛନ୍ତି। ଉଦାହରଣ ସ୍ୱରୂପ, ପାରିବାରିକ କଳହ ଏବଂ ଅର୍ଥର ଅଭାବ। ଏସବୁ ଅସହାୟତା ସମ୍ପର୍କରେ ଜାଣିଲେ, କୌଣସି ବ୍ୟକ୍ତି ନିଜ ଫାଇଦା ପାଇଁ ଏହିସବୁ ଅସହାୟତାକୁ ପୂରଣ କରିବା ଆଳରେ ଆପଣଙ୍କର ନିକଟତର ହେବାକୁ ଚେଷ୍ଟା କରିଥା'ନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ସେ ହିଁ ଆପଣଙ୍କ ପାଇଁ ବିପଦର କାରଣ ହୋଇପାରନ୍ତି।
ପରିବାର ଲୋକଙ୍କୁ ଅବହେଳା କରନ୍ତୁ ନାହିଁ:
ପରିବାର ହିଁ ଆପଣଙ୍କ ପାଇଁ ରକ୍ଷାକବଚ। ସର୍ବଦା ଏହି କଥା ଧ୍ୟାନରେ ରଖନ୍ତୁ। ଆପଣଙ୍କ ବିପଦ ସମୟରେ ପରିବାର ଲୋକ ହିଁ ଆପଣଙ୍କ ପାଖରେ ଛିଡ଼ା ହେବେ। ବିବାହ ବା ଜୀବନସାଥି ବାଛିବା କ୍ଷେତ୍ରରେ ଯଦି ଆପଣଙ୍କ ପିତା ମାତା କୌଣସି ପରାମର୍ଶ ଦେଉଛନ୍ତି, ତେବେ ତାହାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ପରିବାର ଲୋକଙ୍କୁ ନ ଜଣାଇ ଏମିତି କିଛି ଭୁଲ କାମ କରନ୍ତୁ ନାହିଁ, ଯେମିତି ଆପଣଙ୍କୁ ପରେ ଏଥିପାଇଁ ପଶ୍ଚାତାପ କରିବାକୁ ପଡ଼ିବ। ଯଦି ଆପଣ ଠିକ୍ କଥା କହୁଛନ୍ତି ବୋଲି ନିଜେ ଭାବୁଛନ୍ତି, ତେବେ ପ୍ରଥମେ ଏକ ଆଲୋଚନାର ପରିସର ସୃଷ୍ଟି କରି ବାପା ମା’ ବା ଭାଇଙ୍କୁ ଏସମ୍ପର୍କରେ ବୁଝାନ୍ତୁ। ହୁଏତ, ସେମାନେ ବୁଝିଯାଇପାରନ୍ତି।
ପ୍ରେମ ନିବେଦନଠାରୁ ସତର୍କ ରହନ୍ତୁ:
ଲଙ୍କାଗୁଣ୍ଡ ପାଖରେ ରଖନ୍ତୁ:
ଆପଣଙ୍କ ପର୍ସରେ କିଛି ଧାରୁଆ ଜିନିଷ, ନ ହେଲେ ‘ଚିଲି ସ୍ପ୍ରେ’ ବା ଲଙ୍କାଗୁଣ୍ଡ ରଖନ୍ତୁ। ଆପଣ ଏସବୁ ଜିନିଷ ନିଜ ପାଖରେ ରଖୁଛନ୍ତି ବୋଲି ନିଜ ବାପା ମା’ଙ୍କୁ ଜଣାଇ ଦିଅନ୍ତୁ। ଯଦି ଆପଣଙ୍କ ଉପରେ ଆକ୍ରମଣ ହୁଏ, ତା’ହାଲେ ଅସ୍ତ୍ର ପରି ଏସବୁକୁ ବ୍ୟବହାର କରିପାରିବେ। କିନ୍ତୁ ଆପଣ ଏସବୁ ଜିନିଷର ଦୁରୁପଯୋଗ କଲେ, ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଚିଲି ସ୍ପ୍ରେ ଏବେ ଅନ୍ଲାଇନ୍ରେ ଉପଲବ୍ଧ ହେଲାଣି।
ଶାଳୀନତାର ସହ ପୋଷାକ ପିନ୍ଧନ୍ତୁ:
ପୋଷାକରୁ ହିଁ ମହିଳାଙ୍କ ବ୍ୟକ୍ତିତ୍ୱ ଜଣା ପଡ଼ିଥାଏ। ଏଭଳି ପୋଷାକ ପରିଧାନରୁ ନିବୃତ୍ତ ରୁହନ୍ତୁ, ଯାହାକୁ ପିନ୍ଧି ଆପଣ କମ୍ପର୍ଟ ଅନୁଭବ କରୁନାହାନ୍ତି। ପୋଷାକ ପରିଧାନର ଶାଳୀନତା ସମ୍ପର୍କରେ ସମସ୍ତ ମହିଳାଙ୍କୁ ଅବଗତ ହେବାକୁ ପଡ଼ିବ। ଏହାର ଅର୍ଥ ନୁହେଁ, ଆପଣଙ୍କୁ ନିଜ ମନ ପସନ୍ଦର ପୋଷାକ ପରିଧାନ କରିବା ପାଇଁ ବାରଣ କରାଯାଉଛି। ସାର୍ବଜନୀନ ସ୍ଥାନ, ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସମ୍ମୁଖରେ ଆପଣ ନିଜକୁ ସୁରକ୍ଷିତ ମନେ କରିବା ପରି ପୋଷାକ ହିଁ ପିନ୍ଧନ୍ତୁ।