ଇଣ୍ଟର୍ ସ୍ପେସିସ୍ ବା ଦୁଇଟି ଭିନ୍ନ ପ୍ରଜାତିର ପ୍ରାଣୀ ମଧ୍ୟରେ ଅଙ୍ଗ ପ୍ରତ୍ୟାରୋପଣକୁ ଜେନୋଟ୍ରାନ୍ସପ୍ଲାଣ୍ଟ (xenotransplant) କୁହାଯାଏ । ତେବେ ଏହି ଦିଗରେ ଆଉ ପାଦେ ଆଗକୁ ଯାଇ ବୈଜ୍ଞାନିକମାନେ ଘୁଷୁରିର ଅଙ୍ଗକୁ ମଣିଷ ଦେହରେ ପ୍ରତ୍ୟାରୋପଣ କରିବା କଥା ଚିନ୍ତା କରୁଛନ୍ତି । ମାଙ୍କଡ଼ ପ୍ରଜାତି (ଏପ୍) ଓ ଘୁଷୁରିର ଗୁଣସୂତ୍ରକୁ ପରିବର୍ତ୍ତିତ କରି ଏହାର ଟିସୁକୁ ମଣିଷ ଶରୀରରେ ଲାଗିବା ଭଳି ଉପଯୁକ୍ତ କରାଯାଇପାରେ । ଏକ 4ମାସ ବୟସ୍କ ଘୁଷୁରିର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକର ଆକାର ଓ କାର୍ଯ୍ୟକାରିତା ପ୍ରାୟତଃ ମଣିଷ ଭଳି ।
ଘୁଷୁରିର ଅଙ୍ଗ ମଣିଷ ଦେହରେ ଲାଗିବା ପାଇଁ ଉପଯୁକ୍ତ ହୋଇଥିଲେ ମଧ୍ୟ ଏଥିରେ ଏକ ବିରାଟ ସମସ୍ୟା ବାଧା ସୃଷ୍ଟି କରୁଥିଲା । ଘୁଷୁରିର ଗୁଣସୂତ୍ରରେ ଏକପ୍ରକାର ଭୂତାଣୁ ରହେ, ଯାହାକୁ ରିଟ୍ରୋଭାଇରସ୍ କୁହାଯାଏ । ଏହି ରିଟ୍ରୋଭାଇରସ୍ ମୃତ ଟିସୁରେ ସଂକ୍ରମିତ ହେଉନଥିବାରୁ ଘୁଷୁରି ମାଂସ ଖାଉଥିବା ଲୋକଙ୍କ ଦେହକୁ ଏହା ଯାଏ ନାହିଁ । କିନ୍ତୁ ଅଙ୍ଗ ପ୍ରତ୍ୟାରୋପଣ କ୍ଷେତ୍ରରେ ଏହି ରିଟ୍ରୋଭାଇରସ୍ ରୋଗୀକୁ ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ ଅଧିକ । ବିଶେଷତଃ ଏହା ସେହି ରୋଗୀମାନଙ୍କ ପ୍ରତି ଘାତକ ହେବ, ଯେଉଁମାନଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବ (ଏଚ୍ଆଇଭି ଆକ୍ରାନ୍ତଙ୍କ ଭଳି) । ଏଥିସହ ଆଉ ଏକ ସମସ୍ୟା ହେଲା, ଏକ ଗବେଷଣା ସଂସ୍ଥା ଦାବି କରିଛି ଯେ, ଏହି ରିଟ୍ରୋଭାଇରସ୍ କେବଳ ଯେ ଘୁଷୁରି ଅଙ୍ଗ ପ୍ରତ୍ୟାରୋପଣ ହୋଇଥିବା ରୋଗୀଙ୍କୁ ସଂକ୍ରମିତ କରିବ ତା ନୁହେଁ, ମଣିଷ ଶରୀରରେ ଥିବା ଅନ୍ୟ ଭାଇରସ୍ ସହ ମିଶି ଏହା ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।
କିନ୍ତୁ ଖୁସି ଖବର, ବହୁ ବର୍ଷ ତଳେ ଏହି ରିଟ୍ରୋଭାଇରସ୍ ଜନିତ ସମସ୍ୟାର ସମାଧାନ ପାଇଁ ଗବେଷଣା ଆରମ୍ଭ କରିଥିବା ଇ-ଜେନେସିସ୍ ନାମକ ଏକ ଆମେରିକୀୟ କମ୍ପାନୀ ଘୋଷଣା କରିଛି, ସେମାନେ ଘୁଷୁରି ଶାବକ ଗୁଣସୂତ୍ରରୁ ରିଟ୍ରୋଭାଇରସ୍ ଗୁଡ଼ିକୁ ନଷ୍ଟ କରିପାରିଛନ୍ତି । ଫଳରେ ସେହି ଘୁଷୁରି ଶାବକ ଗୁଡ଼ିକ ସମ୍ପୂର୍ଣ୍ଣ ଭୂତାଣୁ ମୁକ୍ତ ଭାବେ ଜନ୍ମ ନେଇଛନ୍ତି ଏବଂ ସେମାନଙ୍କ ଅଙ୍ଗ ମଣିଷ ଶରୀରରେ ପ୍ରତ୍ୟାରୋପଣ ପାଇଁ ନିରାପଦ । CRISPR ଜିନ୍ ଏଡିଟିଂ ପଦ୍ଧତିରେ ସେମାନେ ଘୁଷୁରିର ଗୁଣସୂତ୍ରରୁ ସମସ୍ତ 25ଟି ପ୍ରକାରର ଭୂତାଣୁକୁ ନିଷ୍କ୍ରିୟ କରିପାରିଥିବା ଦାବି କରିଛନ୍ତି । ତେବେ ଘୁଷୁରିର ଅଙ୍ଗ ମଣିଷ ଦେହରେ ପ୍ରତ୍ୟାରୋପଣ ହେବ ନା ନାହିଁ ଏନେଇ ଅନେକ ନୈତିକ ବିବାଦ ମଧ୍ୟ ରହିଛି । ତଥାପି ଜେନୋଟ୍ରାନ୍ସପ୍ଲାଣ୍ଟ ଦିଗରେ ଏକ ଗବେଷଣା ଏକ ସମ୍ଭାବନା ସୃଷ୍ଟି କରିଛି ।
ଘୁଷୁରିର ଅଙ୍ଗ ମଣିଷ ଶରୀରରେ ପ୍ରତ୍ୟାରୋପଣ ଯୋଗ୍ୟ ହୋଇପାରିଲେ ପ୍ରଥମେ ବୃକକ ବା କିଡନୀକୁ ପ୍ରତ୍ୟାରୋପଣ କରାଯିବ । ଏହାପରେ ହୃତପିଣ୍ଡ, ଯକୃତ, ପାନକ୍ରିଆଜ, ଚର୍ମ ଏବଂ ଚକ୍ଷୁର କର୍ନିଆ ମଣିଷ ଠାରେ ପ୍ରତ୍ୟାରୋପଣ ହୋଇପାରିବ ।