Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ

ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ।

ଅଦ୍ୟତନ ହୋଇଛି
Atishi

Atishi

Advertisment

ଆତିଶୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। 

Advertisment

ତେବେ ଆତିଶୀଙ୍କ ସହ କ୍ୟାବିନେଟର ପାଞ୍ଚ ମନ୍ତ୍ରୀ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ଶପଥ ନେଇଛନ୍ତି। ସୁଲତାନ ପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ କ୍ୟାବିନେଟର ନୂଆ ମନ୍ତ୍ରୀ ହୋଇ ଥିବାବେଳେ ଅନ୍ୟ ଚାରି ଜଣ ପୂର୍ବ ମନ୍ତ୍ରୀମଣ୍ଡଳରେ ଥିଲେ। 

ତେବେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ୭ ଜଣ ସଦସ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୬ ଜଣ ସଦସ୍ୟ ଅଛନ୍ତି। କ୍ୟାବିନେଟରେ ସପ୍ତମ ସଦସ୍ୟ କିଏ ହେବେ, ସେନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ସେହିପରି ପୂର୍ବ କ୍ୟାବିନେଟ ମନ୍ତ୍ରୀଙ୍କ ପଦ ବଜାୟ ରହିବ କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ।

Advertisment

ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହାପରେ ଆତିଶୀ ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଉପରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଆତିଶୀ ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  

୪୩ ବର୍ଷୀୟ ଆତିଶୀ ସୁଷମା ସ୍ୱରାଜ ଓ ଶୀଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦକ୍ଷିଣ ଦିଲ୍ଲୀର କାଲକାଜିରୁ ବିଧାୟକ ହୋଇଥିବା ଆତିଶୀ ଆପ୍‌ର ଜଣେ ବରିଷ୍ଠ ନେତ୍ରୀ। ତାଙ୍କ ରାଜନୈତିକ ଯାତ୍ରା କୌଣସି ଚମତ୍କାରଠାରୁ କମ ନୁହେଁ। ଏକଦା ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଶିକ୍ଷା ବିଭାଗରେ ପରାମର୍ଶଦାତା ଭାବେ କାମ କରୁଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟ କୁମାର ସିଂହ ଓ ତ୍ରିପତା ୱାହି ହେଉଛନ୍ତି ଆତିଶୀଙ୍କ ବାପା ଓ ମାଆ। ଆତିଶୀ ପ୍ରଥମେ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଥିଲେ। ଏହା ବ୍ୟତୀତ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ଆତିଶୀ । 

AAP Atishi Delhi CM Oath Taking Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe