Advertisment

ସୌମ୍ୟଙ୍କ ଅନୁଚିନ୍ତା: ସମର୍ଥନରେ ଆସିଲେ ଅପରାଜିତା ଓ ନରସିଂହ

‘ସୌମ୍ୟ ପଟ୍ଟନାୟକ ଠିକ୍ କଥା କହିଛନ୍ତି। ଆଗ ମାଟି ତା’ପରେ ପାର୍ଟି। ପୂର୍ବରୁ ସେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ ଉଠାଇଥିଲେ।’

author-image
Ordigital Desk
Aparajita Sarangi and N. Mishra

Aparajita Sarangi and N. Mishra

ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ସେଥିରେ କଂଗ୍ରେସ ନେତା ଶ୍ରୀ ମିଶ୍ର ଓ ବିଜେପି ନେତ୍ରୀ ଶ୍ରୀମତୀ ଷଡ଼ଙ୍ଗୀ ସମ୍ମତି ପ୍ରଦାନ କରି ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ସୌମ୍ୟଙ୍କ ଦଳ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ କେହି ଆନୁଷ୍ଠାନିକ ଭାବେ ମୁହଁ ଖୋଲିନାହାନ୍ତି । ଯଦିଓ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସୌମ୍ୟଙ୍କୁ ବ୍ୟକ୍ତିଗତସ୍ତରରେ କୁତ୍ସାରଟନା କରିଛନ୍ତି ମାତ୍ର ସେ ଉଠାଇଥିବା ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି । ବିଜେଡି ବିଧାୟକ ରାଜକିଶୋର ଦାସ ମଧ୍ୟ ଅନୁରୂପ ଭାବେ ଫାଇଭ-ଟି ସଚିବ ଜିଲ୍ଲା ଗସ୍ତବେଳେ ତାଙ୍କୁ ସାଧାରଣ ଲୋକେ ସ୍ୱତଃ ଭେଟିବାକୁ ଆସୁଛନ୍ତି ବୋଲି କହି ଅନ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

Advertisment

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ଠିକ୍ କଥା କହିଛନ୍ତି । ଆଗ ମାଟି ତା’ପରେ ପାର୍ଟି । ପୂର୍ବରୁ ସେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ ଉଠାଇଥିଲେ । ସଚିବଙ୍କ ଗସ୍ତବେଳେ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଲୋକଙ୍କୁ ଖାଇବାକୁ ଦିଆଯାଉଛି, ଗାଡ଼ିରେ ସଭାସ୍ଥଳକୁ ଅଣାଯାଉଛି ଏପରିକି ଜିଲ୍ଲା ବାହାରର ଲୋକଙ୍କୁ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ,ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ପୂର୍ବରୁ ମଧ୍ୟ ଉଠାଯାଇଛି । ଏହି ଚର୍ଚ୍ଚା ଏବେ ରାଜ୍ୟର ସବୁ ଜିଲ୍ଲାର ପ୍ରତ୍ୟେକ ଗାଁ ଓ ବଜାରରେ ହେଉଛି । ଲୋକେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ? ଯଦି ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତରେ ଯାଉଥାନ୍ତେ ତା’ହେଲେ ସୁନ୍ଦର ହେଉଥାନ୍ତା । ଜଣେ ସଚିବ ପାହ୍ୟାର ସରକାରୀ କର୍ମଚାରୀ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି । ଓଡ଼ିଶା ଗୋଟିଏ ଗରିବ ରାଜ୍ୟ ଓ ତାଙ୍କ ଗସ୍ତ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବା କଦାପି ଗ୍ରହଣୀୟ ନୁହେଁ । ଏଠି ତ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ବି ଅସହାୟ ହୋଇପଡ଼ିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।

BjD Aparajita Sarangi Narasingha Mishra Soumya Ranjan Patnaik