ଐତିହାସିକ ବାଲିଯାତ୍ରା ମଞ୍ଚରେ ‘ନବୀନ ବନ୍ଦନା’ ଗାନ କଲେ ବିଜେଡି ଯୁବ ନେତା

କଟକ (ଓଡ଼ିଶା ରିପୋର୍ଟର): ବୋଧହୁଏ ରାଇଜ ମୁଖିଆଙ୍କୁ ଭଲ ଲାଗୁଛି ନିଜର ବନ୍ଦନା! ସେଥିପାଇଁ ତ ଗୋଟିଏ ପରେ ଗୋଟିଏ ସ୍ଥାନରେ ଗାନ କରାଯାଉଛି ନବୀନ ବନ୍ଦନା। ଶ୍ରୀକ୍ଷେତ୍ର ପରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଶୁଣିବାକୁ ମିଳିଛି ନବୀନ ବନ୍ଦନ। ଏହି ବନ୍ଦନା ଗାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଅବିନାଶ ମହାନ୍ତି। ତାହା ପୁଣି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ। ହେଲେ ଜଣେ କେହି ଏହାର ପ୍ରତିବାଦ କରିନଥିବା […]

Abnash-Mohanty

  • Published: Wednesday, 16 November 2022
  • , Updated: 16 November 2022, 07:51 PM IST

କଟକ (ଓଡ଼ିଶା ରିପୋର୍ଟର): ବୋଧହୁଏ ରାଇଜ ମୁଖିଆଙ୍କୁ ଭଲ ଲାଗୁଛି ନିଜର ବନ୍ଦନା! ସେଥିପାଇଁ ତ ଗୋଟିଏ ପରେ ଗୋଟିଏ ସ୍ଥାନରେ ଗାନ କରାଯାଉଛି ନବୀନ ବନ୍ଦନା। ଶ୍ରୀକ୍ଷେତ୍ର ପରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଶୁଣିବାକୁ ମିଳିଛି ନବୀନ ବନ୍ଦନ। ଏହି ବନ୍ଦନା ଗାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଅବିନାଶ ମହାନ୍ତି। ତାହା ପୁଣି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ। ହେଲେ ଜଣେ କେହି ଏହାର ପ୍ରତିବାଦ କରିନଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଐତିହାସିକ ବାଲିଯାତ୍ରା କ’ଣ ବିଜେଡିର ଦଳୀୟ କାର୍ଯ୍ୟକ୍ରମ କି? ଏହାକୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଐତିହାସିକ ବାଲିଯାତ୍ରାରେ ଆଜି ସକାଳେ ହୋଇଥିଲା ପଥୋତ୍ସବ। ଠିକ୍‌ ସେହି ସମୟରେ ବାଲିଯାତ୍ରାରେ ହୋଇଥିବା ଅକ୍ଷୟ ମହାନ୍ତି ମଞ୍ଚରେ ଚଢ଼ି ଯାଇଥିଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି। ଆଉ ତା’ପରେ ମଞ୍ଚରେ ଛିଡ଼ା ହୋଇ ଗାଇଥିଲେ 'ହେ ନବୀନ ବାବୁ ଆମେ ତମ ଫ୍ୟାନ'। ଗତ ନିର୍ବାଚନ ପ୍ରଚାର ବେଳେ ତିଆରି ହୋଇଥିବା ଏହି ଗୀତକୁ ସେ ଗାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, କଟକ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀ। ହେଲେ ଜଣେ କେହି ପ୍ରତିବାଦ କରିନଥିଲେ। ବୋଧହୁଏ ସେମାନେ ଭାବୁଥିଲେ ରାଜ୍ୟ ମୁଖିଆଙ୍କ ବନ୍ଦନା ଗାନ ବନ୍ଦ କଲେ ଅସୁବିଧା ହେବ। ସେଥିପାଇଁ କେହି ଗୀତ ଗାଇବା ବନ୍ଦ କରିବାକୁ କେହି ସାହସ କରିପାରିନଥିଲେ।

ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି, ଗାୟକର ପର୍ସନାଲ ଚଏସ୍। ଜଣେ ଗାୟକ କଣ ଗାଇବ, ତାର ସ୍ୱାଧୀନତା ଥାଏ। ଯାହା ସେ ଗାଇବ, ଗାୟକର ପର୍ସନାଲ ଚଏସ୍। ସେ ରାଜନୈତିକ ଦଳର କର୍ମକର୍ତ୍ତା ନେଇ ମୋ ପାଖରେ ଖବର ନାହିଁ। ଏନେଇ ଆଗକୁ ଧ୍ୟାନ ଦିଆଯିବ ବୋଲି କହିଲେ ଜିଲ୍ଲାପାଳ।

ସେପଟେ କଟକ ମେୟର ସୁବାସ ସିଂ କହିଛନ୍ତି, ଏଭଳି ଗୀତ ଗାଇବାକୁ କେହି ପ୍ରୋତ୍ସାହନ ଦେଉନାହାନ୍ତି। ଯେମିତି ଆଗକୁ ଏହାର ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

ଐତିହାସିକ ବାଲିଯାତ୍ରା ପଡ଼ିଆରେ କେବଳ ନବୀନ ବନ୍ଦନା ଗାନ ହୋଇନାହିଁ। ପୂର୍ବରୁ ଅଶ୍ଲୀଳ ଗୀତ ମଧ୍ୟ ଗାନ କରାଯାଇଥିବା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ବୈଷ୍ଣବ ପାଣି ମଞ୍ଚରେ ହ୍ୟୁମାନ ସାଗର ନାଇଟ୍‌ ଥିବା ବେଳେ ଜଣେ କଳାକାର ମଞ୍ଚରେ ଅଶାଳୀନ ଓ ଅରୁଚିକର ସଂଗୀତ ପରିବେଷଣ କରିଥିଲେ। ପ୍ୟାକ ବଢେଇ ଦେ... ହୁଇସ୍କି ପିଲେଇ ଦେ... ଗୁଆଘିଅ .... ଗୁଆଘିଅ ଭଳି ଅରୁଚିକର ସଂଗୀତ ଗାନ କରାଯାଇଥିବା ଦେଖିବାକୁ ମିଳିଥିଲା। କେବଳ ଏହି ଗୀତ ନୁହେଁ, ଏହିଭଳି ଆଉ କିଛି ଅରୁଚିକର ଗୀତ ମଧ୍ୟ ମଞ୍ଚରେ ଗାନ କରାଯାଇଥିଲା। ହେଲେ କୌଣସି ପ୍ରଶାସନିକ ଅଧିକାରୀ ଏହାର ପ୍ରତିବାଦ କରିନଥିଲେ।

https://www.youtube.com/watch?v=E2Kkx3YKysQ

Related story