ସଂକଳ୍ପ ଅଧିକ ଦୃଢ଼ ହେଲା: ବିଜେଡି, ସିଟ୍ କମିଛି ସମର୍ଥନ ନୁହେଁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଏକତରଫା ରେକର୍ଡ ପରିମାଣର ବିଜୟକୁ ନେଇ ବିଜେଡି ଉତ୍ସାହିତ ଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । କଂଗ୍ରେସ ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ସର୍ବାଧିକ କ୍ଷତି ସହିଥିବାବେଳେ ବିଜେପି ମଧ୍ୟ ନିଜକୁ ମାତ୍ର ୫% ସିଟ୍ ଭିତରେ ସୀମିତ ରଖିବାକୁ ସକ୍ଷମ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପଂଚାୟତ ନିର୍ବାଚନ ଫଳାଫଳ ଜାରି ହେବା ପରେ ପ୍ରଥମଥର ପାଇଁ ବିଜେପି ପକ୍ଷରୁ ଆନୁଷ୍ଠାନିକ […]

bjd-and-bjp

Ordigital Desk
  • Published: Tuesday, 01 March 2022
  • , Updated: 01 March 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଏକତରଫା ରେକର୍ଡ ପରିମାଣର ବିଜୟକୁ ନେଇ ବିଜେଡି ଉତ୍ସାହିତ ଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । କଂଗ୍ରେସ ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ସର୍ବାଧିକ କ୍ଷତି ସହିଥିବାବେଳେ ବିଜେପି ମଧ୍ୟ ନିଜକୁ ମାତ୍ର ୫% ସିଟ୍ ଭିତରେ ସୀମିତ ରଖିବାକୁ ସକ୍ଷମ ହୋଇଛି।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପଂଚାୟତ ନିର୍ବାଚନ ଫଳାଫଳ ଜାରି ହେବା ପରେ ପ୍ରଥମଥର ପାଇଁ ବିଜେପି ପକ୍ଷରୁ ଆନୁଷ୍ଠାନିକ ବୟାନ ଆସିଛି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଫଳାଫଳକୁ ସ୍ୱୀକାର କରିବା ସହ ପଂଚାୟତ ନିର୍ବାଚନରେ ଦଳର ସିଟ୍ ସଂଖ୍ୟା କମିଥିଲେ ବି ଦଳ ପ୍ରତି ଜନସମର୍ଥନ କମିନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ଦଳକୁ ୬୩ଲକ୍ଷ ୨୩ହଜାର ୭୪୬ଟି ଭୋଟ୍ ମିଳିଛି ଯାହାକି ମୋଟ ଭୋଟର ୩୦.୦୭% । ଓଡ଼ିଶାର ଜନସାଧାରଣଙ୍କ ସହ ରହିଛୁ, ଆଗକୁ ରହିବୁ ବୋଲି କହିବା ସହ ପଂଚାୟତ ନିର୍ବାଚନ ଫଳାଫଳକୁ ଗୁରୁତ୍ୱର ସହ ସମୀକ୍ଷା କରାଯିବ ବୋଲି କହିଛନ୍ତି । ଦଳର ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବା ସହ ଭୁଲର ନିଖୁଣ ତର୍ଜମା କରି ଆଗାମୀ ଦିନରେ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ପୌର ନିର୍ବାଚନରେ ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ଓନିଶାରେ ରାଜନୀତିକ ପରିବର୍ତ୍ତନ ପାଇଁ ବିଜେପି ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିରୋଧୀ ଦଳ ଏବେ ଯେଉଁ ସ୍ଥିତିରେ ରହିଛି ସେଥିପାଇଁ ଆମେ ଦାୟୀ । ମୁଖ୍ୟମନ୍ତ୍ରୀ ନିଜ ଦଳର ନେତା କିମ୍ବା ସାଧାରଣ ଲୋକଙ୍କୁ ଭେଟନ୍ତି ନାହିଁ । କିନ୍ତୁ ସେ ଭୋଟ୍ ହାତେଇବାରେ ସଫଳ ହେଉଛନ୍ତି । ବିଭିନ୍ନ ସରକାରୀ ଯୋଜନା ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ କରି ବିଜେଡି ତା’ର ରାଜନୀତିକ ଫାଇଦା ନେଉଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପଂଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ଜନମତ ଆମର ସଂକଳ୍ପକୁ ଅଧିକ ସୁଦୃଢ଼ କରିଛି । ଦଳର ବିଜୟୀ ପ୍ରାର୍ଥୀ ଓ ଉର୍ତ୍ସଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇବା ସହ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related story