Advertisment

ବବି ଦାସଙ୍କ ମା’ଙ୍କୁ ଟିକେଟ ଦେଲା ବିଜେଡି

ବାକି ଥିବା ୩ଟି ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି।

ଅଦ୍ୟତନ ହୋଇଛି
Pranab Prakash Das

Pranab Prakash Das

Advertisment

୧୪୭ଟି ବିଧାନସଭା ଆସନରୁ ବିଜେଡି ୧୪୪ଟି ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ଥିବା କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ମିଳିଛି। ଦଳ ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଛି। ଫଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ପ୍ରଣବଙ୍କ ଭିଣୋଇ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ବେଳେ ଦଳ ଭିତରୁ କିଛି ନେତା ସୋଶାଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ଗୋଟିଏ ପରିବାର ଗୋଟିଏ ଟିକେଟରେ ବବି (ପ୍ରଣବ ପ୍ରକାଶ ଦାସ) ଜୋର ଦେଇ ଆସୁଛନ୍ତି। 

Advertisment

କୋରେଇରୁ ବବିଙ୍କ ମା’ଙ୍କୁ ଟିକେଟ ଦିଆଯାଇଥିବା ବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। କୋରେଇରୁ ଟିକେଟ ପାଇଁ ବବି ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା ବୋଲି କୁହାଯାଉଥିଲା। ଏମିତିକି ଦଳର ସଂଗଠନ କଥା ବୁଝୁଥିବା ଏକ ଗୋଷ୍ଠୀ ବବିଙ୍କ ସମର୍ଥକଙ୍କୁ କୋରେଇରୁ ଟିକେଟ ନଦେବାକୁ ଜୋର ଦେଇଥିଲା। ତେବେ ବବି କାଳେ କୋରେଇ ଟିକେଟ ନେବା ପାଇଁ ଜିଦ୍‌ ଧରି ବସିଥିଲେ। 

ବିଜେପି ଛାଡ଼ି ପୁଣି ବିଜେଡିରେ ସାମିଲ ହୋଇଥିବା ସୁକାନ୍ତ କୁମାର ନାୟକଙ୍କୁ ବିଜେଡି ନୀଳଗିରିରୁ ଟିକେଟ ଦେଇଛି। ସେଠାରେ ସୁକାନ୍ତଙ୍କ ରାସ୍ତାରେ କଣ୍ଟା ସାଜିଥିଲେ ସନ୍ତୋଷ ଖଟୁଆ। ସେ ସୁକାନ୍ତଙ୍କୁ ତୀବ୍ର ବିରୋଧ କରୁଥିଲେ। ତେବେ ଶେଷରେ ଦଳ ସୁକାନ୍ତଙ୍କ ଉପରେ ଭରସା କରିଛି। ୨୦୧୪ରେ ସୁକାନ୍ତ ନୀଳଗିରିରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପି ଟିକେଟରେ ନୀଳଗିରିରୁ ଲଢ଼ି ବିଜୟୀ ହୋଇଥିଲେ। 

Advertisment

ଖଣ୍ଡପଡ଼ାରୁ ଏଥର ପୁଣି ଟିକେଟ ପାଇବା ପାଇଁ ଆଶାୟୀ ଥିଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। କିନ୍ତୁ ଦଳ ତାଙ୍କୁ ପୁଣି ନିରାଶ କରିଛି। ଦଳ ଖେଳିଛି ମହିଳା କାର୍ଡ। ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ। ଭାପୁର ବ୍ଲକ୍ ଅଧ୍ୟକ୍ଷା ଥିବା ସାବିତ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଟିକେଟ ନମିଳିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ। ୨୦୧୪ରେ ବିଜେଡି ଟିକେଟରେ ଖଣ୍ଡପଡ଼ାରୁ ବିଧାନସଭାକୁ ଯାଇଥିଲେ ଅନୁଭବ ପଟ୍ଟନାୟକ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା।  

ଅନ୍ୟପକ୍ଷରେ ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି। ଦଳ ପୂର୍ବରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଜି ତାଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ରୋମାଞ୍ଚ ୨୦୧୯ରେ ମଧ୍ୟ ଏଠାରୁ ପ୍ରାର୍ଥୀ ହୋଇଥିଲେ। 

BjD Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe