Advertisment

ବିଧାନସଭା ଅଧିବେଶନ: ରଣନୀତି ଚୂଡ଼ାନ୍ତ କଲା ବିଜେପି, ଆସନ୍ତାକାଲି ବିଜେଡି ଓ କଂଗ୍ରେସର

ଅସୁସ୍ଥ ଥିବା ବିଧାୟକ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବୋଲି ଶାସକ ଦଳର ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେପି ଏହାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
BJP Meeting

BJP Meeting

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ବେଶ୍ ସରଗରମ ହେବାର ଆଶଙ୍କା ରହିଛି । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରିବା ପାଇଁ ଘୋଷଣା କରିଥିବାବେଳେ ଶାସକ ବିଜେଡି ଗୃହରେ କେନ୍ଦ୍ରୀୟ ଅବହେଳା, ଚାଉଳ କାଟ, ରେଳବାଇ ଆଦି ପ୍ରସଙ୍ଗ ଉଠାଇ ନିଜର ଆତ୍ମରକ୍ଷା କରିବ ବୋଲି ଜଣାପଡ଼ିଛି । ଆଜି ବିଜେପି ବିଧାୟକ ଦଳ ବୈଠକ ବସି ବିଧାନସଭା ଅଧିବେଶନ ପାଇଁ ରଣନୀତି ଚୂଡ଼ାନ୍ତ ହୋଇଥିବାବେଳେ ଆସନ୍ତାକାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ପୃଥକ ଭାବେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Advertisment

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଡାକିଥିବା ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟର ସୁପରିଚାଳନା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଅସୁସ୍ଥ ଥିବା ବିଧାୟକ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବୋଲି ଶାସକ ଦଳର ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେପି ଏହାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛି । କରୋନା ନଥିବାବେଳେ ଏଭଳି ଭର୍ଚୁଆଲ ବ୍ୟବସ୍ଥାର ଆବଶ୍ୟକତା ନାହିଁ ଓ ସମସ୍ତେ ଗୃହରେ ଉପସ୍ଥିତ ରୁହନ୍ତୁ ବୋଲି ଦାବି କରିଥିଲା । ଯାହାକୁ ନେଇ ଅସହମତି ହେବାରୁ ବିଜେପି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ।

ଏପଟେ ସନ୍ଧ୍ୟାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବିଧାନସଭାରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ସମୟରେ ଆଇନଶୃଙ୍ଖଳା ଓ ଓଡ଼ିଶାବାସୀଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପଦରେ । ରାଜ୍ୟରେ ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ସର୍ବକାଳୀନ ସର୍ବାଧିକ ରେଳ ବଜେଟ୍, ବିଜେଡି ସରକାରରେ ଚାଉଳ ହଡ଼ପ, ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି, ଧାନମଣ୍ଡି ଏବଂ ଏମଏସପି ପ୍ରସଙ୍ଗରେ ମିଲର୍ସଙ୍କ ଭାଷା କହି ଚାଷୀଙ୍କୁ ପ୍ରତାରଣା, ଖଣି ଦୁର୍ନୀତି, ଧାନ କଟନୀ ଛଟନୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେକାରୀ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଦାଦନ ସମସ୍ୟା ସମେତ ସାଧାରଣ ଲୋକଙ୍କ ସମସ୍ୟା ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇବ । ଓଡ଼ିଶାରେ ଲୋକେ ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭାରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ନ୍ୟାୟ ପାଇଁ ସ୍ୱର ଉଠାଇବ ।

Advertisment

ଆଜିର ବୈଠକରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ , ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଭବାନୀ ଭୋଇ, ନାଉରୀ ନାୟକ, ଶଙ୍କର ଓରାମ, ମୁକେଶ ମହାଲିଙ୍ଗ, କେ.ନାରାୟଣ ରାଓ, ଜୟନ୍ତ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଂଟିଆ, ପ୍ରକାଶ ସୋରେନ, ବୁଧାନ ମୁର୍ମୁ, ନବଚରଣ ମାଝି, ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଗୃହରେ ଚାଷୀ ସମସ୍ୟା, ସରକାର ଧାନ ସଂଗ୍ରହ ନକରିବା, ବେକାରୀ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ସମେତ ଲୋକଙ୍କ ସ୍ୱାର୍ଥଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ଉତଥାପନ କରାଯିବ । ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହେବ ।

ସେହିପରି ବିଜେଡିର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ । ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

BjD Bjp State Bjp Congress Odisha Budget