‘ପରଦା ପଛର ଖଳନାୟକଙ୍କୁ ଛଡ଼ାଯିବନି, କାର୍ଯ୍ୟାନୁଷ୍ଠାନ ନିଆଯିବ’

ଗତକାଲି ମରାଣାନ୍ତକ ଆକ୍ରମଣ ପରେ ଆଜି ଏଭଳି ଢଙ୍ଗରେ ବୟାନ ଦେଇଛନ୍ତି ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ

  • Published: Thursday, 21 November 2024
  • , Updated: 21 November 2024, 02:55 PM IST

ବିଜେଡିର ପ୍ରଭାବଶାଳୀ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ ମୋ ଉପରେ ଆକ୍ରମଣ କରିଛନ୍ତି। ସେମାନେ ମୋତେ ମାରିଦେବା ପାଇଁ ଚାହୁଁଥିଲେ। ୨୫ ବର୍ଷର କ୍ଷମତାରେ ରହି ହଟିବା ପରେ ସେମାନେ ପଇସା ପାଇଁ ପରଦା ପଛରେ ରହି ଏଭଳି କାଣ୍ଡ ଭିଆଉଛନ୍ତି। ପରଦା ପଛରେ ରହି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତକାଲି ମରାଣାନ୍ତକ ଆକ୍ରମଣ ପରେ ଆଜି ଏଭଳି ଢଙ୍ଗରେ ବୟାନ ଦେଇଛନ୍ତି ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)।

ବିଧାୟକ କହିଛନ୍ତି, ଯେଉଁମାନେ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିଲେ, ସରକାରଙ୍କ ପକ୍ଷରୁ ଲିଗାଲ ଆକ୍ସନ ନିଆଯାଇଛି। ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇସାରିଲେଣି। ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ଯିଏ ଦୋଷୀ ତାକୁ ଗିରଫ କରାଯିବ, ବିଜେଡି ଯେପରି ନିର୍ଦ୍ଦୋଷଙ୍କୁ ଗିରଫ କରୁଥିଲା, ସେପରି କିଛି ହେବ ନାହିଁ। ଭାରତୀୟ ଜନତା ପାର୍ଟି ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟ କରେ ଓ ଆଇନ ଉପରେ ଭରସା କରେ। ଆଇନ ତା’ ବାଟରେ ନିଶ୍ଚୟ ଯିବ। ଯେଉଁମାନେ ଦୋଷୀ ଅଛନ୍ତି, ସେମାନଙ୍କୁ ଗିରଫ କରାଯିବ। 

ବିଜୁ ଜନତା ଦଳ ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଆଜି ଭୟଭୀତ। ଏପରି ଗୁଣ୍ଡାଗିରିକୁ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବନି। ଯେଉଁମାନେ ୨୫ ବର୍ଷ ହେବ ଶାସନ ଭାରକୁ ନିଜ ମୁଠିରେ ରଖି ନିଜ କଳ ଚଳାଉଥିଲେ, ଯେତେବେଳେ ଏହି କଳ ବନ୍ଦ ହୋଇଯାଉଛି, ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ପଇସା ରୋଜଗାର ହୋଇପାରୁନାହିଁ, ସେମାନେ ଭୟଭୀତ ହୋଇ ଏପରି କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏପରି ଆକ୍ରୋଶ ମୁଁ ଯାଜପୁରରେ ହେବାର ଦେଖିନାହିଁ। ମୁଁ ପ୍ରଥମ ଥର ଦେଖୁଛି ବୋଲି ଧର୍ମଶାଳା ବିଧାୟକ କହିଛନ୍ତି।

ସେ କହିଛନ୍ତି, ପ୍ରଣବ ପ୍ରକାଶ ଦାସଙ୍କର ଲୋକମାନେ ମୋତେ କହିଥିଲେ, ଆମକୁ ବବି ଦାସ ପଠାଇଛି, ହିମାଂଶୁ ଶେଖର ସାହୁ ଓ ଭାରତୀୟ ଜନତା ପାର୍ଟିର କୌଣସି ନେତାଙ୍କୁ ଆମେ ଯାଜପୁରରେ ପ୍ରବେଶ କରାଇ ଦେବୁ ନାହିଁ, ସେମାନଙ୍କୁ ଆମେ ମାରିଦେବୁ। ଯେଉଁମାନଙ୍କର ଏହି ଘଟଣାରେ ଲିଙ୍କ୍ ଅଛି, ସମସ୍ତଙ୍କୁ ଗିରଫ କରାଯିବ। ଯେଉଁମାନେ ପଛପଟେ ରହି କାର୍ଯ୍ୟ ଚଳାଇଛନ୍ତି, ସମସ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ମଧ୍ୟ ମୋତେ ଫୋନ୍ କରି ଧମକ ଚମକ ଦିଆଯାଉଥିଲା।

ଗତକାଲି ଘଟିଥିବା ଘଟଣା ନିନ୍ଦନୀୟ। ଏହି ଘଟଣା ଘଟିବା ପରେ ଆଡସିନାଲ ଡିଜି ଓ ଏସପି ଯାଜପୁରରେ ଉପସ୍ଥିତ ରହିବା ସହ ବିଭିନ୍ନ ଆଡୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି ବୋଲି ହିମାଂଶୁ କହିଛନ୍ତି।

Related story